ଗଞ୍ଜାମରେ କରୋନା ପଜିଟିଭ ୪୭, ନେଇପାରେ ଭୟଙ୍କର ରୂପ
ବ୍ରହ୍ମପୁର : ସବୁକିଛି ଥିଲା ଠିକ୍ଠାକ୍ । କରୋନା ନ ବ୍ୟାପିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ରାତିଦିନ ଏକାକାର କରିଦେଇଥିଲେ । ଆଶା କରାଯାଉଥିଲା ଗଞ୍ଜାମକୁ ଛୁଇଁବନି କୋଭିଡ୍-୧୯ । ବର୍ଷର ବିଭିନ୍ନ ସମୟରେ ଏହି ଜିଲ୍ଲାର ଜନସାଧାରଣ ପ୍ରାକୃତିକ ବିପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଆନ୍ତି । ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଥାଏ । ପୁଲିସ ଓ ପ୍ରଶାସନକୁ ମଧ୍ୟ ନିନ୍ଦିତ ହେବାକୁ ପଡ଼ିଥାଏ । ସମ୍ପ୍ରତି କୋଭିଡ୍-୧୯ ସାରା ବିଶ୍ୱରେ ତା’ର କରାଳ ଆଧିପତ୍ୟ ଜାରି ରଖି ଆସିଥିବା ସ୍ଥଳେ ଗଞ୍ଜାମ ଜିଲ୍ଲାକୁ କବ୍ଜା କରିପାରିନଥିଲା । ତେଣୁ କିଛି ଦିନ ହେଲା ଏହି ଜିଲ୍ଲା ଗ୍ରୀନ୍ଜୋନରେ ରହିଥିଲା । ଲୋକେ ଖୁବ୍ ଆଶ୍ୱସ୍ତ ଥିଲେ । ଏବେ କିନ୍ତୁ ଜିଲ୍ଲାରେ କରୋନା ସ୍ଥିତି ଜଟିଳ ରୂପ ଧାରଣ କରିବାରେ ଲାଗିଛି । ପ୍ରବାସୀ ଓଡ଼ିଆଙ୍କ ଗସ୍ତ ପରେ ଏବେ ସୁରତ ଫେରନ୍ତାଙ୍କୁ ନେଇ ଦେଖିବାକୁ ମିଳିଛି ଚିନ୍ତା ଜନକସ୍ଥିତି । କେବଳ ଗଞ୍ଜାମ ଜିଲ୍ଲାରେ ସୁରତ ଫେରନ୍ତାଙ୍କ ମଧ୍ୟରୁ ୨୮ଜଣ କରୋନା ପଜେଟିଭ ଭାବରେ ଚିହ୍ନଟ ହେବା ପରେ ଏହା ଉଭୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି ।
ପୂର୍ବରୁ ୪ଜଣ ପଜେଟିଭ ରହିଥିବା ବେଳେ ଗୁରୁବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଥମେ ସକାଳୁ ୧୭ଜଣ ଓ ଦ୍ୱିତୀୟ ପର୍ଯ୍ୟାନ୍ତରେ ସନ୍ଧ୍ୟାରେ ୭ଜଣ ସୁରତ ଫେରନ୍ତାଙ୍କ ସ୍ୱାବ୍ ପରୀକ୍ଷାରୁ ପଜେଟିଭ ଚିହ୍ନଟ ହେବା ନେଇ ଘୋଷଣା କରାଯାଇଛି । ପୁଣି ଶୁକ୍ରବାର ସକାଳେ ଅର୍ଥାତ୍ ଆଜି ଗଞ୍ଜାମ ଜିଲ୍ଲାରୁ ୧୯ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଗତକାଲିଠାରୁ ଗଞ୍ଜାମକୁ ଅରେଞ୍ଜରୁ ରେଡ୍ ଜୋନ୍ ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ କୌଣସି ଭୟଭୀତ ହେବାର ଆବଶ୍ୟକତା ନଥିବା ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମ ଜରିଆରେ ସୂଚନା ଦେବାସହ ଅଧିକ ସତର୍କ ଏବଂ ସାବଧାନ ରହିବାକୁ ଆହ୍ୱାନ ଦେଇଛନ୍ତି । ସମସ୍ତେ ସାମାଜିକ ଦୂରତାକୁ ମାନିବା ସହ ମାସ୍କ ପିନ୍ଧିବା ଓ ହାତ ବାରମ୍ବାର ଧୋଇବାର ଅଭ୍ୟାସ ଜାରି ରଖିବାକୁ ସେ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏପରିକି ବୟସ୍କ ନାଗରିକ ଏବଂ ଶିଶୁ, ଗର୍ଭବତୀ ମହିଳା ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଯେହେତୁ ସମସ୍ତ ପଜିଟିଭ ସୁରତ ଫେରନ୍ତା ଏବଂ ସେମାନଙ୍କୁ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ରଖାଯାଇଛି ତେଣୁ କୌଣସି ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନଥିବା ବେଳେ କେହି ମଧ୍ୟ ସଙ୍ଗରୋଧ କେନ୍ଦ୍ରକୁ ନଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏପରିକି କାହାର ପରିବାରବର୍ଗ ଯଦି ସଙ୍ଗରୋଧ କେନ୍ଦ୍ରକୁ ଯାଆନ୍ତି ତା’ହେଲେ ସେମାନଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅଦ୍ୟାବଧି ଜିଲ୍ଲାକୁ ୨୮୩ଟି ବସ୍ ଓ ୧୫ଟି ଟ୍ରେନ୍ରେ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଦେଶର ବିଭିନ୍ନ ରାଜ୍ୟର ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସମସ୍ତଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଥିବାବେଳେ ଆଗାମୀଦିନରେ ଯିଏ ବାହାର ରାଜ୍ୟରୁ ଆସିବ ସେମାନଙ୍କୁ ସରକାରଙ୍କ ସଙ୍ଗରୋଧ ଗୃହ ବାଧ୍ୟତାମୂଳକ ବୋଲି କହିଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ପ୍ରବାସୀ ଓଡ଼ିଆ ରହୁଥିବା ସମସ୍ତ ସଙ୍ଗରୋଧ ଗୃହରେ ସରକାରଙ୍କ ନିୟମ ମୁତାବକ ସାମାଜିକ ଦୂରତାଠାରୁ ଆରମ୍ଭକରି ସମସ୍ତ ପ୍ରକାର ନିୟମକୁ ପ୍ରବାସୀ ଓଡ଼ିଆମାନେ ପାଳନ କରୁଥିବା ବେଳେ ନିୟମିତ ଅଧିକରୁ ଅଧିକ ଅନ୍ୟ ରାଜ୍ୟର ବ୍ୟକ୍ତିବିଶେଷ ଆସୁଥିବାରୁ ସେମାନଙ୍କ ସ୍ୱାବ୍ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ଜିଲ୍ଲାପାଳ କହିଛନ୍ତି ।
ଅନ୍ୟ ପଟେ ଜିଲ୍ଲାର ଲୋକମାନେ କରୋନା ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଆତଙ୍କିତ ଜୀବନଯାପନ କରୁଛନ୍ତି । କିଛି ଲୋକଙ୍କ କହିବା କଥା ହେଲା ଯଦି ପ୍ରବାସୀ ଓଡ଼ିଆଙ୍କୁ ଜିଲ୍ଲାକୁ ଅଣାଯାଇନଥାଆନ୍ତା ଏବଂ ସେମାନଙ୍କ ପ୍ରବେଶ ଉପରେ କଠୋର କଟକଣା କରାଯାଇଥାଆନ୍ତା, ତାହା ହେଲେ ଲୋକମାନଙ୍କୁ ଆତଙ୍କିତ ହେବାକୁ ପଡ଼ୁନଥାଆନ୍ତା । ଅବଶ୍ୟ ଯେଉଁ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇଛି, ସେମାନେ ସମସ୍ତେ ସୁରତ ଫେରନ୍ତା ଏବଂ ସେମାନଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି । ଯଦି ଆକ୍ରାନ୍ତଙ୍କ ମଧ୍ୟରୁ କେହି ବାହାର ଲୋକଙ୍କ ସଂସ୍ପର୍ଶରେ ଆସିଥିବେ, ତେବେ ଜିଲ୍ଲାରେ କରୋନା ସଂକ୍ରମଣ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ । ବିଗତ ଦିନରେ କିଛି ସୁରତ ଫେରନ୍ତା ଲୁଚି ଲୁଚି ଘରକୁ ଯିବା, ଅନ୍ୟମାନଙ୍କ ସହ ମିଳାମିଶା କରିବା, ବିଭିନ୍ନ କାରଣ ନେଇ ସଙ୍ଗରୋଧ କେନ୍ଦ୍ରରୁ ଲୁଚି ଚାଲିଯିବା, ସାର୍ବଜନୀନ ସ୍ଥାନରେ ଚଳପ୍ରଚଳ କରିବା ଆଦି ଘଟଣା ସାମ୍ନାକୁ ଆସିଛି । ଏସବୁ କାରଣରୁ ମଧ୍ୟ କରୋନା ବ୍ୟାପିବାର ବହୁ ଆଶଙ୍କା ରହିଛି । ତେଣୁ ଏ ସବୁ ଦିଗ ପ୍ରତି ଜିଲ୍ଲା ପ୍ରଶାସନ ନଜର ଦେବା ଜରୁରୀ ।


