୧୩ ପ୍ରତିଶତ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଉଛନ୍ତି : ଲବ୍ ଅଗ୍ରଓ୍ବାଲ
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲ । ଶୁକ୍ରବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮୩୭ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୦୦୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୭୪୯ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୪୩୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୨୯ଟି ନୂତନ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କରୋନା ସଂକ୍ରମଣ ହାର ହ୍ରାସ ପାଇଥିବା ନେଇ ମଧ୍ୟ ସୂଚନା ମିଳିଛି । ୧୯ଟି ରାଜ୍ୟରେ କରୋନା ସଙ୍କ୍ରମଣ ଜାତୀୟ ସଂକ୍ରମଣ ହାରଠାରୁ ନିମ୍ନରେ ରହିଛି । ଦେଶରେ ପ୍ରତି ୬.୨ ଦିନରେ ସଙ୍କ୍ରମଣ ଦ୍ବିଗୁଣିତ ହେଉଥିବା ବେଳେ ୧୯ଟି ରାଜ୍ୟରେ ଏହା ତଳୁଆ ରହିବା ସନ୍ତୋଷ ଜନକ ବୋଲି ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଶୁକ୍ରବାର ସୁଦ୍ଧା ଭାରତରେ ୧୩.୦୬ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୯୧୯ଟି କୋଭିଡ୍ -୧୯ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିବା ବେଳେ ୧ ଲକ୍ଷ ୭୩ ହଜାର ଆଇସୋଲେସନ୍ ଶଯ୍ୟାର ବ୍ୟବସ୍ଥା ରହିଛି ।


