ଜୁନ ୨୦ ତାରିଖ ଆର୍ନ୍ତଜାତୀୟ ନୀଳରକ୍ତ କଙ୍କଡା ଦିବସ
ବାଲେଶ୍ୱର,୨୪/୬(ନି.ପ୍ର): ନୀଳରକ୍ତ କଙ୍କଡା ଆଧାରିତ ବିଶ୍ୱର ମୁଖ୍ୟ ଅନୁଷ୍ଠାନ ଇନ୍ଟରନ୍ୟାସନାଲ ୟୁନିଅନ ଫର କର୍ଭେସନ ଅଫ ନ୍ୟାଚର ( ଆଇୟୁସିଆନ) ସଂଗଠନ ଦ୍ୱାରା ଆୟୋଜିତ ଗତ ତା୧୫ ରୁ ୨୦ରିଖରୁ ଚୀନର କିନଜୋ ସିଟିରେ ଆୟୋଜିତ ହେଇଥିବା ୪ର୍ଥ ଆନ୍ତର୍ଜାତିକ ନୀଲରକ୍ତ କଙ୍କଡା ସୁରକ୍ଷା ଓ ବିଜ୍ଞାନ କର୍ମଶାଳାରେ ବାଲେଶ୍ୱରରୁ ୬ ଜଣ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ, ଓ ଶିଳ୍ପୀ ଯୋଗ ଦେଇ ଫେରି ଆସିଛନ୍ତି । ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରଫେସର ଡ. ବିଷ୍ଣୁ ପ୍ରସାଦ ଦାଶ ଆମନ୍ତ୍ର୍ରିତ ଅତିଥି ଭାବେ ଯୋଗଦେଇ ନିଜର ସନ୍ଦର୍ଭ ପାଠ କରିଥିବା ବେଳେ ଏସୋସିୟେସନ ଫର ବାଇୟୋ ଡାଇଭାରସିଟି କର୍ଭେସନ ଏଣ୍ଡ ରିସର୍ଚ ର ନିର୍ଦ୍ଦେଶକ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଭୁବନେଶ୍ୱର ଅମିତ କଲେଜର ସହକାରୀ ପ୍ରାଧ୍ୟାପକ ସିଦ୍ଧାର୍ଥ ପତି ପୋଷ୍ଟର ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି । ସେହିପରି ନୋସି କଲଚ୍ୟୁରାଲ ଏକାଡେମୀର ମୁଖ୍ୟ ଶିଳ୍ପୀ କେଶୁଦାସ କର୍ମଶାଳାରେ ଏକମାତ୍ର ଶିଳ୍ପୀ ଭାବେ ଯୋଗ ଦେଇ ସ୍ୟାଣ୍ଡ ଏନିମେସନ ମାଧ୍ୟମରେ ନୀଳରକ୍ତ କଙ୍କଡାର ସୁରକ୍ଷା ବାର୍ତ୍ତା ଦେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର ଯୁବ ନୀଳରକ୍ତ ଗବେଷକ ସନାତନ ଟୁଡୁ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦର୍ଭ ପାଠ କରିଥିଲେ । ଓଡିଶାର ପ୍ରଥମ ନୀଲରକ୍ତ କଙ୍କଡାର ଗବେଷକ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟନ୍ତ କୁମାର ମିଶ୍ର କର୍ମଶାଳାର ପ୍ରାକ ସୂଚନା ପ୍ରଦାନ କରିବା ପାଇଁ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜେଡ୍.ଏସ୍ ଆଇ. କଲିକତାର ଡ. ବାସୁଦେବ ତ୍ରୀପାଠୀ, ସେକ୍ ସାଜନ, ଭୁବନେଶ୍ୱରୀ ବଳ, ଫକୀର ମୋହନ କଲେଜର ନୃତତ୍ୱ ବିଭାଗର ଅଧ୍ୟାପିକା ସସ୍ମିତା ଦାଶ ପ୍ରମୁଖ ଓଡିଶାରୁ ଯୋଗଦେଇ ଭାରତୀୟ ନୀଳରକ୍ତ କଙ୍କଡା ଆଧାରିତ ସନ୍ଦର୍ଭମାନ ପାଠ କରିଥିଲେ । ଏହି କର୍ମଶାଳା ଦକ୍ଷିଣ ଚୀନର ଗୁଆନ୍ସୀ ପ୍ରଦେଶର କିନଜୋ ସିଟିର ବେଇବୁ ଗଲ୍ଫ ବିଶ୍ୱବିଦ୍ୟାଳୟରେ ତିନି ଦିନ ସନ୍ଦର୍ଭ ପାଠ ଓ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଥିବା ବେଳେ ବେଇବୁ ଗଲ୍ଫ ଉପକୂଳ ବିହାଇ ସହରରେ ପ୍ରତ୍ୟକ୍ଷ କ୍ଷେତ୍ର ନିରିକ୍ଷଣ, ନୀତି ନିର୍ଦ୍ଧାରଣ ଓ ଆଗାମୀ କାର୍ଯ୍ୟଧାରା ଆଧାରିତ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ଜୁନ ୨୦ ତାରିଖକୁ ଆର୍ନ୍ତଜାତୀୟ ନୀଳରକ୍ତ କଙ୍କଡା ଦିବସ ଭାବେ ଘୋଷଣା କରାଯିବା ପାଇଁ ସ୍ଥିର କରାଯାଇଥିବା ବେଳେ ନୀଳରକ୍ତ କଙ୍କଡା ଦେଖାଯାଉଥିବା ଉପକୂଳବର୍ତ୍ତୀ ଅଞ୍ଚଳ ବାସୀଙ୍କ ସହଯୋଗରେ ସୁରକ୍ଷା ପାଇଁ ସଚେତନ କରାଯିବ ବୋଲି ମଧ୍ୟ ସିଦ୍ଧାନ୍ତ ନିଆଗଲା । ଓଡିଶାରୁ ଯୋଗଦେଇ ଥିବା ଗବେଷକମାନେ ମଧ୍ୟ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ନୀଳରକ୍ତ କଙ୍କଡା ବିଷୟରେ ପାଠ୍ୟକ୍ରମ ରହିବାର ଆବଶ୍ୟକତା ରହିଛି ବୋଲି ମତାମତ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଆମେରିକା, ଚୀନ, ଜାପାନ, ମାଲିସିଆ, ହଂକଂ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଡେନମାର୍କ, ଭିଏତନାମ ପ୍ରମୁଖ ଦେଶରୁ ୧୪୦ରୁ ଅଧିକ ନୀଳରକ୍ତ ଆଧାରିତ କାର୍ଯ୍ୟ କରୁଥିବା ସଂଗଠନ, ଗବେଷକ, ଶିଳ୍ପୀ, ଶିକ୍ଷକ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହାକୁ ବେଇବୁ ଗଲ୍ଫ ବିଶ୍ୱବିଦ୍ୟାଳୟ ଓ ବିଆରସି ପ୍ରମୁଖ ଅନୁଷ୍ଠାନ ସହେଯାଗ କରିଥିଲେ ।