ଆଷାଢ଼ ସରିବାକୁ ବସିଲା, ନଈନାଳ ଶୁଖିଲା, ଆକାଶକୁ ଚାହିଁ ବସିଛି ଚାଷୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଷାଢ଼ ସରିବାକୁ ବସିଲା, ନଈନାଳ ଶୁଖିଲା, ଆକାଶକୁ ଚାହିଁ ବସିଛି ଚାଷୀ। ମୌସୁମୀ ଆଗମନରେ ଅହେତୁକ ବିଳମ୍ବ ଯୋଗୁଁ ଚାଷୀ ମାନେ ହତୋତ୍ସାହିତ ହୋଇପଡିଇଛନ୍ତି। ହାଟଡ଼ିହି ବ୍ଲକ୍ରେ ଚଳିତ ଖରିପ୍ ଋତୁରେ ୧୮ ହଜାର ୬୪୫ ହେକ୍ଟର ଚାଷ ଜମିରେ ଧାନ ଚାଷ ହେବାର ଲକ୍ଷ୍ୟ ରଖାଯାଇଛି। ପାଣିପାଗର ଅନୁକୂଳ ବାତାବରଣ ନଥିବାରୁ ଏ ପର୍ଯ୍ୟନ୍ତ ଜମିଗୁଡ଼ିକ ହଳ ହୋଇ ପ୍ରସ୍ତୁତ ହୋଇ ପାରୁନାହିଁ। ନା ତଳି ପକାଇବାକୁ ପ୍ରସ୍ତୁତି କରି ପାରୁଛନ୍ତି ନା ଧାନ ବୁଣି ପାରୁଛନ୍ତି ଚାଷୀ। ପାଖାପାଖି ୧୨୦ ହେକ୍ଟର ଜମିରେ ଧାନ ବୁଣା ସରିଥିଲେ ମଧ୍ୟ ଅର୍ଦ୍ଧାଧିକ ଜମିରେ ଗଜାମରୁଡି ହୋଇ ବୁଣା ଧାନ ସବୁ ନଷ୍ଟ ହୋଇଗଲା। ପାଣିପାଗ ସୂଚନାକୁ ଆଧାର କରି ଚାଷୀମାନେ ରଜ ପୂର୍ବରୁ ବୁଣି ଦେଇଥିବା ବେଳେ ଅସରାଏ ଦି ଅସରା ବର୍ଷା ପରେ ଯେଉଁ ଖରା ହେଲେ ସେଥିରେ ଧାନ ଗଜା ହୋଇ ଅତି ମାତ୍ରା ଖରାରେ ସବୁ ପୋଡିଯାଇ ନଷ୍ଟ ହୋଇଗଲା। ବ୍ଲକ୍ର ଢେଙ୍କା, ସଢା, ଜମ୍ଭୀରା, ପନ୍ଦାଡୋ, ହାଟଡ଼ିହି, ମରେଇଗାଁ, ବଡରମ୍ପାସ, ଓରାଳି, ଇଞ୍ଚୋଳ, କଳିଗାଁ, ଶାଳଣିଆ, ଡଅଁର, ସୁଲଣ, ଆଦି ପଞ୍ଚାୟତର ବିଭିନ୍ନ ଗାଁ ଜଳସେଚିତ ହୋଇଥିଲେ ମଧ୍ୟ କେନାଲ ପାଣି ଛଡା ଯାଇ ନଥିବାରୁ ସେସବୁ ଗ୍ରାମରେ ଚାଷ କାର୍ଯ୍ୟ ଆଗେଇ ପାରିନି। ଅନ୍ୟପଟେ ବାଲିବରେଇ, ପଢ଼ିଆରୀପଲ୍ଲୀ, ବାଙ୍ଗୋର, ହଦଗଡ଼, ଧନୁର୍ଜୟପୁର, ସୋସୋ, ଶାସଙ୍ଗ, ଅକରୁଆ, ବଞ୍ଚୋ, ପନ୍ଚୁଗୋଛିଆ, ଆମ୍ବୋ, ସମଣା ଆଇତିପୁର, ହାବଳେଶ୍ୱର, ଗେଡ଼ମା ଆଦି ପଞ୍ଚାୟତ ରେ ଜଳସେଚନର ସୁବିଧା ନ ଥିବାରୁ ସେମାନେ ଗ୍ରାମ ନିକଟରେ ଥିବା ନଈ, ନାଳ,ଚୁଆ, ପୋଖରୀ ଓ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି। ବିଶେଷକରି ତଳୁଆ ଅଞ୍ଚଳରେ ପ୍ରତିବର୍ଷ ବନ୍ୟା ଯୋଗୁଁ ଧାନ ଫସଲ ଧୋଇଯାଏ। ସେଥିପାଇଁ ସେହିସବୁ ଅଞ୍ଚଳରେ ଚାଷୀମାନେ ଦୁଇ ତିନିଥର ତଳି ରୋଇବାକୁ ପଡ଼ିଥାଏ। ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବିଳମ୍ବ ଘଟିଛି। ଆଷାଢ଼ ମାସ ସରିବାକୁ ବସିଲାଣି, ହେଲେ ବର୍ତ୍ତମାନ ସୁଦ୍ଧା ବର୍ଷା ନାହିଁ | ପ୍ରତିଦିନ ଆକାଶରେ କଳା ହାଣ୍ଡିଆ ମେଘ ଉଠାଉଥିଲେ ବି ବର୍ଷା ହେଉନି। ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି। କେନାଲ ସୁବିଧା ଥିବା ଅଞ୍ଚଳରେ ମଧ୍ୟ ଉପଯୁକ୍ତ ସମୟରେ ସଠିକ୍ ଜଳ ପରିଚାଳନା ହେଉ ନଥିବାରୁ ଏ ଅଞ୍ଚଳରେ ଘୋର କ୍ଷତି ହେଉଛି। ବର୍ଷା ନଥିବାରୁ ଅନେକ ଚାଷୀ ଚାଷ ଉପରୁ ମୁହଁ ଫେରାଇ ନେବାକୁ ବାଧ୍ଯ ହେଉଛନ୍ତି। ତେବେ ଜଳସମ୍ପଦ ବିଭାଗ ବିଭିନ୍ନ କେନାଲ୍ ମାନଙ୍କରେ ଥିବା ଅବ୍ୟବସ୍ଥାକୁ ସଜାଡ଼ି ଜଳସେଚନର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ଦାବି ରଖିଛନ୍ତି। ସେହିପରି ଯେଉଁ ଗ୍ରାମ ମାନଙ୍କରେ ଉଠା ଜଳସେଚନ ର ବ୍ୟବସ୍ଥା ଅଛି ସେଠାରେ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରାଇ ଜଳସେଚନର ବ୍ୟବସ୍ଥା କରିବାକୁ ଦାବି ହୋଇଛି।


