ଉକ୍ରଳ ପ୍ରଦେଶର ଏକ କରୁଣ କାହାଣୀ

ନ’ଅଙ୍କ ଦୁର୍ଭିକ୍ଷ ଭଳି କରୁଣ ଘଟଣାରେ ଓଡ଼ିଆ ଲୋକଙ୍କର ଦୁଃଖର ରାତି ପାହିନଥିଲା । ଏହି ଦୁଃଖଦ ଘଟଣାକୁ ଭୁଲିବା ଆଗରୁ ୧୮୭୮ ମସିହାରେ ପୁରୀର ଗଜପତି ବା ଠାକୁର ରାଜା ଦିବ୍ୟସିଂହ ଦେବଙ୍କୁ ନରହତ୍ୟା ଅପରାଧରେ କଳା ପାଣି ବା ଆଣ୍ଡାମାନ ଦ୍ୱୀପକୁ ନିର୍ବାସିତ କରା ଯାଇଥିଲା । କୋଟି କୋଟି ଓଡ଼ିଆ ଲୋକଙ୍କ ପାଇଁ ଗଜପତି ଥିଲେ ଗଜନ୍ନାଥଙ୍କ ଚଳନ୍ତି ପ୍ରତିମା । ସେ ଥିଲେ ସେହି ବଂଶର ଦାୟାଦ, ଯାହାଙ୍କର ଉପାଧି ଥିଲା ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣଟ କଳବର୍ଗେଶ୍ୱର ଭୁତ ଭୈରବ, ଦେବ ସାଧୁ, ଶାସନ ଉକ୍ରର୍ଷ, ରାଉତ ରାଜ, ଅତୁଳ ବଳ, ପରାକ୍ରମ ସଂଗ୍ରାମେ ଶହସ୍ର ବାହୁ, କ୍ଷତ୍ରିୟ କୂଳ, ଧୂମକେତୁ ମହାରାଜାଧିରାଜ । ଏହି ସର୍ବମାନ୍ୟ ଗଜପତିଙ୍କୁ ଏକ ସାଧାରଣ ଅପରାଧି ଭଳି ଜେଲ୍ ଖାନାରେ ରଖି କାଠଗଡ଼ାରେ ଠିଆ କରି କଳା ପାଣିକୁ ପଠାଇ ଇଂରେଜ ସରକାର ଉକ୍ରଳ ବାସୀଙ୍କର ଯୁଗ ଯୁଗର ଭକ୍ତି ଓ ବିଶ୍ୱାସ ଉପରେ କୁଠାରାଘାତ କରିଥିଲେ ଏବଂ ଓଡ଼ିଶାର ଗଳିକନ୍ଦିରେ ଏହି କରୁଣ କାହାଣୀକୁ ନେଇ ଗୀତ ଶୁଭିଲା, “ଆଜି ରାଜପୁରେ ଉନ୍ମଦିନି ସମ, ପୁରୀ ରାଜ ପାଟେଶ୍ୱରୀ, ପଡ଼ି ମହିତଳେ କାନ୍ଦନ୍ତି ବିକଳେ, ଶୋକେ ବିବଶା ସୁନ୍ଦରୀ ।”
୧୮୫୯ ମସିହାରେ ଗଜପତି ବୀରକିଶୋର ଦେବଙ୍କର ମୃତ୍ୟୁ ଘଟିଲା । ସେ ଅପୁତ୍ରିକ ଥିବାରୁ ମୃତ୍ୟୁ ପୂର୍ବରୁ ଖେମୁଣ୍ଡି ରାଜ ପରିବାରର ଦ୍ୱିତୀୟ ପୁତ୍ରକୁ ପୋଷ୍ୟ ପୁତ୍ର ରୂପେ ଗ୍ରହଣ କରିଥିଲେ । ଏହି ପୋଷ୍ୟ ପୁତ୍ର ଦିବ୍ୟସିଂହ ଦେବ ନାମ ଧାରଣ କରି ଗଜପତି ରୂପେ ଅଭିଶିକ୍ତ ହୋଇଥିଲେ । ସ୍ୱର୍ଗତ ବୀରକିଶୋର ଦେବଙ୍କର ପତ୍ନୀ ମନ୍ଦିର ସଂକ୍ରାନ୍ତୀୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ପୁତ୍ରର ଲାଳନ ପାଳନ ଦାୟିତ୍ୱ ଚାକର ଓ କର୍ମଚାରୀଙ୍କ ଉପରେ ନ୍ୟସ୍ତ କରିଥିଲେ । ପିଲାଟି ବେଳୁ ଦିବ୍ୟସିଂହ ଦେବ ଚାକର ମାନଙ୍କ ସାଙ୍ଗରେ ପଡ଼ି ବିପଥଗାମୀ ହେଲେ । ତାଙ୍କୁ ଶିକ୍ଷା ଦେବା ପାଇଁ ଆସୁଥିବା ଶିକ୍ଷକ ମାନଙ୍କୁ ମାଡ଼ ଗାଳି ଦେଇ ବିଦା କରିଦେଲେ । ଚାକର ମାନଙ୍କ ସହ ମିଶି ଦିନରାତି ମଦ ଓ ଭାଙ୍ଗ ଖାଇଲେ । ପାଟିରୁ ସବୁବେଳେ ଅଶ୍ରାବ୍ୟ ଭାଷା ବାହାରିବାକୁ ଲାଗିଲା । ରାଜ ନଅରର ଚାରି କାନ୍ଥ ଭିତରେ ରହି ବାହାର ଦୁନିଆ ସହ ତାଙ୍କର ଆଉ ସଂପର୍କ ରହିଲା ନାହିଁ ।
ସେହି ସମୟରେ ଶିବଦାସ ବାବାଜୀ ନାମକ ଜଣେ ବ୍ୟକ୍ତି ପୁରୀରେ ରହୁଥିଲେ । ସେ ମନ୍ତ୍ର ତନ୍ତ୍ର ଜାଣିବା ସହିତ ଚେରମୂଳି ଔଷଧ ମଧ୍ୟ ଦେଉଥିଲେ । ମହାରାଣୀଙ୍କ ଡ଼ାକରା ପାଇ ଅନେକ ସମୟରେ ସେ କି ଦିନ କି ରାତି ଉଆସକୁ ଆସୁଥିଲେ । ରାଣୀ ଅନ୍ତପୁରକୁ ତାଙ୍କର ଅବାଧ ପ୍ରବେଶ ଥିଲା । ମହାରାଣୀଙ୍କ ସହ ତାଙ୍କର ସଂପର୍କକୁ ନେଇ ଚାକର ମାନେ ଦିବ୍ୟସିଂହ ଦେବଙ୍କୁ ବେଳେ ବେଳେ ଥଟ୍ଟା କରୁଥିଲେ । ଏହାଛଡ଼ା ଶିବଦାସ ମନ୍ତ୍ର ତନ୍ତ୍ର କରି ତାଙ୍କୁ ଜୀବନରେ ମାରି ଦେବାକୁ ଷଡ଼ଯନ୍ତ୍ର କରୁଥିବା ଦିବ୍ୟସିଂହ ଦେବ ସନ୍ଦେହ କଲେ । ଏଥିପାଇଁ ଶିବଦାସକୁ ପାନେ ଦେବା ପାଇଁ ଦିବ୍ୟସିଂହ ଦେବ ଚାକର ମାନଙ୍କ ସହ ଯୋଜନା କଲେ ।
୧୮୭୮ ମସିହା ଫେବୃୟାରୀ ୨୩ ତାରିଖରେ ନଅରର ୨ଜଣ ଚାକର ଗୋପୀ ସିଂ ଓ ଶେଜିଆ ମହାରଥୀ ସଂଜବେଳେ ଯାଇ ମହାରାଜା ଡ଼ାକୁଛନ୍ତି କହି ଶିବଦାସକୁ ଆସିବା ପାଇଁ ଅନୁରୋଧ କଲେ । ଶିବଦାସ ତା’ର କେତେକ ଅନୁଚରଙ୍କ ସହିତ ଉଆସରେ ଆସି ପହଂଚିଲା ବେଳକୁ ରାତି ହୋଇ ଯାଇଥିଲା । ଅନୁଚର ମାନଙ୍କୁ ବାହାରେ ବସାଇ ଶିବଦାସକୁ କୁସ୍ତିଘରକୁ ନିଆଗଲା । ସେଠାରେ ଦିବ୍ୟସିଂହ ଓ ତାଙ୍କର ଚାକର ମାନେ ଶିବଦାସ ଉପରେ ତତ୍କ୍ଷଣାତ ଆକ୍ରମଣ କରିଦେଲେ । ଗୋଟିଏ ମୋଟା ଲାଠିରେ ଦିବ୍ୟସିଂହ ଶିବଦାସକୁ ବାଡ଼େଇବାକୁ ଲାଗିଲେ । ଚାକର ମାନେ ମାଡ଼ି ବସିଲେ । ଦେହରେ ନିଆଁ ଚେଙ୍କ ଦେଲେ । ପରିଶ୍ରା ନଳୀରେ ଲୁହାରଡ଼୍ ପୁରାଇ ଚୁନ ଭରିଲେ । ମଳଦ୍ୱାର ବାଟେ ଶୋଲ ଖଣ୍ଡମାନ ଭରିବାକୁ ଲାଗିଲେ । ମୁହଁରେ ପରିଶ୍ରା ଓ ବିଷ୍ଠା ବୋଳିଲେ । ଶିବଦାସ ମଧ୍ୟ ବେଶ୍ ଶକ୍ତିଶାଳୀ ଥିଲା । ଚାକର ମାନଙ୍କୁ ଠେଲି ପଳାଇଲେ ମଧ୍ୟ ଉଚ୍ଚ ପାଚେରୀ ଡ଼େଇଁ ପାରିଲା ନାହିଁ । ଚାରି ଘଂଟାର ଅତ୍ୟାଚାର ପରେ ତା’ର ଚିକ୍ରାର ଯେତେବେଳେ ବନ୍ଦ ହୋଇଗଲା, ସେ ମରିଗଲା ବୋଲି ଭାବି ଚାକର ମାନେ ଉଆସ ବାହାରେ ବଡ ଼ଦାଣ୍ଡରେ ଫିଙ୍ଗିଦଲେ ।
ରାତି ପ୍ରାୟ ୨ଟା ବେଳକୁ ଶିବଦାସର ଚେତା ଫେରିଲା । ଘୁଷୁରି ଘୁଷୁରି ସିଂହଦ୍ୱାର ପାଖରେ ପହଂଚିଲା । ତା’ର ପାଟି ଶୁଣି ରାତି ଡ଼୍ୟୁଟୀରେ ଥିବା କନେଷ୍ଟବଳ ଓ ନଅର ବାହାରେ ଥିବା ତା’ର ବନ୍ଧୁମାନେ ଧାଇଁ ଆସିଲେ । ଶିବଦାସକୁ ହସ୍ପିଟାଲ୍ କୁ ନେଇଗଲେ । ସେଠାରେ ଡ଼ାକ୍ତର ନାଶିରାମ ଘୋଷଲ୍ ତା’ ପେଟରୁ ୩୪ ଖଣ୍ଡ ଶୋଲ ବାହାର କଲେ ଓ ଯନ୍ତ୍ରଣାରୁ ମୁକ୍ତି ପାଇଁ ଅଫିମ ଦେଇ ଶୁଆଇ ଦେଲେ । ସକାଳେ ପୁରୀ ସାରା ଏ ଖବର ପ୍ରଚାରିତ ହୋଇଗଲା । କଲେକ୍ଟର ଆର୍ମଷ୍ଟ୍ରଙ୍ଗ୍ ଘୋଡ଼ା ଚଢି ହସ୍ପିଟାଲରେ ପହଂଚିଲେ ଓ ଏହାର ଅନୁସଂଧାନ ପାଇଁ ଏସ୍ପି ଓ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦେଲେ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଶିବଦାସ ତା’ର ଏ ଦୁର୍ଦ୍ଦଶା ପାଇଁ ଦିବ୍ୟସିଂହ ଦେବ ଓ ତାଙ୍କର ଚାକର ମାନେ ଦାୟୀ ବୋଲି ମୃତ୍ୟୁକାଳୀନ ଜମାନବନ୍ଦୀ ଦେଲା । ପୋଲିସ୍ ଦ୍ୱାରା ସରଜମିନ୍ ତଦନ୍ତ ହୋଇ କୁସ୍ତିଘରେ ରକ୍ତ ଓ ମଳ ମୂତ୍ର ଚିହ୍ନ ସହ ଶିବଦାସଙ୍କ ମାଳି ଜବତ ହେଲା । ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଦିବ୍ୟସିଂହ ଓ ତାଙ୍କର ୯ଜଣ ଚାକରଙ୍କୁ ଚିହ୍ନଟ କରାଗଲା । ଏହା ମଧ୍ୟରେ ଶିବଦାସ ସାମାନ୍ୟ ସୁସ୍ଥ ହୋଇ ଆସୁଥିବାବେଳେ ସେ ଧନୁଷ୍ଟଙ୍କାର ରୋଗରେ ଆକ୍ରାନ୍ତ ହୋଇ ମାର୍ଚ୍ଚ ୧୧ ତାରିଖରେ ମୃତ୍ୟୁବରଣ କଲା ଓ ଦିବ୍ୟସିଂହଙ୍କ ବିରୁଦ୍ଧରେ ନରହତ୍ୟା କେଶ୍ ରୁଜୁ କରାଗଲା । ତାଙ୍କ ସହିତ ଅଭିଯୁକ୍ତ ଥିଲେ ସର୍ବନ ଉପାଧ୍ୟାୟ, ଗୋପୀ ରାଉତରାୟ, ଦୈତାରୀ ସିଂ, ଗୋପାଳ ଦାସ, ନାରାୟଣ ବାହିନୀପତି, ବାଜୀ ସାନ୍ତ୍ରା, ଅର୍ଜ୍ଜୁନ ସିଂ, ଗଣେଷ ନାୟକ ଓ ବନ ନାୟକ ।
କଟକ ସେସନ୍ସ ଅଦାଲତରେ ମୋକଦ୍ଦମା ଚାଲିଲା । ମାର୍ଚ୍ଚ ୧୭ ତାରିଖ ଦିନ ଦିବ୍ୟସିଂହ ଦେବଙ୍କୁ କଏଦୀ ଭାବରେ ପୁରୀରୁ କଟକ ନିଆଗଲା । ଏ ଖବର ଶୁଣି ହଜାର ହଜାର ଓଡ଼ିଆ ଲୋକେ ଜେଲ୍ ଆଗରେ ଜମା ହେଲେ, ଖୋଳ କିର୍ତନ ଧରି ଭଜନ ବୋଲିଲେ । ୨୬ ତାରିଖରେ ସେସନ୍ସ ଜଜ୍ ତଥା ବିଖ୍ୟାତ ଲେଖକ ଚାର୍ଲସ ଡ଼ିକେନ୍ସଙ୍କ ପୁଅ ଜର୍ଜ ଡ଼ିକେନ୍ସଙ୍କ ଇଜିଲାସରେ ଶୁଣାଣୀ ଆରମ୍ଭ ହେଲା । ଦିବ୍ୟସିଂହଙ୍କ ତରଫରୁ ଓକିଲ ହେଲେ ଇଭାନ୍ସ ଓ ହ୍ୟାଣ୍ଡେଲି । ସେତେବେଳେ ଏମୋନେ ସବୁଠାରୁ ନାମକରା ଓକିଲ । ଦିନକୁ ଫିଜ୍ ଥିଲା ୧ହଜାର ଟଙ୍କା । ସରକାରଙ୍କ ପକ୍ଷରୁ ଲଢିଥିଲେ ହରିବଲ୍ଲଭ ବସୁ । ହଜାର ହଜାର ଲୋକେ କଚେରୀକୁ ଘେରି ରହିଲେ । ହସ୍ପିଟାଲ୍ ଡ଼ାକ୍ତର, କମ୍ପାଉଣ୍ଡର, ପୋଲିସ୍ ଇନିସ୍ପେକ୍ଟର ରାମାରାଓ ସାକ୍ଷୀ ଦେଲେ । ମୁଦାଲା ତରଫରୁ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରାଗଲା । ଉଭୟ ପକ୍ଷର ତର୍କ ଶେଷ ପରେ ଜଜ୍ ଜୁରୀ ମାନଙ୍କ ସହିତ ବିଚାର-ବିମର୍ଷ କଲେ । ଦିବ୍ୟସିଂହ ଦେବ ଓ ତାଙ୍କର ଚାକର ସର୍ବନ ଉପାଧ୍ୟାୟ, ଗୋପୀ ରାଉତରାୟ, ଗୋପାଳ ଦାସ ଓ ନାରାୟଣ ବାହିନୀପତିଙ୍କୁ ଯାବତ୍ ଜୀବନ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ କରାଗଲା । ଅନ୍ୟ ୫ଜଣଙ୍କୁ ପ୍ରମାଣ ଅଭବରୁ ଖଲାସ କରାଗଲା । ଚୂପଚାପ୍ ଥିବା ଦିବ୍ୟସିଂହ ଦେବ ରାୟ ଶୁଣି ଭୋ ଭୋ କାନ୍ଦିବାକୁ ଲାଗିଲେ ।
ଏହା ପରେ ଦିବ୍ୟସିଂହଙ୍କ ତରଫରୁ କଲିକତା ହାଇକୋର୍ଟରେ ଅପିଲ କରାଗଲା । ଚିଫ୍ ଜଷ୍ଟିସ୍ ଗାର୍ଥ ପୁରା ବେଂଚରେ କେଶ୍ ର ଶୁଣାଣୀ କଲେ । ବହୁ ବିଚାର-ବିମର୍ଷ ପରେ ହାଇକୋର୍ଟ ଦିବ୍ୟସିଂହ ଦେବ,ସର୍ବନ ଉପାଧ୍ୟାୟ ଓ ନାରାୟଣ ବାହିନୀପତିଙ୍କର ଅପିଲ୍ ଅଗ୍ରାହ୍ୟ କରିଦେଲେ । ଅନ୍ୟ ୨ଜଣଙ୍କୁ ଖଲାସ୍ କରିଦେଲେ । ୧୮୭୮ ମସିହା ମଇ୧୩ ରେ ଦିବ୍ୟସିଂହ ଦେବଙ୍କୁ ଆଣ୍ଡାମାନ୍ ନେଇଯିବା ପାଇଁ ଆଦେଶ ଦିଆଗଲା । ଏହି ଦାରୁଣ ସମ୍ବାଦ ଲକ୍ଷ ଲକ୍ଷ ସରଳ ଓଡ଼ିଆ ମାନଙ୍କ ଆଖିରୁ ଲୁହ ଝରାଇ ଦେଇଥିଲା । ସେମାନଙ୍କ ଆବେଗକୁ ଭୃକ୍ଷେପ ନକରି ମଇ ୨୩ ତାରିଖ ସକାଳ ୪ଟାରେ ଯୋବ୍ରା ଘାଟରୁ ଷ୍ଟିମର୍ରେ ବସାଇ ଦିବ୍ୟସିଂହ ଦେବଙ୍କୁ ବତୀଘରକୁ ପଠାଇ ଦିଆଗଲା । ବତୀଘରରୁ ଜାହାଜରେ କଲିକତାକୁ ନେଇ ଆଣ୍ଡାମାନ ଯିବା ପର୍ଯ୍ୟନ୍ତ ପ୍ରେସିଡ଼େନ୍ସି ଜେଲ୍ରେ ରଖା ଯାଇଥିଲା । ଦିବ୍ୟସିଂହ ଦେବଙ୍କ ଭାଗ୍ୟରେ ଉକ୍ରଳ ମାଟିରେ ପାଦ ଦେବାର ସୁଯୋଗ ଆଉ ଜୁଟି ନଥିଲା ।

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଓଡ଼ିଶା ନ୍ୟୁଜ୍ ସର୍ଭିସ୍, ଉମରକୋଟ,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ