ସଙ୍ଗରୋଧ କେନ୍ଦ୍ରରେ ସ୍ୱାସ୍ଥ୍ୟ ସୁରକ୍ଷା ଖାଦ୍ୟ ପେୟ ଓ ସ୍ୱଛ ପରିମଳ ରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ଏହି ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା,ଉତ୍ତମ ମାନର ଖାଦ୍ୟପେୟ ଓ ସେଠାରେ ସ୍ୱଛ ପରିମଳ ରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ୧୪ଦିନିଆ ସଙ୍ଗରୋଧ ସମୟ ଶେଷ କରି ଫେରିଥିବା ଅନ୍ତେବାସୀଙ୍କ ଅଭିଯୋଗ ଅନୁଯାଇ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀମାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । କିନ୍ତୁ ସେମାନଙ୍କୁ ସରକାରଙ୍କ ସାପ୍ତାହିକ ଖାଦ୍ୟ ମେନୁ ଅନୁଯାଇ ଅଧିକାଂଶ କେନ୍ଦ୍ରରେ ଖାଦ୍ୟ ପ୍ରଦାନ କରାନଯାଇ କେବଳ ଭାତ ଡାଲମା ଦିଆଯାଉଛି,ସ୍ୱଛ ଓ ପରିମଳ ପ୍ରତି ଉଚିତ ଧ୍ୟାନ ଦିଆଯାଉନାହିଁ,୩୦ଜଣ ଅନ୍ତେବାସୀଙ୍କ ପାଇଁ ଗୋଟିଏ ପାଇଖିନାର ବ୍ୟବସ୍ଥା ରହିଛି,ଖାଇବା ପାଇଁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି,ଧାର୍ଯ୍ୟ ଦିନ ଠାରୁ ଅଧିକ ଦିନ ରହିବାକୁ ବାଧ୍ୟ କରାଯାଉଛି, ଅନ୍ତେବାସୀଙ୍କ ପ୍ରତି ଆଶାଳିନ ମନ୍ତବ୍ୟ ସେମାନଙ୍କ ମାନବୀକ ଅଧିକାରକୁ ଉଲ୍ଲଙ୍ଘନ କରୁଛି,ଗୋଟିଏ କେନ୍ଦ୍ର ଏମିତିକି ଗୋଟିଏ ଗୃହରେ ପୁରୁଷ ଓ ମହିଳାଙ୍କୁ ରଖାଯିବା ଦ୍ୱାରା ସେମାନଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ନିମ୍ନମାନର ଖାଦ୍ୟ ଓ ସ୍ୱଛତା ସେମାନଙ୍କ ମାନବୀକ ଅଧିକାରକୁ ହାନି କରୁଛି ବୋଲି ଅଭିଯୋଗ କରାଯାଇଛି । ତେଣୁ ଏସବୁ ଅଭିଯୋଗର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଙ୍ଘ । ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ସଭାପତି ଫକିର ଚରଣ ଖଟୁଆ ଓ ସମ୍ପାଦକ ବିଧୁଭୂଷଣ ମହାପାତ୍ର ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।


