ଗଜପତିର ଓଡିଆ ଶ୍ରମିକ ଚେନ୍ନାଇରେ ନିଖୋଜ
ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଜଣେ ଓଡିଆ ଶ୍ରମିକ ଗତ ୨ମାସ ଧରି ଚେନ୍ନାଇରେ ନିଖୋଜ ଥିବା ଅଭିଯୋଗ ହୋଇଛି । ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଉଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଖୋଜ ଥିବା ଶ୍ରମିକର ପରିବାର ବର୍ଗ ଆକୁଳ ନିବେଦନ କରିଛନ୍ତି । ଘଟଣାରୁ ପ୍ରକାଶ,ଗୁମ୍ମା ବ୍ଲକର ବାଇଝଲ ପଞ୍ଚାୟତ ଅନ୍ତର୍ଗତ ପାଡୁମାସିଂ ଗ୍ରାମର ପୃଥିବୀ ଗମାଙ୍ଗ ଗତ ୩ମାସ ତଳେ ଶ୍ରମିକ ଭାବେ ଖଟିବା ପାଇଁ ଚେନ୍ନାଇ ଯାଇଥିଲେ । ସେଠାରେ ସେ ଶ୍ରମିକ ଭାବେ କାମ କରିବା ସହ ପ୍ରଥମ ମାସରେ ଦୈନିକ ପରିବାରବର୍ଗଙ୍କ ସହ ମୋବାଇଲ ଯୋଗେ କଥାବାର୍ତ୍ତା ହେଉଥିଲେ । ହେଲେ ଗତ ୨ମାସ ହେଲା ପୃଥିବୀ ଠାରୁ କୌଣସି କଲ୍ ଆସୁ ନଥିବା ପରିବାରବର୍ଗ ଅଭିଯୋଗ କରି କହିଛନ୍ତି,ଗଜପତିରୁ ଏମାନେ କଲ୍ କଲେ ମଧ୍ୟ ସଂଯୋଗ ହେଉନାହିଁ । ଚେନ୍ନାଇରେ ସେ କିଛି ସାଙ୍ଗସାଥିଙ୍କ ସହ ମିଶି ରହୁଥିଲେ । ସେମାନଙ୍କୁ ପଚାରିଲେ ପୃଥିବୀ ବହୁ ଦିନ ଧରି ଦେଖା ହୋଇନି ବୋଲି ସାଙ୍ଗମାନେ ଜଣାଉଥିବା ପରିବାରବର୍ଗ ସୁଚନା ଦେଇ କହିଛନ୍ତି,ଗତ ୨ମାସ ଧରି ପୃଥିବୀ ସହିତ କାହିଁକି ଯୋଗା ଯୋଗ ହୋଇପାରୁ ନାହିଁ । ସେ ସେଠାରେ କିପରି ଅବସ୍ଥାରେ ରହିଛି ।ଏ ନେଇ ତାର ବାପା,ମାଆ,ଦାଦା ଓ ପରିବାରର ସମସ୍ତ ସଦସ୍ୟ ଦୁଃଖରେ ଭାଙ୍ଗିପଡି ନିଖୋଜ ପୃଥିବୀକୁ ଉଦ୍ଧାର ପାଇଁ ପ୍ରଶାସନ ଓ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।