ଅତ୍ୟାଧୁନିକ କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନାର ଚୁକ୍ତିନାମା ସ୍ୱାକ୍ଷରିତ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସିୟୁଟିମ୍ ପରିସରରେ ଆରମ୍ଭ ହେବାକୁ ଥିବା ଅତ୍ୟାଧୁନିକ କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନାର ଚୁକ୍ତିନାମା ଆଜି ଗଜପତି ପ୍ରଶାସନ ଓ ହାଇଟେକ୍ ପ୍ରଶାସନ ଦ୍ୱାରା ସ୍ୱାକ୍ଷରିତ ହୋଇଛି । ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଚୁକ୍ତିନାମା ସ୍ୱାକ୍ଷରରେ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ହାଇଟେକ୍ ମେଡିକାଲ କଲେଜ ତରଫରୁ ଚିଫ୍ ଅପରେଟିଙ୍ଗ ଅଫିସର ଜ୍ୟୋତି ରଞ୍ଜନ ପଣ୍ଡା,ମୁଖ୍ୟ ମେଡିକାଲ ଇଞ୍ଜିନିୟର ଏମ୍.ରାମାରାଓ,ପ୍ରଶାସକ ସତ୍ୟବ୍ରତ ସ୍ୱାଇଁ,ନିର୍ଦ୍ଦେଶକ ଅଶୋକ ପାଣିଗ୍ରାହୀ ଓ ପ୍ରସାଦ ପାଣିଗ୍ରାହୀଙ୍କ ସମେତ ପାରଳାଖେମୁଣ୍ଡି ହାଇଟେକ୍ର କେ.ବିଜୟ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ହାଇଟେକ୍ର ଚିଫ୍ ଅପରେଟିଙ୍ଗ ଅଫିସର ଜ୍ୟୋତି ରଞ୍ଜନ ପଣ୍ଡା ଦ୍ୱୟ ଅତ୍ୟାଧୁନିକ କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନାର ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଏହି ଡାକ୍ତରଖାନା ଅତି ତୁରନ୍ତ ଆରମ୍ଭ ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ଆଦି ଶେଷ ପର୍ଯାୟରେ ପହଞ୍ଚିଛି । ହାଇଟେକ୍ ଗୃପ୍ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଏ ନେଇ କହିଛନ୍ତି,ଅତ୍ୟାଧୁନିକ ଯାନ୍ତ୍ରୀକ ପଦ୍ଧତି ଦ୍ୱାରା କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନା ଅତି ତୁରନ୍ତ କାର୍ଯ୍ୟାରମ୍ଭ କରିବ । କରୋନା ଆତଙ୍କରୁ ଲୋକଙ୍କୁ ସୁରକ୍ଷା ଦେବା ସହ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଲୋକଙ୍କୁ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାରଳାଖେମୁଣ୍ଡି ଠାରେ ହାଇଟେକ୍ ଦ୍ୱାରା ଏହି କୋଭିଡ୍-୧୯ ଡାକ୍ତରଖାନାର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବାରେ ଅଭିଜ୍ଞ ଥିବା ବରିଷ୍ଠ ଡାକ୍ତରୀ ଦଳ,ସମସ୍ତ ଟେକନିୟସିନ୍,ଆବଶ୍ୟକୀୟ କର୍ମଚାରୀ ପ୍ରାୟତଃ ସମସ୍ତଙ୍କୁ ଏଠାରେ ରହି ୨୪ଘଣ୍ଟିଆ ଲୋକଙ୍କୁ ସେବା ଯୋଗାଇ କରୋନାର ମୁକାବିଲା କରାଯିବ । ସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଉତ୍ସର୍ଗ କରିଥିବା ହାଇଟେକ୍କୁ ଏହାର ଦାୟିତ୍ୱ ଦେଇଥିବାରୁ ଅତ୍ୟନ୍ତ ଗୁରୁତ୍ୱ ଦେଇ ଲୋକଙ୍କୁ ସେବା ଯୋଗାଇବୁ । ଏଥି ପାଇଁ ରାଜ୍ୟ ସରକାରଙ୍କ ଠାରେ ହାଇଟେକ୍ ସଦାସର୍ବଦା ଋଣୀ ଅଟେ ବୋଲି ଡ.ପାଣିଗ୍ରାହୀ ଜଣାଇଛନ୍ତି ।


