୬ଷ୍ଠରୁ ୮ମ ଶ୍ରେଣୀ ବିଦ୍ୟାଳୟ ଖୋଲିବାକୁ ନେଇ ମୁଣ୍ଡ ଟେକିଛି ବିବାଦ
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଥିବା ବେଳେ, ଏବେ ୬ଷ୍ଠରୁ ୮ମ ଶ୍ରେଣୀ ବିଦ୍ୟାଳୟ ଖୋଲିବା ଉପରେ ବିଚାର ଚାଲିଛି । ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତା’ପରେ ବି ପ୍ରାଥମିକ ବିଦ୍ୟାଳୟର ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବାକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍ସିପିସିଆର) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଆଜି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଓଡ଼ିଶା ଅଭିଭାବକ ମହାସଂଘ ଏଭଳି ପ୍ରସ୍ତାବକୁ ବିରୋଧ କରିଛି। ଶିଶୁଙ୍କ ପ୍ରତି ବିପଦ ରହିଥିବା ବେଳେ ଏଭଳି ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।


