ଅଗ୍ନିକାଣ୍ଡ ଘଟି ୬ଗାଈ ଜୀବନ୍ତ ଦଗ୍ଧ ଓ ୩ ଗାଈ ଅର୍ଦ୍ଦଦଗ୍ଧ

ନାଉଗାଁ (ଓ୍ବାଇଏନ୍ଏସ୍) : ନାଉଗାଁ ତହସିଲ ଅନ୍ତର୍ଗତ ଗଳଦାରୀ ଗ୍ରାମର ଅର୍ଜ୍ଜୁନ ଦାସ ଓ ସହଦେବ ଦାସଙ୍କ ଗୁହାଳେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬ଟି ଦୁଧଳିଆ ଗାଈ ଜୀବନ୍ତ ଦଗ୍ଧ ହେବା ସହିତ ଅର୍ଦ୍ଦ ଦଗ୍ଧ ଅବସ୍ଥାରେ ୩ଟି ଗାଈକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ହଠାତ୍ ଗାଈଙ୍କର ଚିତ୍କାର ଶୁଣି ପରିବାର ଲୋକ ଓ ପଡିଶା ଲୋକ ଉଠିଥିଲେ । ଦେଖିଲା ବେଳକୁ ୨ ବଖରା ଗୁହାଳ ପୋଡିବା ସହିତ ଶୋଇବା ଘରକୁ ନିଆଁ ଲାଗିଥିଲା । ନିଆଁରେ ୬ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଗ୍ରାମବାସୀ ନିଆଁକୁ ଆୟତ କରି ପାରି ନଥିବା ବେଳେ ନାଉଗାଁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ଗାଡି ପହଁଚି ନିଆଁକୁ ଆୟତ କରିବା ବେଳକୁ ଘରର ସମସ୍ତ ଆସବାବପତ୍ର ଜଳି ଯାଇଥିଲା । ୩ ଟି ଗାଈଙ୍କୁ ଅର୍ଦ୍ଦ ଦଗ୍ଧ ଅବସ୍ଥାରେ ଉଦ୍ଧରା କରାଯାଇଥିଲା । ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା, ରାଜସ୍ୱ ନିରୀକ୍ଷକ , ନାଉଗାଁ ପଶୁ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ କୁମାର ପଣ୍ଡା ପହଁଚି କ୍ଷୟକ୍ଷତିର ଆକଳନ କରିଥିଲେ । ସେହିପରି ଅର୍ଦ୍ଦଦଗ୍ଧ ଅବସ୍ଥାରେ ଥିବା ଗାଈଙ୍କର ଚିକିତ୍ସା କରାଯାଇଥିଲା । ଏହି ପରିବାରକୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନାଉଗାଁ ତହସିଲଦାର ଜେ. କଳ୍ପନା ଓ ପଶୁ ଚିକିତ୍ସକଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ ଅର୍ଜ୍ଜୁନ ଓ ସହଦେବ ୨ ଭାଇ ହୋଇଥିବା ବେଳେ ଗାଈ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି ।ଏକକାଳିନ ୬ଟି ଗାଈଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମୁଣ୍ଡରେ ଚଡକ ପଡିଯାଇଛି । ଅପରପକ୍ଷେ ଘରର ସମସ୍ତ ଆସବାବପତ୍ର ଓ ଧାନ,ଚାଉଳ ପୋଡି ଯାଇଥିବାରୁ ସେମାନେ ବେସହରା ହୋଇପଡିଛନ୍ତି । ଯଥା ଶୀଘ୍ର ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପଂଚାୟତର ସମିତି ସଭ୍ୟ ପ୍ରଭାତ କୁମାର ସ୍ୱାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ବିଷୟରେ ତହସିଲଦାର ଜେ. କଳ୍ପନାଙ୍କୁ ପଚାରିବାରୁ ଅଗ୍ନିକାଣ୍ଡର ତଦନ୍ତ କରାଯିବା ସହିତ କ୍ଷୟକ୍ଷତିର ଆକଳନ କରାଯାଇଛି । ଉକ୍ତ ପରିବାରକୁ ପଲିଥିନ ଆଦି ଯୋଗାଇ ଦିଆଯାଇଛି । ଯାହା କ୍ଷୟକ୍ଷତି ହୋଇଛି ସରକାରୀ ନିୟମାନୁସାରେ ଯଥା ଶୀଘ୍ର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟପଟରେ ବିଦ୍ୟୁତ ସଟସର୍କିଟ ଯୋଗୁ ଗୁହାଳରେ ନିଆଁ ଲାଗିଥାଇ ପରେ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ