ପଦ୍ମଶ୍ରୀ କମଳା ପୂଜାରୀ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନରେ ସମ୍ମାନୀତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ପୂର୍ବାହ୍ନରେ କଲେଜ ପକ୍ଷରୁ ପ୍ରଦତ୍ତ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନରେ ଚଳିତ ବର୍ଷ ପାଇଁ କୃଷି କ୍ଷେତ୍ରରେ ଜୈବ କ୍ଷତ ସାର ଓ ପାରମ୍ପରିକ ବିହନ ସଂରକ୍ଷଣରେ ଅଗ୍ରଣୀ କାର୍ଯ୍ୟ ପାଇଁ କୋରାପୁଟ ଜିଲ୍ଲାର ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ସମ୍ମାନୀତ କରାଯାଇଛି । ଏଥିପୂର୍ବରୁ ଶ୍ରୀମତୀ ପୂଜାରୀ ଦକ୍ଷୀଣ ଆଫ୍ରିକାର ଜୋହାନବର୍ଗରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀରେ ସମ୍ମାନୀତ ହୋଇଛନ୍ତି ଓ ଭାରତ ସରକାରଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ମଧ୍ୟ ପାଇଛନ୍ତି । ଓଡିଶା ସରକାରଙ୍କ ଯୋଜନା ବୋର୍ଡରେ ସଦସ୍ୟ ଭାବରେ ସେ ରହିଛନ୍ତି । କଲେଜ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି କଲେଜ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ନୂତନ କ୍ୟାଂଟିନ ନିର୍ମାଣ ନିମନ୍ତେ ବିଧାୟକ ପାଣ୍ଠିରୁ ୧୦ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିବା ସହ କଲେଜ ପରିସରକୁ ସୈାନ୍ଧର୍ଯ୍ୟକରଣ ନିମନ୍ତେ ନିଜର ପ୍ରତିବଦ୍ଧତା ମଧ୍ୟ ପ୍ରକାଶ କରିଥିଲେ । ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଆଦିକନ୍ଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜ୍ଞାନ ଇଶ୍ୱରଙ୍କ ଠାରୁ ମହତ୍ତର ବୋଲି କହିଥିଲେ । କୋରାପୁଟ ସ୍ୱାମୀନାଥନ କୃଷି ପ୍ରତିଷ୍ଠାନର ବୈଜ୍ଞାନିକ ଡଃ.କାର୍ତ୍ତିକ ଚନ୍ଦ୍ର ଲେଙ୍କା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃଷିକୁ ଏକ ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ କଲେଜ ଜମି ସଙ୍କ୍ରାନ୍ତୀୟ ଏକ ଦଲିଲ ସଙ୍କଳନ ପୂର୍ବତନ ଅଧ୍ୟାପକ ବାସୁଦେବ ଦାସଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇ କଲେଜ ଅଧ୍ୟକ୍ଷଙ୍କ ହସ୍ତରେ ଅର୍ପଣ କରାଯାଇଥିଲା । ବିଗତ ବର୍ଷ ଅବସର ନେଇଥିବା କଲେଜର ଅଧ୍ୟାପକ,ଅଧ୍ୟାପିକା ତଥା ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ କଲେଜ ବୁଲେଟିନକୁ ଉଦଘାଟନ କରିଥିଲେ । କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚରଣ ବେହେରା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ତପନ କୁମାର ପତି ଅତିଥି ପରିଚୟ ପ୍ରଦାନ ଓ ଲେଫଟନାଂଟ ସୀମା ମହାନ୍ତି ଉତ୍ସବର ସଂଯୋଜନା କରିଥିଲେ । ଅଧ୍ୟାପିକା ଅନ୍ନପୂର୍ଣ୍ଣା ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପରିଚାଳନାରେ ଅଧ୍ୟାପକ ମନୋଜ କୁମାର ମିଶ୍ର, ପ୍ରମୋଦ ଦାସ, ମାୟା ପ୍ରସନ୍ନ ତ୍ରିପାଠୀ, ନମିତା ପାତ୍ର, ଡଃ.ପୈାର୍ଣ୍ଣମାସୀ ପଣ୍ଡା, କ୍ୟାପଟେନ ମନୋରଞ୍ଜନ ମହାନ୍ତି, ରଞ୍ଜିତ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ରାମଚନ୍ଦ୍ର ବେହେରା, ସେକ ସମସୁର, ନାରାୟଣ ନାଥଶର୍ମା, ବିନାୟକ ଦାସ, ଚିତ୍ତରଞ୍ଜନ ଦାସ, ସଚିଦାନନ୍ଦ ଷଡଙ୍ଗୀ, କୈଳାସ ଚନ୍ଦ୍ର ବରାଳ, ବିନ୍ଦୁମିତ୍ର ବଳ, ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ନାରାୟଣ ସାମଲ, ଅଜୟ ସାମଲ ଓ ବର୍ତ୍ତମାନର ଅଧ୍ୟାପକ ଜ୍ଞାନୀନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ