କଙ୍ଗନାଙ୍କ ଦୁଃସାହସ
କିଛିଦିନ ତଳେ ଯୋଦ୍ଧା ଝାନସୀରାଣୀ ଲକ୍ଷ୍ମୀବାଈ ଭୂମିକାରେ ପରଦାକୁ କଙ୍ଗନା ରାଣାୱତ ଆସିଥିଲେ । ବାୟୋପିକର ନାଁ ଥିଲା ‘ମଣିକର୍ଣ୍ଣିକା-ଦ କୁଇନ ଅଫ ଝାନସୀ’ । ଚିତ୍ରଟି ଦର୍ଶକଙ୍କୁ ସେତେ ବାନ୍ଧି ରଖିପାରିନଥିଲା । ଏବେ ପୁଣି କଙ୍ଗନା ତାଙ୍କ ଆଗାମୀ ଫିଲ୍ମ ‘ଥଲାଇବୀ’ର ସୁଟିଙ୍ଗରେ ଜୋରସୋରରେ ଲାଗି ପଡ଼ିଛନ୍ତି । ଏଥିରେ କଙ୍ଗନା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଜୟଲଳିତାଙ୍କ ଜନ୍ମ ବାର୍ଷିକୀ ଅବସରରେ କଙ୍ଗନାଙ୍କ ନୂଆ ଅବତାର ଦର୍ଶକଙ୍କ ସାମନାକୁ ଆସିଛି । କଙ୍ଗନା ତାଙ୍କ ନୂଆ ଲୁକରେ ଅବିକଳ ଜୟଲଳିତାଙ୍କ ପରି ଦିଶୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଏ.ଏଲ ବିଜୟ । ନିର୍ଦ୍ଦେଶକଙ୍କ କହିବା ମୁତାବକ ଜୟଲଳିତାଙ୍କ ଅନେକ ଲୋକଙ୍କ ପ୍ରେରଣା ସାଜିଛନ୍ତି । ସେଥିପାଇଁ ତାଙ୍କ ଜୀବନ କାହାଣୀ ସବୁ ଲୋକଙ୍କ ନିକଟରେ ପହଞ୍ଚିବା ଉଚିତ । ‘ଥଲାଇବୀ’ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ୨୦୨୦ ଜୁନ ମାସରେ ମୁକ୍ତିଲାଭ କରିବ ବୋଲି ଶୁଣିବାକୁ ମିଳୁଛି । କଙ୍ଗନାଙ୍କ ବ୍ୟତୀତ ଫିଲ୍ମରେ ତାମିଲ ଅଭିନେତା ଅରବିନ୍ଦ ସ୍ୱାମୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଗ୍ୟାଙ୍ଗଷ୍ଟର, ୱେ ଲମହେ ଲାଇପ ଇନ ଏ ମେଟ୍ରୋ, ଫ୍ୟାସନ ଓ ରାଜ ଭଳି ରୋମାଣ୍ଟିକ ମୁଭିରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ କଙ୍ଗନା । ପରେ କଙ୍ଗନା ଅଭିନୀତ ‘ତନୁ ୱେଡସ ମନୁ’ ବ୍ୟବସାୟିକ ସଫଳତା ପାଇବା ସହ ‘କୁଇନ’ ଚଳଚ୍ଚିତ୍ର ପାଇର୍ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ । ଫିଲ୍ମ ମଣିକର୍ଣ୍ଣିକା ବକ୍ସ ଅଫିସରେ ସଫଳ ହୋଇନଥିଲେ ମଧ୍ୟ ଜୟଲଳିତାଙ୍କ ବାୟୋପିକରେ କଙ୍ଗନାଙ୍କ ପୁନର୍ବାର ଅଭିନୟ ଏକ ଦୁଃସାହସିକ ପଦକ୍ଷେପ କହିଲେ ଭୁଲ ହେବ ନାହିଁ । ଦେଖାଯାଉ ଏ ଚଳଚ୍ଚିତ୍ରଟିକୁ ଦର୍ଶକ ପସନ୍ଦ କରିବେ କି ନାହିଁ ।


