୫ ବର୍ଷ ତଳେ ଆକାଶରୁ ଝରୁଥିଲା ରକ୍ତ
ଆକାଶରୁ ବର୍ଷା ଝରିଲେ କବି କଲମରୁ କବିତା ଝରେ । ମାଟିରୁ ବାସ୍ନା ଛୁଟେ, ପଲ୍ଲବିତ ହୁଏ ବୃକ୍ଷରାଜି । ଏମିତିକା ଅନେକ ସକାରାତ୍ମକ କଥା କୁହାଯାଇପାରେ ବର୍ଷାକୁ ନେଇ । ହେଲେ ଥରେ ଚିନ୍ତା କଲେ ଯଦି ଆକାଶରୁ ବୁନ୍ଦା ବୁନ୍ଦା ବର୍ଷା ନୁହେଁ ଟୋପାଟୋପା ରକ୍ତ ଝରେ, ତାହା ହେଲେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ହେଲେ କଥାଟା ମିଛ ନୁହେଁ । ୫ ବର୍ଷ ତଳେ ଏମିତି ଘଟଣାଟିଏ ଘଟିଥିଲା ଆମ ଭାରତରେ । ଯାହାକୁ ନେଇ କେହି କବି ହୁଏତ କବିତା ଲେଖିନଥିବେ ହେଲେ ଏମିତି ରକ୍ତ ବୃଷ୍ଟିକୁ ନେଇ ସମସ୍ତଙ୍କ ମନରେ ତୁହାକୁ ତୁହା ପ୍ରଶ୍ନ ଉଠିଥିବ । ଯାହାର ଉତ୍ତର ସେଦିନ ମିଳିନଥିଲା । ଆଜିଯାଏଁ ମଧ୍ୟ ମିଳିନି । ତାହା ହେଲେ ଆସନ୍ତୁ ଜାଣିବା କ’ଣ ଥିଲା ପୂରା ଘଟଣା ।
ଇତିହାସର ପୃଷ୍ଠା ଲେଉଟାଇଲେ ଆମେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ପାଇବା । କିଛି ଘଟଣା ଏପରି ଭୟଙ୍କର ଯେ, ହଠାତ୍ ତାହା ଉପରେ ବିଶ୍ୱାସ କରିବା କଷ୍ଟକର । ୨୦୧୩ ମସିହାରେ କେରଳ ଆକାଶରେ ଘୋଟିଥିଲା କଳାମେଘ । ଝରିଥିଲା ନାଲି ରଙ୍ଗର ବର୍ଷା । ସାଧାରଣ ଲୋକଙ୍କ ପାଇଁ ଏସବୁ ବୁଝିବା କଷ୍ଟକର ଥିଲା । କିନ୍ତୁ ଏହି ରକ୍ତ ବର୍ଷା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଏହା ପ୍ରକୃତରେ ରାଗ ଥିଲା ନା ରୂପ, ତାହାକୁ ନେଇ ସମସ୍ତେ ଚିନ୍ତିତ ହୋଇଯାଇଥିଲେ । ବୈଜ୍ଞାନିକ ମଧ୍ୟ ଏହାର କାରଣ ଜାଣିପାରିଲେ ନାହିଁ । ପ୍ରଥମେ ବୈଜ୍ଞାନିକମାନଙ୍କୁ ଲାଗିଲା କି ଆକାଶରୁ ରଙ୍ଗବେରଙ୍ଗ ପାଣି ବାହାରିବା କିଛି ବଡ କଥା ନୁହେଁ । ଏହା ବର୍ଷା ଓ ପ୍ରଦୂଷଣ ପାଇଁ ହୋଇଥାଇପାରେ । ଶୁଣାଗଲା ଏହା କେବଳ ନାଲି ପାଣି ନୁହେଁ ଅନ୍ୟ କିଛି । ହୋଇଥାଇପାରେ ରକ୍ତ । କିନ୍ତୁ ବୈଜ୍ଞାନିକମାନେ ଏହି ପାଣି ନେଇ ପରୀକ୍ଷା କରିବା ପରେ ଯେମିତି କିଛି ଜଣାପଡିଲା ନାହିଁ । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହାର ପରୀକ୍ଷା କରାଯିବା ପରେ ଜଣାପଡିଲା ଯେ ଏହି ନାଲି ପାଣି ସହ ଏଲିଅନମାନଙ୍କ ସଂଯୋଗ ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହା ପ୍ରମାଣ ହୋଇନି । ଜଣେ ଅଷ୍ଟ୍ରିୟ ବୈଜ୍ଞାନିକ ଏହି ପାଣିର ପରୀକ୍ଷା କରିବା ପରେ ଜଣାପଡ଼ିଲା ଯେ ସୂକ୍ଷ୍ମ ଶୈବାଳର ବୀଜାଣୁ ପାଇଁ ଏମିତି କିଛି ରକ୍ତ ବର୍ଷା ହେଉଛି । ଆଉ ଏକ କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏଠାରେ ଏମିତି ବର୍ଷା ଏବେ ସାଧାରଣ ହୋଇଗଲାଣି । କେରଳ ଏବଂ ଶ୍ରୀଲଙ୍କାରେ ଏହି ରକ୍ତ ବର୍ଷା ୧୮୯୬ରୁ ଏପର୍ଯ୍ୟନ୍ତ ମଝିରେ ମଝିରେ ଲାଗି ରହୁଛି ।


