ନିର୍ମାଣ ଶ୍ରମିକ ପଞ୍ଜୀକରଣ ତାଲିକାରେ ତୃଟି: ସହାୟତା ରାଶି ପାଇବାରୁ ବହୁ ଶ୍ରମିକ ବଞ୍ଚିତ
ବନ୍ତ, (ଚାନ୍ଦିନୀ ମହାନ୍ତି): କରୋନା ଲକ୍ ଡାଉନ୍ ପାଇଁ ସରକାର ଶ୍ରମିକ ମାନଙ୍କୁ ୧୫ ଶହ ଟଙ୍କା ଲେଖାଏଁ ଯୋଗାଇ ଦେଉଥିବାବେଳେ ପଞ୍ଜିକରଣ କ୍ରମିକ ସଂଖ୍ୟା ଭୁଲଥିବାରୁ ଅନେକ ଶ୍ରମିକ ଏଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୭ଗୋଟି ବ୍ଲକ ଓ ୨ଗୋଟି ପୌରପାଳିକା ଅଞ୍ଚଳରେ ୬୮ହଜାର ୯୮୦ଜଣ ଶ୍ରମିକଙ୍କ ନାମ ପଞ୍ଜିକରଣ ହୋଇଥିଲା । ଦୁଃଖର କଥା ଗୋଟିଏ ବ୍ଲକ କିମ୍ବା ପଞ୍ଚାୟତର ଶ୍ରମିକଙ୍କ ନାମ ଅନ୍ୟ ବ୍ଲକ ଓ ପଞ୍ଚାୟତରେ ବାହାରୁଥିବାରୁ ଅର୍ଥ ପ୍ରଦାନରେ ବ୍ୟାପକ ଅସୁବିଧା ସୃଷ୍ଟି ହେଉଛି । ଏପରିକି ଶ୍ରମିକମାନେ ୧୫ ଶହ ଟଙ୍କା ପାଇଁ ଏ ପଞ୍ଚାୟତରୁ ସେ ପଞ୍ଚାୟତ ଦୌଡୁଥିଲେ ମଧ୍ୟ ସେମାନଙ୍କ ପାଇଁ ଏଯାଏଁ କୌଣସି ସଠିକ୍ ନିଷ୍ପତ୍ତି ହୋଇପାରୁନାହିଁ । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଶ୍ରମିକମାନଙ୍କର ପଞ୍ଜିକରଣ କ୍ରମିକ ସଂଖ୍ୟାକୁ ସଠିକ୍ ଭାବେ ପୁନଃରାୟ ପ୍ରକାଶ କରିବା ପାଇଁ ଶ୍ରମିକ ମାନେ ଦାବୀ କରିଛନ୍ତି ।


