ଜିଲ୍ଲା ପ୍ରାକୃତିକ ବିପର‌୍ୟ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ବହୁମୁଖୀ ଆଶ୍ରୟସ୍ଥଳୀଗୁଡିକର ପରିଚାଳନାକୁ ସୁସଂଯତ କରି ବ୍ୟବହାର ଉପଯୋଗୀ କରିବାକୁ ଗୁରୁତ୍ୱ

ବାଲେଶ୍ୱର,((ଯୁଗାବ୍ଦ ନ୍ୟୁଜ) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର‌୍ୟ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ନବ ନିର୍ବାଚିତ ମାନ୍ୟବର ବିଧାୟକମାନଙ୍କୁ ଜିଲ୍ଲା ତରଫରୁ ଫୁଲତୋଡା ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଆଗାମୀ ବର୍ଷା ଋତୁକୁ ଆଖିରେ ରଖି ଜିଲ୍ଲାକୁ କିପରି ଭାବେ ବନ୍ୟା, ବାତ୍ୟା ପ୍ରଭୃତିରୁ ରକ୍ଷା କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକ ପ୍ରାରମ୍ଭରେ ଦୁର୍ବଳ ନଦୀବନ୍ଧ ଚିହ୍ନଟ ଏବଂ ମରାମତି, କେନାଲ ମରାମତି, ଡ୍ରେନେଜ ସଫେଇ ପ୍ରଭୃତି ଉପରେ ଉପସ୍ଥିତ ସଭ୍ୟସଭ୍ୟାମାନେ ନିଜ ନିଜର ମତାମତ ରଖିଥିଲେ । ବନ୍ୟାଜଳ ଅବାଧରେ ଯେପରି ନିଷ୍କାସନ ହୋଇପାରିବ ସେଥିପାଇଁ ଆଗୁଆ ପଦକ୍ଷେପ ଭାବେ ନିର୍ବାହୀ ଯନ୍ତ୍ରୀ ଡ୍ରେନେଜ ଡିଭିଜନ କାର‌୍ୟ୍ୟକ୍ରମ ହାତକୁ ନେବାକୁ କୁହାଯାଇଛି । ଡ୍ରେନେଜ ସଫେଇ ସମୟରେ ଜନ ପ୍ରତିରୋଧ ସମସ୍ୟା ଉପୁଜିଲେ ସମ୍ପୃକ୍ତ ବିଭାଗ ସ୍ଥାନୀୟ ପୁଲିସ ଓ ତହସିଲଦାରଙ୍କର ସହାୟତା ଲୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଦର ବିଧାୟକ ମଦନ ମୋହନ ଦତ ଜିଲ୍ଲା ଜରୁରୀକାଳୀନ କାର‌୍ୟ୍ୟାଳୟରେ ଜରୁରୀକାଳୀନ ସାଧାରଣ ସୂଚନା ୨୪ ଘଂଟା ଉପଲବଧ କରିବା ଉପରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୃଷ୍ଟିପାତର ସଠିକ ମାପ ଏବଂ ଏହାର ସୂଚନା ଜିଲ୍ଲା କାର‌୍ୟ୍ୟାଳୟକୁ ତ୍ୱରିତ ସୂଚୀତ କରିବା ପାଇଁ ବି.ଡି.ଓ.ମାନେ ଯତ୍ନବାନ ହେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏଥିରେ ୪ଟି ବ୍ଲକରେ ଖରାପ ହୋଇ ପଡିଥିବା ବୃଷ୍ଟିପାତ ମାପ ଯନ୍ତ୍ର ତୁରନ୍ତ ମରାମତି ପାଇଁ ପରାମର୍ଶ ଦିଆଯାଇଥିଲା । ବନ୍ୟା ବେଳେ ରିଲିଫ ଓ ଉଦ୍ଧାର କାର‌୍ୟ୍ୟ ପାଇଁ ବି.ଡି.ଓ. ଓ ତହସିଲଦାରମାନେ ମିଳିତ ଭାବେ ନିଜର ଦାୟିତ୍ୱ ସମ୍ପାଦନ କରିବେ ବୋଲି କୁହାଯାଇଛି । ବର୍ତମାନ ଜିଲ୍ଲାରେ ୧୧୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବଂ ୨୮ଟି ବନ୍ୟା ଆଶ୍ରୟସ୍ଥଳୀ କାର‌୍ୟ୍ୟ କରୁଛି । ସେଗୁଡିକରେ ଆବଶ୍ୟକ ସରଞ୍ଜାମ ରହିଛି କି ନାହିଁ ତାହା ତଦାରଖ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି । ତା ସହ ଏସବୁ ଆଶ୍ରୟସ୍ଥଳୀଗୁଡିକର କମିଟି ଗଠନ କରି ପରିଚାଳନାକୁ ସୁସଂଯତ କରିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା, ବାତ୍ୟାର ଆଗୁଆ ସତର୍କ ସୂଚନା ଲୋକଙ୍କ ନିକଟରେ ପହଂଚାଇବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ପାଇ ଁ ମଧ୍ୟ କୁହାଯାଇଛି । ମାଙ୍କଡିଆ ପ୍ରକଳ୍ପର ନିର୍ମାଣ କାର‌୍ୟ୍ୟ ତ୍ୱରାନ୍ୱିତ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କୁ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର କହିବା ସହ ପଶ୍ଚିମବାର୍ଡ ଗ୍ରାମ ପଂଚାୟତ କାର‌୍ୟ୍ୟାଳୟ ପରିସରରେ ଏବଂ ରାଇବଣିଆ ଥାନାରେ ବୃଷ୍ଟିପାତ ମାପ ଯନ୍ତ୍ର ସ୍ଥାପନ କରିବା ପ୍ରସ୍ତାବ କାର‌୍ୟ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ । ବେତାର ବାର୍ତା ଜରୁରୀ ପରିସ୍ଥିତିରେ ଅଧିକ ଆବଶ୍ୟକତା ଥିବା ଯୋଗୁଁ ଜିଲ୍ଲାର କଷାଫଳ, ଦହମୁଣ୍ଡା, ଡଗରା, ଭୂଷଣ୍ଡେଶ୍ୱର ପ୍ରଭୃତି ସ୍ଥାନରେ ଭି.ଏଚ.ଏଫ. କେନ୍ଦ୍ର ଅସ୍ଥାୟୀଭାବେ ସ୍ଥାପନ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରାଯାଇଛି । ଭାରତ ସଂଚାର ନିଗମ ସମେତ ଜିଲ୍ଲାରେ କାର‌୍ୟ୍ୟ କରୁଥିବା ଘରୋଇ ଟେଲି ଯୋଗାଯୋଗ ସଂସ୍ଥାଗୁଡିକ ବନ୍ୟା, ବାତ୍ୟା ଭଳି ପରିସ୍ଥିତିରେ ବିଧ୍ୱସ୍ତ ଯୋଗାଯୋଗ ବ୍ୟବସ୍ଥାକୁ କାର‌୍ୟ୍ୟକ୍ଷମ କରିବାକୁ ତାଙ୍କ କର୍ମଚାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲାର ୩୨ଟି ବନ୍ୟାପ୍ରବଣ ସ୍ଥାନଗୁଡିକରେ ଆଗୁଆଭାବେ ମୋଟର ବୋଟ, ଦେଶୀ ଡଙ୍ଗା, ଉଦ୍ଧାରକାରୀ ଡଙ୍ଗା ମୁତୟନ ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ସୂଚନା ଦେଇଛି । ମୁତୟନ ହେବାକୁ ଥିବା ବୋଟ୍ଗୁଡିକୁ ପଞ୍ଜୀକୃତ କରିବା ଏବଂ ଲାଇସେନ୍ସ ଥିବା ସୁନିଶ୍ଚିତ କରିବାକୁ କୁହାଯାଇଛି । ଜିଲ୍ଲାର ଚୂଡାକଳ ଓ ମିଲ୍ମାଲିକଙ୍କୁ ଚିହ୍ନଟ କରି ଯୋଗାଯୋଗ ସ୍ଥାପନ କରିବା, ଆବଶ୍ୟକସ୍ଥଳେ ତାଙ୍କଠାରୁ ଅତିରିକ୍ତ ଶୁଖିଲା ଖାଦ୍ୟସାମଗ୍ରୀ ମଗାଇବା ବ୍ୟବସ୍ଥା କରିବାକୁ ଜିଲ୍ଲା ଯୋଗାଣ ବିଭାଗକୁ କୁହାଯାଇଛି । ସେହିପରି କିରୋସିନ ମଧ୍ୟ ମହଜୁଦ ରଖିବାକୁ କୁହାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଦ୍ୱାରା ୨୦୧୯ ମସିହା ବନ୍ୟାବାତ୍ୟା ନିମନ୍ତେ ଯୋଜନା ପ୍ରସ୍ତୁତ କରି ଆବଶ୍ୟକ ଔଷଧ, ଔଷଧ କିଟ, କର୍ମଚାରୀଙ୍କୁ ସଜାଗ ରଖିବା ସହ ସାପକାମୁଡା ଇଞ୍ଜେକସନ, ହଇଜା ଓ ମ୍ୟାଲେରିଆ ମୁକାବିଲା ପାଇଁ ଓ.ଆର.ଏସ., ହେଲୋଜିନ, ବ୍ଲିଚିଂ, ଥଣ୍ଡା, କାଶ ଭଳି ରୋଗ ପାଇଁ ଔଷଧ ଆଗୁଆ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଅଙ୍ଗନଓାଡି କେନ୍ଦ୍ରରେ ମହଜୁଦ ରଖିବାକୁ କୁହାଯାଇଛି । ତା ଛଡା ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ କାର‌୍ୟ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଖରାଦିନ ପାଇଁ ନଳକୂପ ମରାମତି ସହ ଟ୍ୟାଙ୍କରରେ ଜଳଯୋଗାଣ ଅବ୍ୟାହତ ରଖିବା ଏବଂ ବନ୍ୟା, ବାତ୍ୟା ସମୟରେ ଅନୁରୂପଭାବେ ପାନୀୟ ଜଳଯୋଗାଣ ସୂଚାରୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରାଣୀଧନ ଚିକିତ୍ସା ବିଭାଗ ଗୃହପାଳିତ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ପ୍ରତି ଚିକିତ୍ସାସେବା ଯୋଗାଇଦେବା ପାଇଁ କୁହାଯାଇଛି । କୃଷି ବିଭାଗ ତରଫରୁ ସମନ୍ୱିତ ଯୋଜନା ପ୍ରସ୍ତୁତ କରି ବନ୍ୟାବାତ୍ୟା ପ୍ରଭାବିତ କୃଷିର ଭରଣା, ବିହନ ଓ ସାର ଯୋଗାଣ ସହାୟତା ପାଇଁ ପଦକ୍ଷେପ ନେବେ । ରିଲିଫ ଯୋଗାଣ ସମୟରେ ଆବଶ୍ୟକ ଯାନବାହାନ ଯୋଗାଇ ଦେବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ କୁହାଯାଇଛି । ରିଲିଫ ଓ ଉଦ୍ଧାର କାର‌୍ୟ୍ୟ ବେଳେ ପୋଲିସ ତରଫରୁ ରିଲିଫ ସାମଗ୍ରୀର ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରିବା ସହ ବାଲେଶ୍ୱରଠାରେ ଓଡ୍ରାଫର ଗୋଟିଏ ୟୁନିଟ ଏବଂ ଏନ.ଡି.ଆର.ଏଫ.ର ଗୋଟିଏ ଟିମ ମୁତୟନ କରିବା ବନ୍ଦୋବସ୍ତ କରାଯିବ । ସଡକ ଯାତାୟତ ସୂଚାରୁ ପାଇଁ ସମ୍ପୃକ୍ତ ସମସ୍ତ ବୈଷୟିକ ସଂସ୍ଥା ଜାଗତୟାର ରହିବାକୁ କୁହାଯାଇଛି । ଏଥିସହିତ ଜିଲ୍ଲାରେ ହେଲିପ୍ୟାଡ ଓ ଏୟାରଷ୍ଟ୍ରିପ ଚିହ୍ନଟ କରି ତାର ସଠିକ ଅବସ୍ଥିତି, ଅକ୍ଷାଂଶ ଓ ଦ୍ରାଘିମା ସୂଚୀତ କରି ରାଜ୍ୟ କାର‌୍ୟ୍ୟାଳୟକୁ ଜଣାଇବା ଏବଂ ବନ୍ୟାଜନିତ ରିପୋର୍ଟ ନିୟମିତଭାବେ ପ୍ରେରଣ କରିବା ପ୍ରଭୃତି ପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି । ଫନୀ ପାଇଁ ବାଲେଶ୍ୱର ଜିଲ୍ଲାରେ ମହଜୁଦ ଥିବା ସମସ୍ତ ପଲିଥିନ ପୁରୀ ପଠାଯାଇଥିବା ବେଳେ ଖୁବ୍ ଶୀଘ୍ର ୪ହଜାର ପଲିଥିନ ସିଟ୍ ଜିଲ୍ଲା ପାଇଁ ଆସି ପହଂଚିବ ବୋଲି ଜିଲ୍ଲାପାଳ କହିଥିଲେ । ରିଲିଫ ପାଇଁ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସରଂଜାମ ଚିହ୍ନଟ କରି ଅନଲାଇନ ଡାଟାବେସ ପ୍ରସ୍ତୁତି ପାଇଁ ଯେଉଁ କାର‌୍ୟ୍ୟାଳୟ ତଥ୍ୟ ପ୍ରଦାନ କରିନାହାଁନ୍ତି ସେମାନେ ତୁରନ୍ତ ଜିଲ୍ଲା କାର‌୍ୟ୍ୟାଳୟକୁ ଦେବାକୁ କୁହାଯାଇଛି । ନେସକୋ ତରଫରୁ ବିଦ୍ୟୁତ ସରବରାହ ବ୍ୟବସ୍ଥିତ ପାଇଁ ଲୋକଶକ୍ତି ଓ ମେସିନ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ଏପରି ଜରୁରୀ ପରିସ୍ଥିତିବେଳେ ସ୍ଥାନୀୟ ଅଂଚଳରେ କାର‌୍ୟ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ନିଆଯିବା ପାଇଁ ମଧ୍ୟ ସମନ୍ୱୟ ରଖାଯିବ । ଏଥର କଲେଜର ଏନ୍.ଏସ.ଏସ. ୟୁନିଟକୁ ସାମିଲ କରିବା ପାଇଁ ମତପ୍ରକାଶ ପାଇଥିଲା । ପ୍ରାକୃତିକ ବିପର‌୍ୟ୍ୟୟ ବେଳେ ବି.ଡି.ଓ., ତହସିଲଦାର ଓ ଉପଜିଲ୍ଲାପାଳମାନଙ୍କ କାର‌୍ୟ୍ୟାଳୟ ଯେପରି ସୂଚାରୁଭାବେ ନିୟନ୍ତ୍ରଣ କକ୍ଷ କାର‌୍ୟ୍ୟ କରିବ ସେଥିପାଇଁ ସମ୍ପୃକ୍ତ ଅଧିକାରୀମାନେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହି ବୈଠକରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବାଲେଶ୍ୱର ବିଧାୟକ ମଦନମୋହନ ଦତ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ସାଂସଦଙ୍କ ପ୍ରତିନିଧି କେଶବ କୁମାର ଆଚାର‌୍ୟ୍ୟ, ଭୋଗରାଇ ବିଧାୟକଙ୍କ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଉପଜିଲ୍ଲାପାଳ ବାଲେଶ୍ୱର ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ନୀଳଗିରି ବିଶାଲ ସିଂହ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଭୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ବି.ଡି.ଓ., ତହସିଲଦାର, ଲାଇନ ଡିପାର୍ଟମେଂଟର ଅଧିକାରୀଗଣ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଅଗ୍ନିଶମ ବିଭାଗ, ଓଡ୍ରାଫ, ଏନ.ଡି.ଆର.ଏଫ. ର ପ୍ରତିନିଧିଗଣ ଯୋଗ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ