ହାଇଦ୍ରାବାଦକୁ ଟ୍ରେନ ଚଳାଚଳ ପାଇଁ ଗଜପତି ଜିଲ୍ଲା ଏନ୍‌ୟୁଜେ(ଆଇ) ସାମ୍ବାଦିକ ସଂଘର ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି କିମ୍ବା ଗୁଣପୁର ଠାରୁ ଦୈନିକ ଏକ ରେଳ ହାଇଦ୍ରାବାଦକୁ ଚଳାଚଳ କରିବା ପାଇଁ ଗଜପତି ଜିଲ୍ଲା ଏନ୍‌ୟୁଜେ(ଆଇ) ସାମ୍ବାଦିକ ସଂଘ ଦାବି କରିଛନ୍ତି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରି ,ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଞ୍ଜନ ମିଶ୍ର,ଜଗଦୀଶ ପଣ୍ଡା,କୃଷ୍ଣ କୁମାର ବେହେରା ପ୍ରମୁଖ କହିଛନ୍ତି, ଦକ୍ଷିଣ ଓଡିଶାର ଗଜପତି ଓ ଗୁଣପୁର ଅଞ୍ଚଳର ଲକ୍ଷାଧିକ ଲୋକ ଆନ୍ଧ୍ର ଓ ତେଲାଙ୍ଗାନାରେ ବିଭିନ୍ନ ଭାବେ କାର୍ଯ୍ୟ କରି ବସତି ସ୍ଥାପନ କରି ରହିଛନ୍ତି । ଏହି ଲୋକମାନେ ଆନ୍ଧ୍ର ଓ ତେଲାଙ୍ଗାନାରେ ବିଭିନ୍ନ ଶ୍ରମିକ ଭାବେ ଖଟି ଆସୁଛନ୍ତି । ଏମାନଙ୍କ ବିଭିନ୍ନ କାର୍ଯ୍ୟରେ ଏଠାରୁ ଯିବା ଆସିବା କରିଥାନ୍ତି । ହେଲେ ପାରଳାଖେମୁଣ୍ଡି ଓ ଗୁଣପୁର ଅଞ୍ଚଳରୁ ଯାତାୟତ ପାଇଁ ସିଧାସଳଖ କୌଣସି ରେଳ ବ୍ୟବସ୍ଥା ନ ଥିବାରୁ ଏମାନେ ବହୁ ଅସୁବିଧା ଓ ହଇରାଣ ହେଉଛନ୍ତି । ଅନେକଥର ଏହି ଯାତ୍ରୀମାନେ ରେଳରେ ସଂରକ୍ଷଣ ଟିକଟ ନ ପାଇ ବହୁ କଷ୍ଟରେ ସାଧାରଣ ବଗିରେ ଠିଆ ହୋଇ ଆସୁଥିବା ସହ ଅନେକ ସମୟରେ ଦଲାଲ ଓ କେତେକ ଚୋରଙ୍କ ଦ୍ୱାରା ବିଭିନ୍ନ ଭାବେ ଶିକାର ହେଉଥିବା ବହୁ ଅଭିଯୋଗ ରହିଛି । ଏହି ଯାତ୍ରୀମାନେ ପାରଳାଖେମୁଣ୍ଡି ଓ ଗୁଣପୁରକୁ ସିଧାସଳଖ ଟ୍ରେନ ନ ଥିବାରୁ ଆନ୍ଧ୍ରର ବିଶାଖପାଟଣା କିମ୍ବା ଶ୍ରୀକାକୁଳମ ରୋଡ ରେଳ ଷ୍ଟେସନରେ ଓହ୍ଲାଇଥାନ୍ତି । ବର୍ତ୍ତମାନ ଗୁଣପୁର ଓ ପାରଳାଖେମୁଣ୍ଡି ଅଞ୍ଚଳରୁ ଦୈନିକ ଏକ ଟ୍ରେନ ବିଶାଖପାଟଣା ଯିବା ଆସିବା କରୁଛି । ଏହି ଟ୍ରେନର ସମୟ ଗୁଣପୁରରୁ ଦୈନିକ ଅପରାହ୍ନରେ ଏବଂ ବିଶାଖପାଟଣାରୁ ଦୈନିକ ଭୋର ସକାଳ ସମୟରେ ଯିବାଆସିବା କରୁଛି । ତେଣୁ ହାଇଦ୍ରାବାଦରେ ରହୁଥିବା ଏହି ଲୋକମାନେ ଏହି ବିଶାଖାପାଟଣା ଟ୍ରେନରେ ଯିବାଆସିବା କରିବା ବହୁ କଷ୍ଟସାଧ୍ୟ ହୋଇ ପଡୁଛି । ଏଥିରେ ଯାତାୟତ କଲେ ଯାତ୍ରୀମାନଙ୍କୁ ଅଧିକା ୧୦/୧୨ ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡୁଛି । ତେଣୁ କେନ୍ଦ୍ର ରେଳମନ୍ତ୍ରୀ,ରେଳ ବିଭାଗ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ପାରଳାଖେମୁଣ୍ଡି କିମ୍ବା ଗୁଣପୁରରୁ ଦୈନିକ ଏକ ରେଳ ହାଇଦ୍ରାବାଦ ଚଳାଚଳ କରିବା ପାଇଁ ସାମ୍ବାଦିକ ସଂଘ ତରଫରୁ ଦାବି କରାଯାଇଛି । ଏହି ରେଳ ଚଳାଚଳ ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ କୋରାପୁଟ ସାଂସଦ ସପ୍ତଗିରି ଉଲାକା ସଫଳ ଦାବି ଉପସ୍ଥାପନ କରି ନିଶ୍ଚିତ ରେଳ ଚଳାଚଳ କରିବାରେ ସହାୟକ ହୁଅନ୍ତୁ ବୋଲି ଏହି ସାମ୍ବାଦିକ ମାନେ ମଧ୍ୟ ସାଂସଦ ଦ୍ୱୟଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ