ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ସବୁଦିନ ପାଇଁ ବନ୍ଦ ଚକ୍ରାନ୍ତକୁ ଡ଼ି.ଟି.ଓ.ର ବିରୋଧ
ଭୁବନେଶ୍ୱର: ଓଡ଼ିଶା ସରକାର ଇତିମଧ୍ୟରେ ୧୬୦୩ଟି ସରକାରୀ ପ୍ରାଥମିକ ସ୍କୁଲ୍କୁ ଭାଙ୍ଗି ନିକଟସ୍ଥ ହାଇସ୍କୁଲ୍ରେ ମିଶ୍ରଣ କରିବା ସହ ପ୍ରାୟ ୧୦୦୦ ସ୍କୁଲ୍କୁ ଛାତ୍ରସଂଖ୍ୟା କମ୍, ଶିକ୍ଷକ ସଙ୍କଟ ଓ ଭିତ୍ତିଭୂମି ଅଭାବର ଆଳ ଦେଇ ବନ୍ଦ କରିଦେଇଛନ୍ତି । ପୁନଶ୍ଚ ନିକଟ ଭବିଷ୍ୟତରେ ୧୪୩୭୯ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ୍କୁ ଉପରୋକ୍ତ କାରଣ ଆଳରେ ଭାଙ୍ଗିବାକୁ ଯାଉଛନ୍ତି । ଏହାଛଡ଼ା ୨୧୦୦ ନୂତନ ଅନୁଦାନପ୍ରାପ୍ତ (ବ୍ଲକଗ୍ରାଣ୍ଟ) ଓ ୬୧୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲ୍ଗୁଡ଼ିକରେ ଉଦ୍ଦେଶ୍ୟମୂଳକ ଭାବେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ଶିକ୍ଷକ ନିଯୁକ୍ତ କରୁନଥିବାରୁ ଆସନ୍ତା ୩/୪ ବର୍ଷ ମଧ୍ୟରେ ଏହି ହାଇସ୍କୁଲ୍ ଗୁଡ଼ିକ ନିଶ୍ଚିତ ବନ୍ଦ ହୋଇଯିବା ଜଳ ଜଳ ଦିଶୁଛି । ପ୍ରଥମେ ୧୦ରୁ କମ୍ ପିଲା ଆଳ ଦେଇ ସରକାର ସ୍କୁଲ୍ ଭାଙ୍ଗିଲେ, ପରେ ୨୦ ପିଲାର ଆଳ, ଏବେ ପୁଣି ୮୦ ପିଲାର ଆଳ ଦେଉଛନ୍ତି । ପୁଣି ୩ କି.ମି. ମଧ୍ୟରେ ୬୦ରୁ କମ୍ ପିଲା ଥିବା ମାଧ୍ୟମିକ ସ୍କୁଲ୍ଗୁଡ଼ିକୁ ଭାଙ୍ଗିଦେବାର ତାଲିକା ପ୍ରକାଶ କରିଛନ୍ତି । ଏହିଭଳି ଭାବରେ ଗୋଟିଏ ପରେ ଗୋଟିଏ ସରକାରୀ ଶିକ୍ଷାନୁଷ୍ଠାନ ଭାଙ୍ଗି ଶିକ୍ଷା କ୍ଷେତ୍ରରୁ ସରକାର ସମ୍ପୂର୍ଣ୍ଣ ଓହରିଯାଇ ଶିକ୍ଷା ବ୍ୟବସାୟୀମାନଙ୍କ ହାତରେ ଶିକ୍ଷା ବ୍ୟବସ୍ଥାକୁ ଟେକି ଦେବାକୁ ଯାଉଛନ୍ତି । ସରକାର ଶିକ୍ଷକ ଓ ଭିତ୍ତିଭୂମିର ଅଭାବ କଥା ଯାହା କହୁଛନ୍ତି ସେଥିପାଇଁ ସେମାନେ ତ ନିଜେ ଦାୟୀ । ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ ଫଳରେ ଅଭିଭାବକମାନେ ବାଧ୍ୟ ହୋଇ ତାଙ୍କର ସନ୍ତାନମାନଙ୍କୁ ଖର୍ଚ୍ଚାନ୍ତ ହୋଇ, ପେଟରେ ଓଦା କନା ଦେଇ ଘରୋଇ ଶିକ୍ଷାନୁଷ୍ଠାନକୁ ପଠାଉଛନ୍ତି । ଏହା ଫଳରେ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରସଂଖ୍ୟା କମୁଛି । ମାତ୍ର ସରକାର ନିଜର ଦାୟିତ୍ୱ ପାଳନ ନ କରି ଓଲଟା ଛାତ୍ରସଂଖ୍ୟା କମ୍ ଆଳରେ ଜନଗଣଙ୍କ ଶ୍ରମ ଓ ଟିକସରେ ଗଢି ଉଠିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଭାଙ୍ଗି ଦେଉଛନ୍ତି । ଏହି ପ୍ରକ୍ରିୟାରେ ଆଗାମୀ ଦିନରେ କଲେଜଗୁଡ଼ିକର ଭଙ୍ଗା ମଧ୍ୟ ଆରମ୍ଭ ହୋଇ ଶିକ୍ଷାର ସମ୍ପୂର୍ଣ୍ଣ ଘରୋଇକରଣ ଓ ବ୍ୟବସାୟୀକରଣ ହେବ । ଏହାଦ୍ୱାରା ଗରୀବ ଓ ମଧ୍ୟବିତ୍ତ ଘରର ପିଲାମାନେ ଶିକ୍ଷା କ୍ଷେତ୍ରରୁ ବଚତ ହେବେ ।ସରକାରଙ୍କର ଏତାଦୃଶ ଶିକ୍ଷାମାରଣ ନୀତିକୁ ଡ଼େମୋକ୍ରାଟିକ୍ ଟିଚର୍ସ ଅର୍ଗାନାଇଜେସନ (ଡ଼ିଟିଓ)ର ରାଜ୍ୟ ସଭାପତି ବିଭୂତି ଭୂଷଣ ନାୟକ, ଉପସଭାପତି କ୍ଷୀରୋଦ ଚନ୍ଦ୍ର କର, ସମ୍ପାଦକ ନୃସିଂହ ଚରଣ ପଣ୍ଡା ଓ କାର୍ଯ୍ୟକାରିଣୀ ସଭ୍ୟ କେଶବ ଚନ୍ଦ୍ର ବିଶ୍ୱାଳ ତୀବ୍ର ବିରୋଧ କରିବା ସଙ୍ଗେ ସଙ୍ଗେ ଏହା ବିରୁଦ୍ଧରେ ଶିକ୍ଷକ ସଂଗଠନଗୁଡ଼ିକ ଏକ ମିଳିତ ମଞ୍ଚରେ ବ୍ୟାପକ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଛନ୍ତି । ଏଥି ସଙ୍ଗେ ସଙ୍ଗେ ବିଭିନ୍ନ ଗଣତାନ୍ତ୍ରିକ ସଂଗଠନ ବିଶେଷ ଓ ସକଳସ୍ତରର ଜନଗଣ ଏହା ବିରୁଦ୍ଧରେ ପ୍ରତିରୋଧ ଆନ୍ଦୋଳନ ଗଢି ତୋଳିବାକୁ ଡ଼ିଟିଓ ପକ୍ଷରୁ ନିବେଦନ କରାଯାଇଛି ।


