ମିନିବସ୍ ଓଲଟି ୧ମୃତ, ୨୦ ରୁ ଉର୍ଦ୍ଧ୍ୱ ଆହାତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ନୟାଗଡ ନିକଟରେ ଏକ ମିନିବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ଗଂଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ମଠସାହି ଶିବ ମନ୍ଦିର ପୂଜକ ଝୁନା ରଣା ବୋଲି ଜଣାପଡିଛି । ମିଳିଥିବା ସୂଚନାମୁତାବକ, ସୁନ୍ଦରପୁର ଗ୍ରାମ ବଡସାହିର ମାତୃଶକ୍ତି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ସଦସ୍ୟ ଏବଂ ସେମାନଙ୍କ ପରିବାର ବର୍ଗ ନୟାଗଡ ଜିଲ୍ଲା ଶରଣକୁଳ ଓ ନୀଳମାଧବ ଦର୍ଶନ କରିବା ପାଇଁ ଆଜି ଭୋରରୁ ୩ଟାରୁ ଛତ୍ରପୁର ସହରର ମହାରାଜ ନାମକ ମିନିବସ୍ ବାହାରିଥିଲେ । ପ୍ରଥମେ ବୁଗୁଡା ବରିଞ୍ଚି ନାରାୟଣ, ବୁଦ୍ଧଖୋଲ ପରେ ଓଡଗାଁ ରଘୁନାଥଙ୍କ ଦର୍ଶନ କରି ପ୍ରସାଦ ଖାଇ ଅପରାହ୍ନରେ ନୀଳମାଧବ ଦର୍ଶନ ପାଇଁ ବାହାରିଥିଲେ । ଏହି ସମୟରେ ମିନିବସ୍ଟି ଭାରସାମ୍ୟ ହରାଇ ନୟାଗଡ ରାସ୍ତାରେ ଓଲିଟି ଦୁର୍ଘଟଣା ଘଟିଥିଲା । ଫଳରେ ମିନିବସ୍ରେ ବସିଥିବା ମାତୃଶକ୍ତି ମହିଳା ସଂଘର କିଛି ଜଣ ସଦସ୍ୟା ଏବଂ ସେମାନଙ୍କ ପରିବାର ବର୍ଗ ଗୁରୁତର ଆହତ ହୋଇଥିଲେ । ସେଠାକାର ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶିବ ମନ୍ଦିର ସେବକ ଝୁନା ରଣାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଖଣ୍ଡପଡା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି ।


