ମାନବିକତା ଦେଖାଇଲେ ସ୍ୱେଚ୍ଛାସେବୀ, ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକଙ୍କୁ ସହାୟତା କଲେ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବୁଧବାର ଧାମରାରୁ ଠାକୁରମୁଣ୍ଡା ଅଭିମୁଖେ ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକ ମାନଙ୍କୁ ସହାୟତା କରି ମାନବିକତାର ପରିଚୟ ଦେଇଛନ୍ତି ବନ୍ତ ଅଞ୍ଚଳର କେତେ ଜଣ ସ୍ୱେଚ୍ଛାସେବୀ । ଠାକୁରମୁଣ୍ଡା ବ୍ଲକ ତାଳପଦା ପଞ୍ଚାୟତର ୬ ଜଣ ଏବଂ ଝୁମ୍ପୁରା ବ୍ଲକ ଉକୁଣ୍ଡା ପଞ୍ଚାୟତର ୬ ଜଣ ଶ୍ରମିକ କରୋନା ଲକ୍ ଡାଉନ୍ ପୂର୍ବରୁ ଧାମରାରେ ଭାରତ ସଞ୍ଚାର ନିଗମ ଲିଃ. କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଲକ୍ ଡାଉନ୍ ଫଳରେ ସେଠାରେ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ଦୀର୍ଘ ମାସ ଧରି ସେମାନେ ଭୋକ ଉପାସରେ ସେଠାରେ ଦିନ କାଟୁଥିଲେ । ଏହାରି ମଧ୍ୟରେ କେତେ ଜଣ ଶ୍ରମିକଙ୍କ ଦେହ ଅସୁସ୍ଥ ହୋଇପଡିଥିବା ବେଳେ ଜଣେ ଗର୍ଭବତୀ ମହିଳା ସେମାନଙ୍କ ଭିତରେ ଥିଲେ । ସେହିପରି ଉକ୍ତ ଶ୍ରମିକ ମାନଙ୍କ ଘର ପରିବାର ସଦସ୍ୟ ମାନଙ୍କ ଦେହ ଅସୁସ୍ଥ ଥିବା ସେମାନେ ଖବର ପାଇଥିଲେ । ଏସବୁ ସମସ୍ୟା ଭିତରେ ସେମାନେ ଆଉ ଅଧିକ ଦିନ ସେଠାରେ ରହି ନପାରି ବାଧ୍ୟ ହୋଇ ଧାମରାରୁ ଚାଲି ଚାଲି ଘରକୁ ଫେରୁଥିଲେ । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ବ୍ଲକ ଛକ ଠାରେ ସେମାନେ ପହଞ୍ôଚବା ପରେ ସେଠାରେ ତାଙ୍କୁ ବନ୍ତସ୍ଥିତ ଶାନ୍ତି ୟୁଥ୍ କ୍ଲବର ସଭ୍ୟ ଆଶିଷ ଚକ୍ରବର୍ତ୍ତୀ ପ୍ରଥମେ ଭେଟିଥିଲେ । ପଚରା ଉଚରା ପରେ ସେମାନେ କ୍ଲାନ୍ତ ଏବଂ ଭୋକରେ ଥିବା ଜଣାପଡିଥିଲା । ପରେ ୟୁଥ୍ କ୍ଲବର ସଭ୍ୟ କାହ୍ନା ନାୟକ, ଜ୍ୟୋତି ରଞ୍ଜନ ନାୟକ, ପ୍ରକାଶ ଜେନା, ବିଶ୍ୱଜିତ୍ ନାୟକ ପ୍ରମୁଖ ସେଠାରେ ପହଞ୍ôଚ ଶ୍ରମିକ ମାନଙ୍କୁ ଗ୍ଲୁକୋଜ୍ ଡି, ଚୂଡା ଓ ବିସ୍କୁଟ୍ ଖାଇବାକୁ ଦେଇଥିଲେ । ଏସଂପର୍କରେ ବିଡିଓଙ୍କ ଜଣାଇବା ପରେ ବ୍ଲକ ପ୍ରଶାସନ ତରଫରୁ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । ପରେ ୟୁଥ୍ କ୍ଲବର ସଭ୍ୟ ମାନେ ଶ୍ରମିକ ମାନଙ୍କୁ ଘରକୁ ପଠାଇବା ପାଇଁ ନିଜସ୍ୱ ଅର୍ଥରେ ଏକ ଗାଡିର ବ୍ୟବସ୍ଥା କରିଥିଲେ । ଏଥିନେଇ ବ୍ଲକ ପ୍ରଶାସନକୁ ଜଣାଇବା ପରେ ବିଡିଓ ରେବେକା ବିଲୁଙ୍ଗ ଠାକୁରମୁଣ୍ଡା ବିଡିଓଙ୍କ ସହ ପରାମର୍ଶ କରି ଗାଡିରେ ଯିବା ପାଇଁ ଅନୁମତି ପତ୍ର ଦେଇଥିଲେ । ଉକ୍ତ ଗାଡିରେ ଶ୍ରମିକ ମାନେ ନିଜ ଘରକୁ ଫେରିଥିବା ଜଣାଯାଇଛି ।