ଲୋକେ ହୀନସ୍ତା ପୋଷ୍ଟ ଅଫିସ୍‌ରେ ହେଉନି ଆଧାର ସଂଶୋଧନ

ଯୋଡ଼ା (ଯୁଗାଦ୍ଦ) ସହରର ମଧ୍ୟ ଭାଗରେ ଥିବା ଯୋଡା ପୋଷ୍ଟ ଅଫିସ୍‌ରେ ହେଉଥିବା ଆଧାର ସଂଶୋଧନ ପ୍ରକୋଷ୍ଟଟି ବନ୍ଦ ପଡିଥିବା ଯୋଗୁ ଲୋକେ ହୀନସ୍ତା ହେଉଛନ୍ତି । ଯୋଡା ସହରର ବିପ୍ଲବ ଚାଟାର୍ଜୀ , ସମୀର ଦାସ, ମହମ୍ମଦ ଅଲୀ, ସୁଧାଶୁଂ ବାରିକ, ପିତାମ୍ବର ସା, କାଠିଆ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସମସ୍ତ ପୋଷ୍ଟ ଅଫିସ୍‌ରେ ଲୋକମାନଙ୍କୁ ଆଧାର ସମ୍ବନ୍ଧୀୟ ସମସ୍ତ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏଣୁ ସାଧାରଣ ଲୋକେ ଆଧାର କାର୍ଯ୍ୟ କରାଇବା ପାଇଁ ପୋଷ୍ଟ ଅଫିସ୍‌ର ଦ୍ୱାରସ୍ଥ ହେଉଛନ୍ତି । ମାତ୍ର ଯୋଡା ପୌରପାଳିକାର ୭ନଂ ଓାର୍ଡ ସୁପର ମାର୍କେଟ ନିକଟସ୍ଥ ପୋଷ୍ଟ ଅଫିସରେ ଥିବା ଆଧାର ସଂଶୋଧନ ପ୍ରକୋଷ୍ଟଟି ଦୀର୍ଘ ୨୦ ଦିନ ହେବ ବନ୍ଦ ହୋଇ ରହିଛି । ଫଳରେ ଲୋକମାନେ ବାରମ୍ବାର ଏଠାକୁ ଆଧାରକାର୍ଡ କାର୍ଯ୍ୟ କରିବା ପାଇଁ ଆସୁଥିବା ବେଳେ ପୋଷ୍ଟ ଅଫିସ୍ ପକ୍ଷରୁ ଷ୍ଟାପ୍ ନାହାନ୍ତି, କାଲି ଆସନ୍ତୁ, ପହରଦିନ ଆସନ୍ତୁ କହି ସେମାନଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ସେମାନେ ଆହୁରି ଅଭିଯୋଗ କରି କହିଛନ୍ତି ଯେ, ଆଧାର ତ୍ରୁଟି ଯୋଗୁ ସେମାନଙ୍କର ରାସନକାର୍ଡ ସହିତ ଆଧାରକାର୍ଡ ଲିଙ୍କ ହୋଇ ପାରୁନଥିବାରୁ ପିଡିଏସ ସାମଗ୍ରୀ ରୁ ସେମାନେ ବଂଚିତ ହେଉଛନ୍ତି , ଛାତ୍ରୀଛାତ୍ରମାନେ ଅନଲାଇନ୍ ଫର୍ମ ଆବେଦନ କରିପାରୁନାହାନ୍ତି, ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗ କରି ପାରୁନଥିବା ପ୍ରଭୃତି ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ସୁଜିତ କୁମାର ପାଲଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦୈନିକ ୨ ଘଂଟା ପାଇଁ ଉକ୍ତ ପ୍ରକୋଷ୍ଟରେ ଜଣେ କର୍ମଚାରୀ ପାର୍ଟ ଟାଇମ୍ ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ଉକ୍ତ କର୍ମଚାରୀ ଜଣଙ୍କୁ ଅନ୍ୟ କାର୍ଯ୍ୟ ଦିଆଯିବାରୁ ସେ ଏହି କାର୍ଯ୍ୟ କରି ପାରୁନାହାନ୍ତି । କର୍ମଚାରୀ ଅଭାବ ହେତୁ ପ୍ରକୋଷ୍ଟ ଖୋଲାଯାଇପାରୁନାହିଁ । ଦୈନିକ ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ଲୋକ ଆଧାର କାର୍ଯ୍ୟ କରାଇବାକୁ ଆସୁଛନ୍ତି । ଏଥିପାଇଁ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସେ ଉଚ୍ଚ କର୍ତୁପକ୍ଷଙ୍କୁ ଜଣାଉଥିଲେ ହେଁ, ତାହା ପୁରଣ ହୋଇପାରୁନାହିଁ ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ