ପୋଲିସକୁ ସଙ୍ଘବଦ୍ଧ ଅକ୍ରମଣ ଘଟଣାର ମାଷ୍ଟରମାଇଁଣ୍ଡ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ଦେଶୀ ଚୋରା ମଦ ଚାଲାଣକୁ ବାରଣ କରିବାରୁ ଗତ ୧୪ତାରିଖ ବିଳମ୍ବିତ ରାତ୍ରରେ ପୋଲିସକୁ ମଦ ବ୍ୟବସାୟୀମାନେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଏହି ଘଟଣାର ମୁଖ୍ୟ ତଥା ମାଷ୍ଟରମାଇଁଣ୍ଡ ବିଜୟ କୁମାର ନାୟକକୁ ଅଡବା ପୋଲିସ ଗତକାଲି ଗିରଫ କରିଥିବା ସୁଚନା ମିଳିଛି । ଏ ନେଇ ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲ ସୁଚନା ଦେଇଛନ୍ତି ଯେ,ଗତ ୧୪ ତାରିଖ ରାତ୍ରରେ ବିରିକୋଟ ଗ୍ରାମରେ ଚୋରା ଦେଶୀମଦ ଚାଲାଣ କରାଯାଉଥିବା ଖବର ଅଡବା ଥାନା ପୋଲିସ ଠାରେ ପହଞ୍ଚିଥିଲା । ଏଥି ଅନୁଯାୟୀ ସେହିଦିନ ରାତ୍ର ୧୧ଘଣ୍ଟା ସମୟରେ ପୋଲିସ ଜିପରେ ଜଣେ ଏସଆଇ,୨ଜଣ ମହିଳା ଏବଂ ୩ଜଣ ପୁରୁଷ କନେଷ୍ଟେବଲ୍ ,ଜଣେ ଗ୍ରାମରକ୍ଷୀ ଏବଂ ଡ୍ରାଇଭର ବିରିକୋଟ ଗ୍ରାମର ବ୍ରିଜ ନିକଟରେ ପହଞ୍ଚି ଥିଲେ । ସେଠାରେ ୪ଗୋଟି ବ୍ୟାରେଲରେ ୮୦ ଲିଟର ଦେଶୀମଦ ଚାଲାଣ ପାଇଁ ପ୍ରସ୍ତୁତ ଥିଲା ଏବଂ ସେଠାରେ ୮ଜଣ ଚୋରାଚାଲାଣକାରୀ ଉପସ୍ଥିତ ଥିଲେ । ପୋଲିସ ଦେଶୀମଦ ଚାଲାଣକୁ ବାରଣ କରିବାରୁ ଏହି ବ୍ୟକ୍ତିମାନେ ପାଟି କରି ଗ୍ରାମ ଲୋକଙ୍କୁ ଡାକିଥିଲେ । ଏଥିରେ ୬୦ରୁ୭୦ଜଣ ଲୋକ ଆସି ପହଞ୍ଚି ଥିଲେ । ଲୋକେ ପୋଲିସକୁ ବିରୋଧ କରି ଚାରିପଟୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଥିରେ ସେଠାକୁ ଯାଇଥିବା ସମସ୍ତ ୮ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପୋଲିସ ଏସଆଇ ଚନ୍ଦନ କୁମାର ଦାସ ଏବଂ କନେଷ୍ଟେବଲ ଦଶରଥୀ ଶବର ଗୁରୁତର ଭାବେ ଆହତ ହୋଇଥିଲେ । ପୋଲିସ ଜିପଟିକୁ ମଧ୍ୟ ଏମାନେ ଭାଙ୍ଗିଥିବା ଖବର ମିଳିଛି । ଠେଙ୍ଗା,କାତି,ଟାଙ୍ଗିଆ ଆଦିରେ ଆକ୍ରମଣକାରୀମାନେ ସଙ୍ଘବଦ୍ଧ ଭାବେ ପୋଲିସକୁ ଆକ୍ରମଣ କରିଥିଲେ ବୋଲି ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲ ସୁଚନା ଦେଇ କହିଛନ୍ତି,ପ୍ରାଣ ଭୟରେ ପୋଲିସ କର୍ମଚାରୀମାନେ ସେଠାରୁ ଦୌଡି ଚାଲି ଆସି ଥିଲେ । ଏ ନେଇ ଅଡବା ଥାନା କେସ ନଂ ୨୭/୨୦ରେ ମାମଲା ରୁଜୁ କରାଯାଇ,ଏଥି ପୁର୍ବରୁ ପୋଲିସ ଆକ୍ରମଣ ଘଟଣାରେ ୧୪ଜଣଙ୍କୁ ଗିରଫ କରାଯାଇଥିଲା । ହେଲେ ଏହି ଘଟଣାର ମୁଖ୍ୟ ଆସାମୀ ବିଜୟ କୁମାର ନାୟକ ଫେରାର ଥିଲା । ଗତକାଲି ବିଜୟକୁ ଗିରଫ କରାଯାଇଛି । ଆଜି ତାକୁ କୋର୍ଟକୁ ଚାଲାଣ କରାଯାଇଥିବା କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ