ରେସନକାର୍ଡ କଟିଯିବାରୁ ଭୋକ ଉପାସରେ ୪୦ ପରିବାର
ହାଟଡ଼ିହି (ଓ୍ବାଇଏନ୍ଏସ୍) : କେ ବାଲିପାଳ ପଞ୍ଚାୟତରେ ରେସନକାର୍ଡ କଟିଯିବାରୁ ୪୦ରୁ ଉର୍ଦ୍ଧ ପରିବାର ଭୋକ ଉପାସରେ ଦିନ କାଟୁଥିବା ଅଭିଯୋଗ କରିଛନ୍ତି । ସେମାନେ ଗତ ଫେବୃୟାରୀ ମାସରେ ଚାଉଳ ନେଇଥିବାବେଳେ ଚଳିତମାସ କରୋନା ପାଇଁ ଅଗ୍ରୀମ ତିନି ମାସର ଚାଉଳ ଦିଆଯାଉଥିବାବେଳେ ସେମାନଙ୍କ ନାମ କଟିଯାଇଛି କହି ପଞ୍ଚାୟତ କର୍ତ୍ତୁପକ୍ଷ ଚାଉଳ ଦେଇ ନଥିବା ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ କେ. ବାଲିପାଳ ପଞ୍ଚାୟତଟି ଏକ ଆଦିବାସୀ ବହୁଳ ପଞ୍ଚାୟତ । ଏଠାରେ ୯୯ଭାଗ ଲୋକ ଆଦିବାସୀ ଶ୍ରେଣୀର ହୋଇଥିବାବେଳେ ସେମାନେ ପରର ମୁଲ ଲାଗି, ଖଲିପତ୍ର ସିଲାଇ କରି ଓ ଆଉ କିଛି ବାହାରେ ଶ୍ରମିକ ଭାବେ କାମ କରି ପରିବାର ଚଳାଇଥାନ୍ତି । ପ୍ରାୟ ସମସ୍ତ ପରିବାର ଗୁଡିକ ଯୋଗାଣ ସାମଗ୍ରୀ ଉପରେ ନିର୍ଭରକରିବା ସହ ପିଡିଏସ ଚାଉଳ ହିଁ ସେମାନଙ୍କ ପାଇଁ ସାହା ଭରଷା ହୋଇଥାଏ । କରୋନା ପାଇଁ ଲକଡାଉନ ହୋଇ ଯିବାପରେ ରାଇଘାଟି, ଭଅଁରା, ରାଇଘାଟି ୨, ପାଲବଣି ଓ ମଲ୍ଲିପସୀ ଅଞ୍ଚଳର ଲୋକମାନେ ବାହାରକୁ କାମଦାମ କରିବାକୁ ଯାଇ ପାରୁନଥିବାବେଳେ ଗାଁରେ ମଧ୍ୟ କେଉଁଠି କାମଦାମ ମିଳୁନି । ସରକାରଙ୍କ ଏମଜିଏନଆରଇଜିଏସ ଯୋଜନାର କାର୍ଯ୍ୟ ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ । ଏପରି ସ୍ଥିତିରେ ଏହି ଅଞ୍ଚଳର ଲୋକମାନଙ୍କ ଚାଉଳ କାର୍ଡ କଟିଯାଇଥିବାରୁ ଲୋକମାନେ ଓହିଏ ଖାଇଲେ ଓଳିଏ ଉପାସରେ ଦିନ କାଟୁଥିବା କହିଛନ୍ତି । ରାଇବାରୀ ହୋ ନାମକ ଜଣେ ବୃଦ୍ଧାଙ୍କ କହିବାନୁଯାଇ ସେ ଗତ ଫେବୃୟାରୀରେ ଚାଉଳ ନେଇଥିଲେ । କିନ୍ତୁ ଚଳିତମାସ ରେସନକାର୍ଡ ଧରି ଚାଉଳପାଇଁ ଏସଏସଜି ଗ୍ରୁପ ନିକଟକୁ ଯିବା ବେଳେକୁ ତାଙ୍କର କାର୍ଡ କଟିଯାଇଛି କହି ଫେରାଇ ଦେଇଥିଲେ । ଚାଉଳ କି ସରକାରୀ ସହାୟତା ପାଇ ନପାରି ୫ପରାଣୀ କୁଟୁମ୍ବ ବହୁ କଷ୍ଟରେ ଚଳୁଛୁ ବୋଲି କହିଛନ୍ତି । ସେହିପରି ଦଶମା ମହାକୁଡ, ଦୁସୁକି ହୋ, ସୁତିଶି ଝାଲିଆ, ରାନୁ ଟୁଡୁ, ତୁଳସୀ ମହାକୁଡ, ମୁକୁତା ହୋ, ମେଞ୍ଜ ହୋ, ସୁବୁନି ମହାକୁଡ, ମୁକୁତା ହେମ୍ରମ, ସତୁରୀ ହୋ, ପ୍ରଫୁଲ ନାଇକ, ସୁମି ମହାକୁଡ, ସିନୁ ହୋ, ବଡବୁଷ୍ଟି ହୋ, ଜାମ୍ବି ହୋ, ବାସନ୍ତୀ ମୁଣ୍ଡା, ସୀତା ମହାକୁଡମିତାଞ୍ଜଳୀ ପ୍ରଧାନ, ଲିଲି ସେନାପତି, ସୁର୍ଯ୍ୟମଣୀ ନାଇକମକୁରୁ ହୋଙ୍କ ସମେତ ୩୫ରୁ ଉର୍ଦ୍ଧ ହିତାôଦକାରୀ ଚଳିତମାସ ରେସନ ସାମଗ୍ରୀ ସହିତ ସରକାରଙ୍କ ତରଫରୁ ଦିଆଯାଉଥିବା ହଜାରେ ଟଙ୍କର ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଅତି ଦୁଖଃକଷ୍ଟରେ ଦିନ ଅତିବାହିତ କରୁଥିବାବେଳେ କୌଣସି ପ୍ରଶାସନିକ ଅଧିକାରୀ ସେମାନଙ୍କ କଥା ବୁଝୁ ନଥିବା ଅଭିଯୋଗ କରିଛନ୍ତି । ଗତ କିଛିଦିନ ମାସ ସେମାନେ ଆଧାର ସଂଯୋଗ କରିବାପାଇଁ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଆଧାରକାର୍ଡ ଦେଇଥିବାବେଳେ ଦୁଇ ତିନି ଦିନ ଭିତରେ ଆଧାର ସଂଯୋଗ ହୋଇଯିବ ବୋଲି ଯୋଗାଣ ଅଧିକାରୀ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଆଧାର ସଂଯୋଗ କରାନଯିବାରୁ ୪୦ରୁ ଉର୍ଦ୍ଧ ରାସନକାର୍ଡ କଟି ଯାଇଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତିବୋଲି ହିତାଧିକାରୀ ମାନେ ଆଜି ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତର ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ପଚାରିବାରେ ଦୁଇଟି ଏସଏସଜି ଗ୍ରୁପ ଦ୍ୱାରା ପଞ୍ଚାୟତରେ ରେସନ ସାମଗ୍ରୀ ବଣ୍ଟନ କରାଯାଉଛି । କିନ୍ତୁ ୪୪ଜଣଙ୍କ ରେସନକାର୍ଡ କଟିଯାଇଥିବାରୁ ସେମାନେ ଚାଉଳ ଏବଂ ସରକାରଙ୍କ ଏକହଜାର ଟଙ୍କାର ସହାୟତା ରାଶି ପାଇପାରି ନାହାନ୍ତି । ଆଜି ଆମେ ସେହି ସବୁ ପରିବାରକୁ ଚୁଡା ଓ ମୁଢ଼ି ପ୍ରଦାନ କରିଛୁ ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ଗରିବ ଆଦିବାସୀ ମାନଙ୍କ ରେସନକାର୍ଡ ଗୁଡିକୁ ଆଧାର ସଂଯୋଗ କରିବା ସହ ସେମାନଙ୍କୁ ଚାଉଳ ଓ ସହାୟତା ରାଶି ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ନିବେଦନ କରିଛନ୍ତି ।


