ଗଜପତିରେ ଉଦ୍ଘାଟିତ ହେଲା ଉଡାନ-୨ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଜିଲା ପୋଲିସ ପକ୍ଷରୁ ଉଡାନ-୨ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହ। ଦ୍ୱାରା ଜିଲାର ବେକାର ଯୁବକ ଯୁବତୀମାନେ ବିଭିନ୍ନ ପ୍ରଶିକ୍ଷଣ ନେଇ ସେମାନେ ନିଜକୁ ପୋଲିସ ବାହିନୀ ଏବଂ ସାମରିକ ବାହିନୀରେ ଭର୍ତ୍ତୀ ହେବାପାଇଁ ପ୍ରସ୍ତୁତି କରିପାରିବେ ବୋଲି କୁହା ଯାଇଛି । ପୂର୍ବରୁ ମଧ୍ୟ ଜିଲା ପୋଲିସ ପକ୍ଷରୁ ଏହିପରି ଉଡାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେଥିରେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳର ବେକାର ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହିପରି ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ଦ୍ୱାରା ଜିଲାର ଯୁବକଯୁବତୀମାନେ ପୋଲିସ ଏବଂ ସାମରିକ ବାହିନୀରେ ଭର୍ତ୍ତୀହେବାପାଇଁ ଉତ୍ସାହିତ ହୋଇପାରିବେ ଏବଂ ସେମାନେ ଏହି ସବୁ କ୍ଷେତ୍ରରେ ଅନ୍ୟ ମାନଙ୍କ ଠାରୁ ଆଗୁଆ ରହିବେ ବୋଲି ଜଣାପଡିଛି । ଗଜପତି ଜିଲା ପୋଲିସ ପକ୍ଷରୁ ଏହିପରି ପ୍ରଶିକ୍ଷଣ ଶିବିର ଆୟୋଜନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏଥିପାଇଁ ପୋଲିସ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଅନୁପମ ସାହା, ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ରିଜର୍ଭ ଇନ୍ସପେକ୍ଟର ଡମ୍ବରୁଧର ହନାଗା ପ୍ରମୁଖଙ୍କ ସହ ବହୁ ଜିଲାସ୍ତରୀୟ ଅଧିକାରୀ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତଥିଲେ ।


