ଏକତା ହିଁ ଆମର ପରିଚୟ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଇସଲାମ ଧର୍ମ ଆଦିଧର୍ମ । ଇସଲାମ ଧର୍ମର ପ୍ରକୃତ ମର୍ମହେଲା, ଶାନ୍ତି, ସ୍ନେହଁ, ସୌହାର୍ଦ୍ଦ୍ୟ, ସହାନୁଭୂତି, ସଦ୍‌ଭାବନା, ସହିଷ୍ଣୁତା, ସମ୍ବେଦନଶୀଳତା, ସହଯୋଗୀତା, ସମନ୍ୱୟତା, ସଂଯମତା, ସରଳତା ଏବଂ ସତ୍ୟତା । ମହାମହୀମ ଅବତାର ହଜରତ ମୁହମ୍ମଦ ସଲ୍ଲମ କରୁଣାର ସାଗର ହୋଇ ସମଗ୍ର ସଂସାର ପାଇଁ ଆସିଥିଲେ । ତାଙ୍କ ଭବିଷ୍ୟତବାଣୀ ଅନୁଯାୟୀ ତାଙ୍କ ଦାସତ୍ୱରେ ୧୪୦୦ ଶହ ବର୍ଷ ପରେ ୧୮୩୫ ମସିହାରେ ପ୍ରତିଶ୍ରୁତ ମସିହ ଓ ମେହେଦୀ ମିର୍ଜା ଗୁଲାମ ଅହମଦ ଜନ୍ମ ନେଇ, ଇସଲାମ ଧର୍ମରେ ଦେଖାଯାଉଥିବା କଳୁଷିତକୁ ଦୂର କରିଥିଲେ ତଥା ଇସଲାମ ଧର୍ମକୁ ପୁନର୍ଜୀବିତ କରିଥିଲେ । ଏହିଭଳି ଧର୍ମଚର୍ଚ୍ଚା ହୋଇଛି, ୟୁନିଟ-୪ସ୍ଥିତ ଅହମଦୀୟା ମୁସଲିମ ମସଜିଦ ହମଦଠାରେ । ୨୦ ଫେବୃଆରୀ ଅହମଦୀୟା ସମାଜରେ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ । ଏହି ଦିବସକୁ ଅହମଦୀୟା ମୁସଲିମ ସଂଗଠନ ବିଶ୍ୱବ୍ୟାପୀସ୍ତରରେ ପାଳନ କରିଛି । ୟୁନିଟ-୪ସ୍ଥିତ ଅହମଦୀୟା ମୁସଲିମ ସଂଗଠନର ଲୋକମାନେ ସକାଳ ୪.୩୦ ସମୟରୁ ମସଜିଦରେ ଚଳଚଞ୍ଚଳ ଦେଖାଯାଇଛି । ବିଶେଷ ନମାଜ ଦହଜୁଦପାଠ କରାଯିବା ସହ, ମସଜିଦରେ ସାମୁହିକ ପବିତ୍ର କୋରାନ ପାଠ କରାଯାଇଥିଲା । ପରେ ଅହମଦୀୟା ଯୁବ ସଂଗଠନ ପକ୍ଷରୁ ସ୍ୱଚ୍ଛତା ହିଁ ସଭ୍ୟତାର କାର୍ଯ୍ୟକ୍ରମରେ ମସଜିଦ ଓ ଆଖପାଖ ଅଞ୍ଚଳରେ ସଫେଇ ଅଭିଯାନ କାର୍ଯ୍ୟ କରାଯାଇଥିଲା । ଅପରାହ୍ନ ୪ଘଟିକା ସମୟରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୧୦୦ ଜଣ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସନ୍ଧ୍ୟା ୭ ଘଟିକା ଘଟିକା ସମୟରେ ଏକ ଧର୍ମସମ୍ମିଳନୀ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଅହମଦୀୟା ମୁସଲିମ ସଂଗଠନର ସଭାପତି ମହମ୍ମଦ ନୁରୁଦ୍ଦିନ ଅମିନ ଏହି ଧର୍ମ ସମ୍ମିଳନୀରେ ପୌରୋହିତ୍ୟ କରିଥିଲେ । ପବିତ୍ର କୋରାନ ପାଠ ମୌଲାନା ଅବଦୁଲ ହଲିମ ଖାଁ କରିଥିବା ବେଳେ ବସିର ଅହମଦ ଏକ ସୁନ୍ଦର ଉର୍ଦ୍ଦୁ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥ ନିଜ ବକ୍ତବ୍ୟରେ କହିଥିଲେ ଯେ, ଇସଲାମ ଏକ ଭାଇଚାରାର ଧର୍ମ । ଶାନ୍ତି ଓ ସହାନୁଭୂତି ପ୍ରଦର୍ଶନ କରିବା ଏହାର ପରମ ଉଦ୍ଦେଶ୍ୟ । ଅହମଦୀୟ ମୁସଲିମ ସମାଜ ଇସଲାମର ପ୍ରକୃତ ଛବିକୁ ବିଶ୍ୱରେ ପରିପ୍ରକାଶ କରିବାରେ କାର୍ଯ୍ୟରତ । ଆମେ ସବୁ ଭାରତୀୟ ଏକ, ଏକତା ହିଁ ଆମର ପରିଚୟ । ମୁଖ୍ୟ ବକ୍ତାଭାବେ ଯୋଗଦେଇ ଭୁବନେଶ୍ୱର ଅହମଦୀୟା ସଂଗଠନର ମୌଲାନା ଫଜଲ ହକ ଖାଁ କହିଲେ ଯେ, ମିର୍ଜା ଗୁଲାମ ଅହମଦଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ପ୍ରଦାୟକୁ ଅହମଦୀୟା ମୁସଲିମ ସମ୍ପ୍ରଦାୟ କୁହାଯାଏ । ଅହମଦୀୟା ମୁସଲିମ ସମ୍ପ୍ରଦାୟ ପ୍ରତିଷ୍ଠା ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଇସଲାମ ଧର୍ମର ବାସ୍ତବ ରୂପକୁ ଅଧିକ ସୁନ୍ଦର ଭାବେ ସଂସାର ସମ୍ମୁଖରେ ରଖିବା । ଏହାର ମୂଳଲକ୍ଷ୍ୟ ଇସଲାମ ଶାନ୍ତି ଓ ନିରାପତ୍ତାର ଧର୍ମ ବୋଲି ମାନବ ସମାଜକୁ ବୁଝାଇବା ତଥା ଭଗବାନ ଓ ଭକ୍ତଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା । ହଜରତ ଅହମଦଙ୍କ କାର୍ଯ୍ୟକଳାପ ପରେ ତାଙ୍କର ପାରମ୍ପରିକ କାର୍ଯ୍ୟକୁ ଏପରି ଏକ ଦକ୍ଷ ବରପୁତ୍ର ଜନ୍ମନେଇ, ସେହି କାର୍ଯ୍ୟଭାରକୁ ତ୍ୱରାନ୍ୱିତ କରିବାର ଭବିଷ୍ୟତବାଣୀ ପ୍ରାୟ ସମସ୍ତ ଧର୍ମଶାସ୍ତ୍ରରେ ଲିପିବଦ୍ଧ ରହିଛି । ଯଦ୍ଦ୍ୱାରା ଇସଲାମର ଶାନ୍ତିପୂର୍ଣ୍ଣ ବାର୍ତ୍ତା ସମଗ୍ର ସଂସାରରେ ପ୍ରସାର ଲାଭ କରିବ । ୧୮୮୬ ମସିହା ୨୦ ଫେବୃୟାରୀରେ ହଜରତ ଅହମ୍ମଦ ଏହି ବରପୁତ୍ରର ଆଗମନର ଭବିଷ୍ୟତବାଣୀ ବିଷୟରେ ଏକ ଇସ୍ତହାର ମାଧ୍ୟମରେ ଘୋଷଣା କରିଥିଲେ । ହାଜି ସେକ ଅବଦୁଲ ହକିମ ଅଙ୍ଗୀକୃତ ସଂସ୍କାରକ ହଜରତ ମିର୍ଜା ବସିରୁଦ୍ଦିନ ମହମୁଦ ଅହମଦଙ୍କ ସୁନ୍ଦର ଜୀବନୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଏକ ଧାର୍ମିକ ପୁସ୍ତିକା “ଆମେ ଜାଣିବା ଦରକାର ଆମ ମୁଖ୍ୟ ଦାୟିତ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ପରିଶେଷର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ