ରାଜ୍ୟସଭା ସଦସ୍ୟ ରୂପେ ଶପଥ ନେଲେ ପୂର୍ବତନ ବିଚାରପତି ରଞ୍ଜନ ଗୋଗେଇ
ନୂଆଦିଲ୍ଲୀ : ବିଭିନ୍ନ ବିରୋଧ ସତ୍ତ୍ବେ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗେଇ ଗୁରୁବାର ରାଜ୍ୟସଭାରେ ସଦସ୍ୟ ରୂପେ ଶପଥ ନେଇଛନ୍ତି । ରଞ୍ଜନ ଗୋଗେଇ ଶପଥ ନେବା ସମୟରେ କଂଗ୍ରେସ ନେତୃତ୍ବରେ ବିରୋଧୀର କିଛି ସାଂସଦ ହଙ୍ଗାମା କରିଛନ୍ତି । ନାରା ଲଗାଇବା ସହିତ ଗୃହତ୍ୟାଗ କରିଥିଲେ ବିରୋଧୀ ।
କଂଗ୍ରେସ ଓ ବିଏସପିର ସାଂସଦମାନେ ପ୍ରଥମେ ଗୃହ ମଧ୍ୟରେ ଜଷ୍ଟିସ୍ ଗୋଗୋଇଙ୍କ ଶପଥ ପାଠକୁ ବିରୋଧ କରିଥିଲେ। ଏହା ପରେ ସିପିଆଇ, ଡିଏମକେ ଓ ଏମଡିଏମକେ ସାଂସଦମାନେ ଏହାକୁ ସମର୍ଥନ କରିଥିଲେ। ଏହି ହୋହାଲ୍ଲା ମଧ୍ୟରେ ଜଷ୍ଟିସ ଗୋଗୋଇ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ତେବେ ଏହାକୁ ବିରୋଧୀ କରି ବିରୋଧୀ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ଜଷ୍ଟିସ ଗୋଗୋଇ ୨୦୧୯ ନଭେମ୍ବର ମାସରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ। ଏହାର ୪ ମାସ ପରେ ଅର୍ଥାତ ମାର୍ଚ୍ଚ ୧୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ। ତେବେ ଜଣେ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯିବା ଓ ଏହାକୁ ସେ ସହ ଗ୍ରହଣ କରିବାକୁ ଅନେକ ନାପସନ୍ଦ କରିଥିଲେ।


