ଥାଲାସେମିଆ ଓ ରକ୍ତଶିକୁଳି ରୋଗ ପରୀକ୍ଷା ପରେ ଏସ୍‌ସିବିରେ ୨୦୦ରୁ ୨୦ ଭ୍ରୂଣ ନଷ୍ଟ କରାଗଲା

କଟକ(ଓ୍ବାଇଏନଏସ): ଥାଲାସେମିଆ ଓ ରକ୍ତଶିକୁଳି ରୋଗ ବଂଶଗତ ହୋଇଥିବାରୁ ଗର୍ଭାବସ୍ଥାରେ ପ୍ରସୂତିଙ୍କ କୋରିଓନିକ୍ ଭିଲସ୍ ସାମ୍ପଲିଂ(ସିଭିଏସ୍) ପରୀକ୍ଷା ମାଧ୍ୟମରେ ଏହି ରୋଗର ଚିହ୍ନଟ କରି ଭ୍ରୂଣ ନଷ୍ଟ କରିବାକୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍‌ସିବି ମେଡିକାଲ କଲେଜର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ କୋରିଓନିକ୍ ଭିଲସ୍ ସାମ୍ପଲିଂ(ସିଭିଏସ୍) ପରୀକ୍ଷା ମାଧ୍ୟମରେ ମୋଟ ୨୦୦ ପ୍ରସୂତିଙ୍କ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ ପ୍ରସୂତିଙ୍କ ଗର୍ଭସ୍ଥ ଶିଶୁ ଥାଲାସେମିଆ ଓ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଫଳରେ ବିଭାଗ ପକ୍ଷରୁ ଭ୍ରୂଣ ନଷ୍ଟ କରାଯାଇଛି। ଥାଲାସେମିଆ ରୋଗୀର ରକ୍ତରେ ହିମୋଗ୍ଲୋବିନ୍ ପରିମାଣ କମିଯାଏ। ଯେଉଁମାନଙ୍କ ଜିନ୍‌ରେ ଏହି ରୋଗ ଅଳ୍ପ ମାତ୍ରାରେ ରହିଥାଏ ସେମାନଙ୍କୁ ଥାଲାସେମିଆ ମାଇନର୍ କୁହାଯାଏ। କିନ୍ତୁ ଯଦି ଉଭୟ ସ୍ବାମୀ ଓ ସ୍ତ୍ରୀ ଥାଲାସେମିଆ ମାଇନର୍‌ ହୋଇଥାନ୍ତି ତେବେ ସେମାନଙ୍କ ଗର୍ଭସ୍ଥ ଶିଶୁ ଥାଲାସେମିଆରେ ପୀଡ଼ିତ ହେବାର ସମ୍ଭାବନା ଥାଏ। ଗର୍ଭବତୀ ମହିଳାଙ୍କ ଗର୍ଭର ପ୍ରଥମ ମାସରେ ଏଚ୍‌ପିଏଲ୍‌ସି(ହାଇ ପରଫର୍ମାନ୍ସ ଲିକ୍ୟୁଡି କ୍ରୋମାଟୋଗ୍ରାଫି) ରକ୍ତ ପରୀକ୍ଷା ଆରମ୍ଭ ହୋଇଛି। ଯଦି ମହିଳାଙ୍କ ଜିନ୍‌ରେ ସମସ୍ୟା ଥାଏ ତେବେ ତାଙ୍କ ସ୍ବାମୀଙ୍କ ରକ୍ତ ମଧ୍ୟ ଏଚ୍‌ପିଏଲ୍‌ସି ଦ୍ବାରା ପରୀକ୍ଷା କରାଯାଉଛି। ଯଦି ଉଭୟଙ୍କ ଜିନ୍‌ରେ ଏହି ଦୋଷ ଥାଏ ତେବେ ଗର୍ଭସ୍ଥ ଶିଶୁର ଅବସ୍ଥା ଜାଣିବା ପାଇଁ କୋରିଓନିକ୍ ଭିଲସ୍ ସାମ୍ପଲିଂ(ସିଭିଏସ୍) ପରୀକ୍ଷା କରାଯାଉଛି। ଏହି ପରୀକ୍ଷା ଗର୍ଭ ରହିବାର ୧୨ରୁ ୧୪ ସପ୍ତାହ ବା ପ୍ରଥମ ତିନିରୁ ଚାରି ମାସ ମଧ୍ୟରେ କରାଯାଏ। ଏହି ପରୀକ୍ଷାରେ ଅଲ୍‌ଟ୍ରାସାଉଣ୍ଟ ସାହାଯ୍ୟରେ ଛୁଞ୍ଚି ଦ୍ବାରା ଗର୍ଭସ୍ଥ ଶିଶୁର ଫୁଲରୁ ମାଂସ କାଢ଼ି ବାୟୋକେମିଷ୍ଟ୍ରି ବିଭାଗରେ ଥିବା ଜେନେଟିକ୍ ଲାବୋରେଟୋରିରେ ପରୀକ୍ଷା କରାଯାଉଛି। ଯଦି ଶିଶୁ ଥାଲାସେମିଆ ରୋଗରେ ଆକ୍ରାନ୍ତ ହେବାର ଜଣାପଡ଼ୁଛି, ତେବେ ଗର୍ଭକୁ ନଷ୍ଟ କରାଯାଉଛି। ରକ୍ତଶିକୁଳି ରୋଗରେ ମଧ୍ୟ ସମାନ ପ୍ରକ୍ରିୟା କରାଯାଉଛି। ଏସ୍‌ସିବି ମେଡିକାଲ କଲେଜର ତଥ୍ୟ ମୁତାବକ, ପଶ୍ଚିମ ଓଡ଼ିଶାରୁ ଆସୁଥିବା ପ୍ରସୂତି ମହିଳାଙ୍କ ଗର୍ଭରେ ଥିବା ଶିଶୁଙ୍କ ରକ୍ତଶିକୁଳି ରୋଗ ଚିହ୍ନଟ ହୋଇଥିବା ବେଳେ ଉପକୂଳ ଜିଲ୍ଲାର ପ୍ରସୂତିଙ୍କ ଥାଲାସେମିଆ ଚିହ୍ନଟ ହେଉଛି। ଘରୋଇ ଡାକ୍ତରଖାନାରେ ଏଥିପାଇଁ ପାଖାପାଖି ୩୦ରୁ ୪୦ ହଜାର ଟଙ୍କା ସିଭିଏସ୍ ପାଇଁ ଖର୍ଚ୍ଚ ହେଉଥିବା ବେଳେ ଏସ୍‌ସିବି ଓ ଭିମ୍‌ସାରରେ ଏହି ପରୀକ୍ଷା ମାଗଣାରେ ଆରମ୍ଭ ହୋଇଥିବା ଏସ୍‌ସିବି ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସସ୍ମିତା ସ୍ବାଇଁ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ