ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ଆଡମ୍ବର ସହ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଜପତି ଜିଲାପାଳ ଅନୁପମ ସାହା ଯୋଗଦେଇ ଶୁଭାରମ୍ଭ କରିବା ସହ ଛାତ୍ରମାନଙ୍କୁ ବାର୍ଷିକ ଉତ୍ସବପାଇଁ ଉତ୍ସାହିତ କରିଥିଲେ । ଏହିପରି ଏକ ବାର୍ଷିକ ଉତ୍ସବପାଇଁ ସମସ୍ତ ଛାତ୍ରମାନେ ଉତ୍ସାହିତ ରହିଥାନ୍ତି ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ଭାବେ ଏହି ବିଦ୍ୟାଳୟ ଏକ ଶତାୟୁ ବର୍ଷର ପୁରାତନ ବିଦ୍ୟାଳୟ ହୋଇଥିବାବେଳେ ଏହି ବିଦ୍ୟାଳୟର ବହୁ ବିଦ୍ୟାର୍ଥୀ ରାଜ୍ୟ ଦେଶ ତଥା ଦେଶ ବାହାରେ ବହୁ କୃତୀତ୍ୱର ଅଧିକାରୀ ହୋଇ ଗଜପତି ଜିଲାକୁ ଗୌରବାନ୍ୱିତ କରିଥିବା ମୁଖ୍ୟ ଅତିଥି କହିଥିଲେ । ଏହି ବିଦ୍ୟାଳୟର ବର୍ତ୍ତମାନ ଛାତ୍ର ସଂଖ୍ୟା କମିବାକୁ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ଜିଲା ଶିକ୍ଷା ବିଭାଗ ତଥା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଚେତନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟବକ୍ତା ଅବସରପ୍ରାପ୍ତ ରାଜ୍ୟ ପ୍ରଶାସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ବର୍ତ୍ତମାନ ସମୟରେ ଆଧୁନିକତାକୁ ସ୍ପର୍ଷକରି ସମସ୍ତେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢାଇବାପାଇଁ ଆଗ୍ରହୀ ହେଉଥିବାବେଳେ ନିଜ ମାତୃଭାଷା ଓଡିଆ ମାଧ୍ୟମ ତଥା ସରକାରୀ ବିଦ୍ୟାଳୟରେ ନିଜ ସନ୍ତାନ ସନ୍ତତିମାନଙ୍କୁ ପଢାଇବାପାଇଁ କେଉଁ କାରଣରୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଏଥିପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଆବଶ୍ୟକ ବୋଲି କୁହାଯାଇଥିଲା । ସେହିପରି ଅନ୍ୟତମ ଅତିଥିଭାବେ ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ କାର୍ଯ୍ୟକ୍ରମରେ ଯୋଗଦେଇ ଗଜପତି ଜିଲାରେ ଟିଚ୍ ଗଜପତି କାର୍ଯ୍ୟକ୍ରମ କିପରି ଭାବେ ଅଗ୍ରସର କରାଯାଇଛି ଏବଂ ଏଥିରେ ରାଜ୍ୟ ଓ ଭାରତ ସରକାରଙ୍କ ପକ୍ଷରୁ କିପରି ପ୍ରଶଂସିତ କରାଯାଇଛି ସେ ବିଷୟରେ ସେ କହିଥିଲେ । ଏଥିରେ ଜିଲାର ସାଧାରଣ ଜନତା ତଥା ବିଭିନ୍ନ ବିଦ୍ୟାଳୟର ପୁରୁଣା ବିଦ୍ୟାର୍ଥୀମାନେ କିପରି ସହଯୋଗ କରିଥିଲେ ସେ ବିଷୟରେ କହିଥିଲେ । ସେହିପରି ବର୍ତ୍ତମାନ ୧୦ମ ପରୀକ୍ଷାରେ ଉତ୍ତମ କୃତକାର୍ଯ୍ୟପାଇଁ ଜିଲା ପ୍ରଶାସନ ପକ୍ଷରୁ ଯେଉଁ ସୁପର-୩୦ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାହା ମଧ୍ୟ ସଫଳ ହୋଇପାରିଲେ ଏହି ଆଦିବାସୀ ଅଧ୍ୟୁଷିତ ଜିଲାଟି ସାରା ଦେଶରେ ଗୌରବମୟ ଅଧ୍ୟାୟ ସୃଷ୍ଟିକରିପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଷାଣୀ ବ୍ଲକ ଶିକ୍ଷାଧିକାରୀ ଠାକୁର ପ୍ରସାଦସିଂ, ବିଦ୍ୟାଳୟ ସମିତିର ସଭାପତି ଜୟକୃଷ୍ଣ ମହାରଣା, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ କୁମୁଦରଂଜନ ଦାସ, ଶିକ୍ଷକ ଏସ୍.ଜଗନ୍ନାଥ, ୱାଇ. ଧର୍ମାରାଓ ପ୍ରମୁଖ ଉପସ୍ଥିତଥିଲେ । ସଭା କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଛାତ୍ରମାନେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।