କାଭିଡ-୧୯ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଚାଉଳ ମିଳିଲା, ଡାଲି ମିଳିବାରେ ବିଳମ୍ବ
ନାଉଗାଁ,(ଓ୍ବାଇଏନ୍ଏସ୍):କୋଭିଡ-୧୯ ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମୁଣ୍ଡ ପିଛା ୫ କିଲୋ ଚାଉଳ ସହିତ କାର୍ଡ ପିଛା ୧ କିଲୋ ଡାଲି ଏକକାଳିନ ତିନି ମାସ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପାଇଁ ଖାଦ୍ୟ ସୁରକ୍ଷା ପୋର୍ଟାଲରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପିଏମଜିକେଏୱାର ଆଲଟମେଂଟର ଏକ ସ୍ୱତନ୍ତ୍ର ଭାବେ ଦର୍ଶାଯାଇଛି । ଏଥିରେ ନାଉଗାଁ ବ୍ଳକର ୧୬ଟି ପଂଚାୟତ ପାଇଁ ୨୮ଟି ରିଟେଲ ପଏଂଟ ରହିଥିବା ବେଳେ ୧୬୪୮୦ ଜଣ ରାସନ କାର୍ଡଧାରୀଙ୍କ ମଧ୍ୟରେ ୬୧୧୬୪ ଜଣ ହିତାଧିକାରୀ ରହିଛନ୍ତି । ଏଥିପାଇଁ ବ୍ଲକକୁ ମାସିକ ୩୦୫୮.୨୦ କୁଇଂଟାଲ ଚାଉଳ ଓ ୧୬୪.୮୦ କୁଇଂଟାଲ ଡାଲି ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଅଦ୍ୟାବଧି ନାଉଗାଁ ବ୍ଳକରେ ରହିଥିବା ରିଟେଲ ପଏଂଟରେ ହିତାଧିକାରୀଙ୍କୁ କେବଳ ତିନି ମାସର ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ଏପର୍ଯ୍ୟନ୍ତ ଡାଲି ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହେଉଛି । ଅନ୍ୟପଟରେ ଖାଦ୍ୟ ସୁରକ୍ଷା ପୋର୍ଟାଲର ହିତାଧିକାରୀଙ୍କ ଆବଷ୍ଟ୍ରାକ୍ଟ ରିପୋର୍ଟ ଅନୁସାରେ ଆଜି ସୁଦ୍ଧା ୧୬୫୦୫ଟି ରାସନ କାର୍ଡଧାରୀ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏଥିମଧ୍ୟରୁ ୨୫ଟି କାର୍ଡ ଧାରୀ ବାଦ ପଡିଥିବା ପୋର୍ଟାଲରୁ ଜଣାଯାଇଛି । ଏଭଳି ଦୁର୍ଦ୍ଦିନ ସମୟରେ ଉକ୍ତ କାର୍ଡଧାରୀମାନେ କିପରି ଉକ୍ତ ଯୋଜନାରୁ ବଂଚିତ ରହିଲେ ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସଂର୍ପକରେ ବ୍ଲକ ଯୋଗାଣ ନିରୀକ୍ଷିକା ନିଲିମା ମହାନ୍ତିଙ୍କୁ ପଚାରିବାରୁ ଚାଉଳ ଗୋଦାମରୁ ଆସିଯିବାରୁ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି । ହେଲେ ଡାଲି ଗୋଦାମରୁ ଆସିବାରେ ବିଳମ୍ବ ହୋଇଛି, ଆସିଲା ପରେ ଖୁବ ଶିଘ୍ର ଯୋଗାଇ ଦିଆଯିବ । ଖାଦ୍ୟ ସୁରକ୍ଷା ପୋର୍ଟାଲର ପିଏମଜିକେଏୱାର ଆଲଟମେଂଟରେ ୨୫ଟି କାର୍ଡ ଧାରୀ ବାଦ ପଡିବା ସଂର୍ପକରେ ପଚାରିବାରୁ ଯେଉଁ ହିତାଧିକାରୀମାନେ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସରକାରଙ୍କ ପକ୍ଷରୁ ବାଦ ଦିଆଯାଇଥିଲା । ପରବର୍ତିୀ ଅବସ୍ଥାରେ ରାସନ କାର୍ଡ ଯୋଗ୍ୟତା ମାନଦଣ୍ଡରେ ରହିଥିବାରୁ ସେମାନଙ୍କୁ ପୁର୍ଣ୍ଣବାର ସାମିଲ କରାଯାଇଛି ବୋଲି କହିଥିଲେ ।