ଟୋକେନ ପାଇଁ ଚିନ୍ତାରେ ଚାଷୀ
ବେଲଗୁଣ୍ଠା,( ଶିବାରାମ ଚୌଧୁରୀ ) : ଫେଲ୍ ମାରିଛି ସରକାରଙ୍କ ଧାନକିଣା ନୀତି ।ନୁଆ ନିୟମକୁ ନେଇ ଚାଷୀ ମାନେ ଦ୍ୱନ୍ଦରେ ପଡିଥିବା ବେଳେ ଚାଷୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସମବାୟ ସମ୍ପାଦକ ମାନେ ।ଏହା ସହ ଧାନର ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହୋଇଛି ।ବଡ ବଡ ଚାଷୀଙ୍କ ଏକାଧିକ ବାର ଟୋକେନ୍ ଆସିଥିବା ବେଳେ ବାରମ୍ବାର ଆବେଦନ ସତ୍ତ୍ୱେ ଛୋଟ ଚାଷୀଙ୍କୁ ମିଳୁନାହିଁ ଟୋକେନ୍ ।ଧାନ ରଖିବା ପାଇଁ ସ୍ଥାନର ଅଭାବ ରହିଥିବା ଦେଖିବା ପାଇଁ ମିଳୁଛି ।ଏହି ଚିତ୍ର ହେଉଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ।ସରକାରଙ୍କ ତୃଟି ପୁର୍ଣ୍ଣ ନୀତି ଯୋଗୁଁ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଧାନକୁ ଆନ୍ଧ୍ର ବେପାରୀଙ୍କୁ ଟେକି ଦେବା ପାଇଁ ବାଧ୍ୟ ହେଉଛନ୍ତି ।ପରିଶ୍ରମ ତୁଳନାରେ ପ୍ରାପ୍ୟ କମ୍ ମିଳିବା ସହ ଲାଭ ବି ପାଇପାରୁନାହାନ୍ତି ଚାଷୀ ।ଧାର୍ଯ୍ୟ କରାଯାଇଥିବା ସରକାରୀ ଦରରୁ କମ୍ ମୁଲ୍ୟରେ ଚାଷୀ ଧାନ ବିକ୍ରି କରୁଛନ୍ତି ।ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନେ ନୀରବ ଦ୍ରଷ୍ଟା ସାଜିଛନ୍ତି ।ଦୈନିକ ବେଲଗୁଣ୍ଠା ବ୍ଲକ ର ଅଠରଟି ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରୁ ପ୍ରାୟ୪୦ରୁ ୫୦ଧାନ ଗାଡି ଆନ୍ଧ୍ରା ଚାଲାଣ ହେଉଥିବା ବେଳେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୁଲ୍ୟରେ ଧାନ କିଣିବା ପାଇଁ ବ୍ଲକ ଓ ଏନ୍.ଏ.ସି ରେ ଥିବା ୧୪ଟି ସେବା ସମବାୟ ସମିତି ସହ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ନିୟୋଜିତ କରାଯାଇଛି ।ଏବଂ ୧୪ଟି ମିଲର ଏହି ଧାନକୁ ନେବା ପାଇଁ ପଞ୍ଜିକୃତ ହୋଇଛନ୍ତି ।କିନ୍ତୁ ଧାନ କିଣିବା ପାଇଁ ବହୁ ନୀତି ନିୟମ ଯୋଗୁଁ ଧାନ କିଣାରେ ବାଧା ଉପୁଜୁଛି ।ଚାଷୀ କୁଇଣ୍ଟାଲ ପିଛା ୧୮୧୫ଟଙ୍କା ପରିବର୍ତ୍ତେ ନଗଦ ୧୩୦୦ ଓ ବାକି ରେ ୧୩୫୦ ଟଙ୍କା ରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ।ନୁତନ ଭାବେ ପ୍ରଚଳିତ ଅନ୍ଲାଇନ୍ ଟୋକେନ୍ ବ୍ୟବସ୍ଥା କାରଣରୁ ଏଭଳି ସମାସ୍ୟା ଉପୁଜିଥିବା ଜଣାପଡିଛି ।ଆଜି ସୁଦ୍ଧା ବେଲଗୁଣ୍ଠା ବ୍ଳକ୍ ଓ ଏନ୍.ଏ.ସି ରେ ୫୮୭୮ଟି ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିବା ବେଳେ ଧାନ ବିକ୍ରି କରିବା ପାଇଁ ରେଡି ହୋଇଥିବା ନେଇ ୨୫୪୦ଚାଷୀ ଟୋକେନ୍ ପାଇଁ ଆବେଦନ କରିଥିଲେ ।ତନ୍ମଧ୍ୟରୁ ୮୯୯ଚାଷୀଙ୍କୁ ମିଳିଛି ଟୋକେନ୍ ।୪୬୯୭୧ କୁଇଣ୍ଟାଲ ୩୬କେଜି ଧାନ ମଣ୍ଡି ମାଧ୍ୟମରେ ବିକ୍ରି କରିଥିବା ବେଳେ ବଡ଼ ଚାଷୀ ୭୨୨ଜଣ ଥିବା ବେଳେ ୧୭୭ଜଣ କ୍ଷୁଦ୍ର ଚାଷୀ ଅନ୍ତଭୁକ୍ତ ।ବାରମ୍ବାର ବଡ ଚାଷୀ ଙ୍କର ଟୋକେନ୍ ଆସୁଥିବା ବେଳେ ବହୁ କ୍ଷୁଦ୍ର ଚାଷୀଙ୍କୁ ଟୋକେନ୍ ମିଳୁ ନଥିବାରୁ ସେବା ସମବାୟ ସମିତିର ସମ୍ପାଦକମାନେ ଏମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି ।ଟୋକେନ୍ ମିଳିବାର ପନ୍ଦର ଦିନ ମଧ୍ୟରେ ଚାଷୀ ଧାନ ବିକ୍ରି ନ କଲେ ଟୋକେନ୍ ଲାପ୍ସ ହୋଇଯାଉଥିବାରୁ ଏ ଆଉ ଏକ ସମାସ୍ୟା ଦେଖାଦେଇଛି ।ଅନ୍ୟ ପକ୍ଷରେ ବଡପଡା ପଞ୍ଚାୟତରେ ଧାନ କିଣିବା ପାଇଁ ମା ଉଖୁଡେଇ ସ୍ୱୟଂ ସହାୟକ ଗୋଷ୍ଠୀ ଓ ନୁଆଗାଁ ପଞ୍ଚାୟତରେ ମହାବିର ମହିଳା ଗୃପ୍ କୁ ଅନୁମତି ମିଳିଛି ।କିନ୍ତୁ ମହିଳା ମାନେ ତାଲିମ ପାଇ ନଥିବାରୁ ଧାନ କିଣି ବା ପାଇଁ ସମାସ୍ୟା ସୃଷ୍ଟି ହେଉଛି ।ବହୁ ଚାଷୀ ଧାନ ବିକ୍ରି ରେ ଅସୁବିଧା ର ସମ୍ମୁଖୀନ ହେଉଥିବା ଯୋଗୁଁ ସମ୍ପୃକ୍ତ ସେବା ସମବାୟ ସମିତିର ସମ୍ପାଦକ ମାନଙ୍କ ପାଖକୁ ଯାଇ ଚାଷୀ ମାନେ ପାଟିତୁଣ୍ଡ କରୁଥିବା ଦେଖିବକୁ ମିଳୁଛି ।ଜିଲ୍ଲାପାଳ ଏଥିପାଇଁ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।


