କବିତା ଓ ସମ୍ବାଦପାଠରୁ ଆରମ୍ଭ ହେଲା ଇଟିକିଲି ମିଟିକିଲ ଉତ୍ସବ

କବିତା ଓ ସମ୍ବାଦପାଠରୁ ଆରମ୍ଭ ହେଲା ଇଟିକିଲି ମିଟିକିଲ ଉତ୍ସବ
କବିତା ଓ ସମ୍ବାଦପାଠରୁ ଆରମ୍ଭ ହେଲା ଇଟିକିଲି ମିଟିକିଲ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାନସାନ ପିଲାମାନଙ୍କ ମଧ୍ୟରେ ଭରି ରହିଥିଲା ଅଫୁରନ୍ତ ଉତ୍ସାହ । କିଏ ଗଛକୁ ନେଇ କବିତା ଆବୃତ୍ତି କରୁଥିଲା ତ,କିଏ ଦେଶମାତୃକା ବିଷୟକୁ ନେଇ କବିତା ଆବୃତ୍ତି କରୁଥିଲା, କିଏ ବି ଅଜାଙ୍କ ବିଷୟରେ ମଜା କବିତା ଆବୃତ୍ତି କରୁଥିଲା । ପୁଣି କିଏ ଟେଲିଭିଜନରେ ବଡ଼ମାନେ ଯେପରି ସମ୍ବାଦପାଠ କରନ୍ତି ସେମାନଙ୍କ ପରି ସୁନ୍ଦର ଢଙ୍ଗରେ ସମ୍ବାଦ ପରିବେଷଣ କରି ଦର୍ଶକଙ୍କ ମନ ମୋହି ନେଉଥିଲା । ଅବସର ଥିଲା ଚତୁର୍ବିଂଶତମ ଇଟିକିଲି ମିଟିକିଲିି ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ, ଯାହାକି  ଭୁବନେଶ୍ୱରସ୍ଥିତ ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକ୍‍ନୋଲୋଜି ଅଡିଟରିୟମ୍‍ଠାରେ ଆରମ୍ଭ ହୋଇଛି । ସର୍ବପ୍ରଥମେ ଅନୁଷ୍ଠାନର ସଭାପତି ଦାଶ ବେନହୁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଶିଶୁ-କଳାକାରମାନଙ୍କ ସହିତ ସମ୍ମାନନୀୟ ଅତିଥି ଭାବରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜର ସି.ଇ.ଓ. ଅଶୋକ କୁମାର ବଳ, ରୟାଲ କଲେଜର ଚେୟାରମ୍ୟାନ ବିଷ୍ଣୁମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟରେ ପିଲାମାନଙ୍କ ପାଇଁ ଆୟୋଜିତ ହୋଇଥିବା ଏହି ଉତ୍ସବ ନିଶ୍ଚିତ ଭାବରେ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । କବିତା ଆବୃତ୍ତି କାର୍ଯ୍ୟକ୍ରମରେ ଅତିଥି ତଥା ବିଚାରକ ଭାବରେ ଶିଶୁ-ସାହିତ୍ୟିକ ବଙ୍କିମଚନ୍ଦ୍ର ନାୟକ, ନୀଳମଣି ଚାନ୍ଦ ଓ କବିତା ମିଶ୍ର ପ୍ରମୁଖ ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । କବିତା ଆବୃତ୍ତି ପରେ ଅନୁଷ୍ଠିତ ହୋଇଥିଲା ଓଡ଼ିଆ ସମ୍ବାଦପାଠ କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରମୁଖ,ନୀଳାଦ୍ରି ମୋହନ ଶତପଥୀ ଯୋଗଦେଇ ସାନସାନ ପିଲାଙ୍କର ସମ୍ବାଦ ପଠନ ଶୈଳୀକୁ ବେଶ୍‍ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଟେଲିଭିଜନର ସମ୍ବାଦପାଠିକା ଋକ୍ମିଣୀ ସାହୁ, ଦିବ୍ୟାଶା ଭରଦ୍ୱାଜ ଓ ବରିଷ୍ଠ ସମ୍ବାଦିକ ଚିତ୍ତ ମହାପାତ୍ର ପ୍ରମୁଖ ଅତିଥି ତଥା ବିଚାରକ ଭାବରେ ଯୋଗଦାନ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଏବଂ ଏଥିରେ ମୁଖ୍ୟ ଅତିଥି ଭାବରେ ଗୁରୁ ରାମହରି ଦାସ ଯୋଗଦେଇ କୁନିକୁନି ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ରୟାଲ କଲେଜ ପରିଚାଳନା କମିଟିର ସଦସ୍ୟା ଶୋଭନା ମହାନ୍ତି ସମସ୍ତ ନୃତ୍ୟଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମରେ ଅତିଥି ତଥା ବିଚାରକ ଭାବରେ ଗୁରୁ ଅଶୋକ ଦାଶ, ଗୁରୁ ଦେବବ୍ରତ ଦାସ ଓ ଶ୍ରୀନିବାସ ଘଟୁଆରୀ ପ୍ରମୁଖ ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । । ଆଜି ଆୟୋଜିତ ପ୍ରଥମ ଦିବସର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଚିବ ଶରତ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯଥା, ସହ-ସଚିବ ଜୟପ୍ରକାଶ ମିଶ୍ର, ସାଂସ୍କୃତିକ ସଂପାଦିକା ଅନୀତା ରଥ, ତପତୀ ପାଣିଗ୍ରାହୀ, ତୃପ୍ତି ବାରିକ, ପ୍ରିୟଦର୍ଶୀ ଶୁଭକାନ୍ତ ଓ ଶିଳ୍ପୀତା ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ଆସନ୍ତାକାଲି ଦ୍ୱିତୀୟ ଦିବସରେ ପିଲାମାନଙ୍କ ମଧ୍ୟରେ କଣ୍ଠ ସଙ୍ଗୀତ ଓ ପାରମ୍ପରିକ ସଙ୍ଗୀତ ଭିତ୍ତିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ସମଗ୍ର ରାଜ୍ୟରୁ ପାଞ୍ଚ ଶହରୁ ଊଦ୍ଧ୍ୱର୍ ସାନସାନ ପିଲା ଅଂଶଗ୍ରହଣ କରିଛନ୍ତି । ଏହି ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆଗାମୀ ଜୁଲାଇ ୨୧ ତାରିଖ ଦିନ ଜୟଦେବ ଭବନଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଚିବ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ