ଭାରତୀୟ ନୌସେନା ଦିବସ-୨୦୨୦ ପାଳିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଡିସେମ୍ବର ୪ ତାରିଖ ଭାରତୀୟ ନୌସେନା ଦିବସ ଉପଲକ୍ଷେ ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ଭାରତୀୟ ନୌସେନା ଦିବସ-୨୦୨୦ ଗତ ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର(ପଟିଆ) ସ୍ଥିତ ହୋଟେଲ “ବାଏ ଦ ୱେ” ରେ କୋଭିଡ-୧୯ ନିୟମ ଅନୁସାରେ ପାଳିତ ହୋଇଯାଇଛି । ଏଥିରେ ପୂର୍ବତନ ବାୟୁସୈନିକ ତଥା ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର ପ୍ରସାଦ ମିଶ୍ର, ପ୍ରତିରକ୍ଷା ବିଶେଷଜ୍ଞ ତଥା ପୂର୍ବତନ ବ୍ୟୋମଯାନ ଚାଳକ ଅନୀଲ ଧୀର,  ବରିଷ୍ଠ ପୂର୍ବତନ ବାୟୁସେନା ଅଧିକାରୀ ଗ୍ରୁପ କ୍ୟାପଟେନ ଜଗଦାନନ୍ଦ ବ୍ରହ୍ମା, ପୂର୍ବତନ ଉଇଙ୍ଗ କମାଣ୍ଡର ପ୍ରଭାସ ପଟ୍ଟନାୟକଙ୍କ  ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଭେଟେରାନ୍ସ କ୍ଲବ ଓଡ଼ିଶାର ସଦସ୍ୟ ମାନେ ଏହି ନୌସେନା ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ କରି ଭେଟେରାନ୍ସ କ୍ଲବ ଓଡ଼ିଶାର ସାଧାରଣ ସମ୍ପାଦକ ବିଭୁପ୍ରସାଦ ସ୍ୱାଇଁ ନୌସେନା ଦିବସର ପୃଷ୍ଠଭୂମି ଏବଂ ଏହାକୁ ଏକ ଜାତୀୟ ଉତ୍ସବ ରୂପେ ପାଳନ କରିବାର ସାମୁହିକ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଭେଟେରାନ୍ସ କ୍ଲବ ଓଡ଼ିଶାର ସଭାପତି ଭେଟେରାନ୍ ବିଦ୍ୟାଧର ନାୟକ ଏହି କ୍ଲବର ବିଶାଳ ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟକ୍ରମ ଯୋଜନା ଉପରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ଓଡ଼ିଶାର ବୀର ସୈନିକମାନଙ୍କ ପ୍ରତି ସମ୍ମାନ ଜଣାଇ ଏକ ବିଶାଳ ବିଶ୍ୱସ୍ତରୀୟ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା କରିବାର ଯେଉଁ ମହାନ୍ ଲକ୍ଷ୍ୟ ନେଇ ଭେଟେରାନ୍ସ କ୍ଲବ ଓଡ଼ିଶା ଅଗ୍ରସର ହୋଇଛି ତା’ର ସଫଳ ରୂପାୟନ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୁଇ ଏକର ଜାଗା ଅନୁମୋଦନ କରିଥିବାରୁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ । ପ୍ରଶାସନିକ ସ୍ତରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥିରୀକୃତ ସ୍ଥାନରେ ରାଜସ୍ବ ଅଧିକାରୀଙ୍କ ଅନୁମୋଦନ ଲାଭ କରି ନିର୍ଦ୍ଦେଶନାମାଟି ପୁନଃ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିବାରୁ ସେ ନିଜର ସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାର ଖୁବଶୀଘ୍ର ଭେଟେରାନ୍ସ କ୍ଲବକୁ ଜାଗା ହସ୍ତାନ୍ତର କରିବେ ବୋଲି ଆଶାପୋଷଣ କରୁଥିବାର ସୂଚନା ଦେଇଥିଲେ । ଓଡ଼ିଶାର ସୁପରିଚିତ ପ୍ରତିରକ୍ଷା ବିଶେଷଜ୍ଞ ଅନୀଲ ଧୀର ମହୋଦୟ ରାଜ୍ୟରେ ଏହି ପ୍ରସ୍ତାବିତ ଯୁଦ୍ଧ ସ୍ମାରକୀ ଏବଂ ଯୁଦ୍ଧ ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଖୁବ୍ ଆଶାବାଦୀ ଆଭିମୁଖ୍ୟ ପ୍ରକଟ କରିବା ସହ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଆ ବୀର ସୈନିକଙ୍କ ଏକ ଗୌରବମୟ ଗାଥା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜରେ କେବଳ ଓଡ଼ିଶାର ୧୫୦୦ରୁ ଉର୍ଦ୍ଧ୍ବ ବୀର ସୈନିକ ଯୋଗଦାନ କରି ନିଜର ପ୍ରାଣବଳି ଦେଇଥିବା ପ୍ରସଙ୍ଗ ସେ ବର୍ଣ୍ଣନା କରିଥିଲେ । ପ୍ରସ୍ତାବିତ ଯୁଦ୍ଧ ସ୍ମାରକୀରେ ଏ ସମ୍ପର୍କିତ ସବିଶେଷ ତଥ୍ୟ ସଂଗ୍ରହ କରି ରଖି ପାରିଲେ ତାହା ସମଗ୍ର ଓଡ଼ିଶା ତଥା ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହେବ ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭେଟେରାନ୍ ରବୀନ୍ଦ୍ର ପଟ୍ଟନାୟକ, ଅଜୟ କୁମାର ନାୟକ, ହର ପ୍ରସାଦ ଦୋରା, ସମରେନ୍ଦ୍ର ପରିଜା, କୁଳମଣି ପରିଡ଼ା, ଶେଷଦେବ ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ, ରବୀନ୍ଦ୍ର କୁମାର ସାହୁ(ସେନା ପଦକପ୍ରାପ୍ତ), ଗୋପୀନାଥ ମିଶ୍ର, ଦିଲ୍ଲୀପ କୁମାର ସାହୁ, କାଳୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ