ପ୍ରଦୂଷଣ ସାର୍ଟିଫିକେଟ୍‌ ନଥିଲେ ତେଲ ମନା: ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ମାମଲା

କଟକ,(ଓ୍ବାଇଏନଏସ): ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ୍ ପମ୍ପ୍‌ରୁ ତେଲ ମିଳିବ ନାହିଁ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଏଭଳି ଏକ ବିଜ୍ଞପ୍ତି ସମ୍ପୂର୍ଣ୍ଣ ବେଆଇନ ତଥା ସମ୍ବିଧାନ ବିରୋଧୀ ଏବଂ ଏହି ବିଜ୍ଞପ୍ତି ଜରିଆରେ ମନମୁଖି ଭାବେ ଏହି ନିଷ୍ପତ୍ତିକୁ ସାଧାରଣ ଲୋକଙ୍କ ଉପରେ ଲଦି ଦିଆଯାଇଛି ବୋଲି ପିଟିସନ୍‌ରେ ଅଭିଯୋଗ କରାଯାଇଛି । ତେଣୁ ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀ ଭୁବନେଶ୍ୱରର ସ୍ନିଗ୍ଧା ପାତ୍ର ତାଙ୍କ ପିଟିସନ୍‌ ପ୍ରାର୍ଥନା କରିଛନ୍ତି। ଆବେଦନକାରିଣୀ ତାଙ୍କ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ଜଣେ ବ୍ୟକ୍ତି ଯେତେବେଳେ ଗାଡ଼ି କିଣୁଛନ୍ତି ସେତେବେଳେ ଇନ୍ସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍ ଆଦି ତାଙ୍କର ରହିଥାଏ । ଯେତେବେଳେ ପ୍ରଦୂଷଣ ସାର୍ଟିଫିକେଟ୍ ସମୟ ସୀମା ଶେଷ ହୋଇଯାଏ ସେତେବେଳେ ଗାଡ଼ି କ୍ରେତା ସାର୍ଟିଫିକେଟ୍ ନବୀକରଣ କରିବାକୁ ବାଧ୍ୟ । ଯିଏ ଏହି ସାର୍ଟିଫିକେଟ୍ ହାସଲ ନକରିବେ ସେମାନଙ୍କ ବିରୋଧରେ ମୋଟରଯାନ ଆଇନରେ ମାମଲା ରୁଜୁ କରାଯାଇ ପାରିବ । କିନ୍ତୁ ଏସ୍‌ଟିଏ ପକ୍ଷରୁ ନିକଟରେ ଏକ ବିଜ୍ଞପ୍ତି ଜାରି କରାଯାଇ ଯେଉଁମାନେ ନିଜ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ କରିନଥିବେ ବା ସେମାନଙ୍କ ପାଖରେ ବୈଧ ସାର୍ଟିଫିକେଟ୍ ନଥିବ ସେମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ୍ ମିଳିବ ନାହିଁ ବୋଲି କୁହାଯାଇଛି । ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ପ୍ରଦୂଷଣ କରୁଛନ୍ତି ତାଙ୍କ ଉପରେ ଜରିମାନା କରାଯାଇପାରିବ । ଜରିମାନା ନଦେଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । କିନ୍ତୁ ଗାଡ଼ିରେ ତେଲ ଦିଆଯିବ ନାହିଁ ବୋଲି କୌଣସି ନିୟମ ନାହିଁ । ଯେଉଁ ଗାଡ଼ିଗୁଡ଼ିକ ଏହି ପ୍ରଦୂଷଣ ସାର୍ଟିଫିକେଟ୍ କରିବାକୁ ଚାହୁଁଛନ୍ତି ସେମାନଙ୍କର ବକେୟା ଥିବା ଚାଲାଣ ବା ଜରିମାନା ଅର୍ଥ ଦେବା ପରେ ଯାଇ ଏହି ସାର୍ଟିଫିକେଟ୍ ମିଳିବ ବୋଲି ବାଧ୍ୟତାମୂଳକ କରାଯାଇଛି । ଏଭଳି ନିଷ୍ପତ୍ତି ମଧ୍ୟ ସମ୍ପୂର୍ଣ୍ଣ ବେଆଇନ ବୋଲି ଆବେଦନକାରିଣୀଙ୍କ ପକ୍ଷରୁ ଦର୍ଶଯାଇଛି । ଉଭୟ କେନ୍ଦ୍ରୀୟ ମୋଟରଯାନ ଆଇନ ଏବଂ ରାଜ୍ୟ ମୋଟରଯାନ ଆଇନରେ ଏଭଳି କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ଏସ୍‌ଟିଏର ଏଭଳି ନିଷ୍ପତ୍ତିକୁ ରଦ୍ଦ କରାଯିବା ସହ ସାଧାରଣ ଲୋକଙ୍କୁ ନିର୍ଯାତନାରୁ ମୁକ୍ତି ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀ ପ୍ରାର୍ଥନା କରିଛନ୍ତି । ମାମଲାରେ ପରିବହନ ବିଭାଗ ସଚିବ, ଏସ୍‌ଟିଏ କମିସନର, ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ, ଆଇଓସିଏଲ୍, ବିପିସିଏଲ୍, ଏଚ୍‌ପିସିଏଲ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ସେଲ୍ ଇଣ୍ଡିଆ ମାର୍କେଟ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରମୁଖ ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ମାମଲା ରୁଜୁ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ