୫୦ ବର୍ଷରେ ଓରାଳି ରଥ ଯାତ୍ରା
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ଅତିହ୍ୟ ଓ ସଂସ୍କୃତି ସଂପନ୍ନ ହାଟଡିହି ବ୍ଲକ ଓରାଳି ଗ୍ରାମରେ ୧୯୭୫ ମସିହାରେ ଆରମ୍ଭ ହୋଇଥିବା ଓରାଳି ରଥ ଯାତ୍ରା ଅନିବାର୍ଯ୍ୟ କାରଣ ବଶତଃ କିଛି ବର୍ଷ ବନ୍ଦ ରହିବା ପରେ ୫୦ତମ ବର୍ଷରେ ଗତକାଲି ଏଠାରେ ରଥ ଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି। ଅଞ୍ଚଳର ପାଖାପାଖି ୭ରୁ ୮ ହଜାର ଶ୍ରଦ୍ଧାଳୁଙ୍କର ଏଠାରେ ସମାବେଶ ହୋଇଥିଲା। ଅପରାହ୍ନ ୩ ଟା ପରେ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରରୁ ପହଣ୍ଡି ବିଜେ କରାଯାଇ ରଥକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭଜନ କୀର୍ତ୍ତନ ନାମ ସଙ୍କୀର୍ତ୍ତନ ମଧ୍ୟରେ ଅଣାଯାଇ ରଥାରୂଢ଼ କରାଯାଇଥିଲା। ଠାକୁର ସେବକ ନୃସିଂହ ନାଥ ସିଂହ ଛେରା ପହଁରା କରିଥିଲେ। ରଥ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଠାରେ ନନ୍ଦିପଦା ପୁଲିସ ଉପସ୍ଥିତ ଥିବା ବେଳେ ଟାଟା ପାୱାର ର ବିଦ୍ୟୁତ୍ କର୍ମଚାରୀ ମାନେ ରଥ ଟଣା ପାଇଁ ବିଭାଗୀୟ ସହଯୋଗ ଯୋଗାଇଥିଲେ। ରଥ ଗତକାଲି ଅଧା ବାଟରେ ରହିଥିବାରୁ ଆଜି ଅପରାହ୍ନରେ ଭକ୍ତମାନେ ରଥ ଟାଣି ମାଉସୀ ମା ମନ୍ଦିରରେ ରଥ ଲଗାଇ ରଥ ଯାତ୍ରା କାର୍ଯ୍ୟ ସମ୍ପନ୍ନ କରିଥିଲେ।


