ଶୁଭୁନି ବେଙ୍ଗ ମାନଙ୍କ କେଁ କଟର ଶବ୍ଦ

ନିମାପଡ଼ା,(ସନ୍ତୋଷ ଦାଶ):ଆରମ୍ଭ ହୋଇଯାଇଛି ବର୍ଷା ଋତୁ। ଦିନ ଥିଲା ବର୍ଷା ଋତୁରେ ସଂଧ୍ୟା ହେବାକ୍ଷଣି ବେଙ୍ଗ ମାନଙ୍କ କେଁ କଟର ଶବ୍ଦ ରେ କାନ ଫାଟି ପଡ଼ୁଥିଲା। ପ୍ରକୃତିପ୍ରେମୀ ଶୋଭାକର ବେହେରା କୁହନ୍ତି ବର୍ଷା ଋତୁ ହେଉଛି ବେଙ୍ଗ ମାନଙ୍କ ସଙ୍ଗମ ଓ ପ୍ରଜନନ ସମୟ। ଉଭୟ ଅଣ୍ଡିରା ଓ ମାଈ ବେଙ୍ଗ ନିଜ ସାଥୀକୁ ଆକୃଷ୍ଟ କରିବାକୁ ଭିନ୍ନ ଭିନ୍ନ ଶବ୍ଦ କରିଥାନ୍ତି। ବର୍ଷା ଋତୁରେ ରାସ୍ତା କଡ ଜୋର ଠାରୁ ଆରମ୍ଭ କରି ପୋଖରୀ, ନାଳ ସବୁ ଆଡ଼େ ପାଣି ଜମି ରହିଥାଏ। ସେହି ପାଣି ଭିତରେ ରହି ବେଙ୍ଗ ମାନେ କେଁ କଟର ଶବ୍ଦ କରିଥାନ୍ତି।
ଏବେ ଚାଷୀ ମାନେ ବିଲରେ ବିଭିନ୍ନ ଉନ୍ନତ ମାନର ରାସାୟନିକ ସାର, କୀଟନାଶକ ଔଷଧ ବ୍ୟବହାର କରୁ ଥିବାବେଳେ ପ୍ରାୟ ସବୁ ପରିବାର ଫିନାଇଲ, ସର୍ଫ, ସାବୁନ ବ୍ୟବହାର କରୁଛନ୍ତି। ଏଣୁ ଏହାର ବିଷ ପ୍ରଭାବ ରେ ଘରେ ରହୁଥିବା ଲୁଣି ବେଙ୍ଗ ଠାରୁ ଆରମ୍ଭ କରି ପୋଖରୀ ରେ ରହୁଥିବା ପାଣି ବେଙ୍ଗ, ଜୋର ଓ ନାଳ ରେ ରହୁଥିବା ବ୍ରାହ୍ମଣିଆଁ ବେଙ୍ଗ ସବୁ ଲୋପ ପାଇବାକୁ ବସିଲାଣି। ଏଣୁ ଏବେ ବର୍ଷା ଋତୁ ହୋଇଥିଲେ ମଧ୍ୟ ଗାଁ ଗଣ୍ଡା ରେ ଆଉ ଶୁଣିବାକୁ ମିଳୁନି ବେଙ୍ଗ ମାନଙ୍କ କେଁ କଟର ଶବ୍ଦ। ବେଙ୍ଗ ଗୋଟିଏ ଉଭୟଚର ପ୍ରାଣୀ। ଉଭୟ ଘରେ, ବାଡ଼ିରେ, ବିଭିନ୍ନ ପାଣି ଜମିଥିବା ସ୍ଥାନ ରେ ବେଙ୍ଗ ମାନଙ୍କୁ ଦେଖିବାକୁ ମିଳେ। ଏମାନେ ଅନିଷ୍ଠକାରୀ କୀଟପତଙ୍ଗ ମାନଙ୍କୁ ଖାଇ ପରିବେଶର ସୁରକ୍ଷା କରିଥାନ୍ତି। ଏବେ ଏମାନେ ଲୋପ ପାଇବାକୁ ବସିଲେଣି। ସମସ୍ତଙ୍କୁ ଚିନ୍ତା କରିବାର ସମୟ ଆସିଛି। ଯଦି ଆମେ ରାସାୟନିକ ସାର, କୀଟନାଶକ ଔଷଧ ବ୍ୟବହାର ଉପରେ ନିୟନ୍ତ୍ରଣ ନ ରଖିବା ତେବେ ସମୟ ଆସିବ ଆଉ ପରିବେଶର ବନ୍ଧୁ କୁହାଯାଉଥିବା ବେଙ୍ଗଙ୍କୁ ଦେଖିବାକୁ ପାଇବାନାହିଁ ବୋଲି କହିଛନ୍ତି ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ପରିବେଶବିତ ଜ୍ଞାନ ରଞ୍ଜନ ବିଶ୍ବାଳ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ