ସାଇକେଲରେ ଗୋଆରୁ ଗଜପତି ପହଞ୍ଚିଲେ ପ୍ରବାସୀ ଓଡିଆ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସୁଦୁର ଗୋଆରୁ ଟ୍ରେନ୍ ଟ୍ରାକ୍ରେ ଚାଲିଚାଲି ଓ ସାଇକେଲ ଯୋଗେ ପ୍ରବାସୀ ଓଡିଆ ଶ୍ରମିକ ଗଜପତି ଜିଲ୍ଲା ପହଞ୍ଚି ଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାର ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତର ଡେଙ୍ଗାମା କଲୋନୀର ମହେଶ୍ୱର ଶବର ଗୋଆରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କରୋନା ଯୋଗୁଁ ସାରା ଭାରତରେ ଲକ୍ଡାଉନ୍ ଘୋଷଣାରେ ସବୁକିଛି ବନ୍ଦ ହେବା ଯୋଗୁଁ ଗୋଆରେ ସମସ୍ତ ଶ୍ରମ ଭିତ୍ତିକ କାର୍ଯ୍ୟ ବନ୍ଦ ହେଲା । ମହେଶ୍ୱର ଶବର ଗୋଆରେ କୌଣସି ଶ୍ରମ ଭିତ୍ତିକ କାର୍ଯ୍ୟ ନ ପାଇ ନିଜ ସଂଚିତ ଅର୍ଥରେ କିଛି ଦିନ ଚଳିବା ପରେ ନିଜ ଭିଟାମାଟିକୁ ଫେରିବା ପାଇଁ ଠିକ୍ କଲା । ଟ୍ରେନ୍ ଓ ସମସ୍ତ ଯାନ ଚଳାଚଳ ବନ୍ଦ ଯୋଗୁଁ ଅନ୍ୟ କିଛି ରାସ୍ତା ନ ପାଇ ଟ୍ରେନ୍ ଟ୍ରାକ୍ରେ ଚାଲିଚାଲି ସାତ ଦିନ ପରେ ଆନ୍ଧ୍ରରେ ରହୁଥିବା ନିଜ ସାଙ୍ଗ ନିକଟରେ ପହଞ୍ଚିଥିଲା । ସାଙ୍ଗ ନିକଟରେ ଗୋଟିଏ ଦିନ ଆଶ୍ରୟ ନେଇ ନିଜର ଦୁଃଖଭରା କାହାଣୀକୁ ଜଣାଇ ଏକ ସାଇକେଲ କିଣି ଗ୍ରାମକୁ ଫେରିବା ପାଇଁ ଅନୁରୋଧ ଜଣାଇଥିଲା । ଏଥିରେ ସାଙ୍ଗ ଜଣକ ଏକ ସାଇକେଲ କିଣି ମହେଶ୍ୱରକୁ ଦେଇଥିଲେ । ସାଇକେଲଟି ଧରି ମହେଶ୍ୱର ୬ଦିନ ଯାତ୍ରା କରି ଗଜପତିର ମୋହନା ବ୍ଲକରେ ଗତକାଲି ରବିବାର ଦିନ ପହଞ୍ଚି ଥିଲା । ପରେ ମୋହନା ବ୍ଲକ ଅଧିକାରୀ ବଂଶୀଧର ଖୋସଲାଙ୍କ ପରାମର୍ଶକ୍ରମେ ଗଜପତିର ଲୁହାଗୁଡି ଆଦିବାସୀ ହାଇସ୍କୁଲ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଖୋଲା ଯାଇଥିବା କ୍ୱାରାଣ୍ଟାଇନ୍ ଗୃହକୁ ମହେଶ୍ୱର ଗଲେ । ସରକାରୀ ନିୟମ ଅନୁଯାୟୀ କ୍ୱାରାଣ୍ଟାଇନ୍ ଗୃହରେ ଅବସ୍ଥାନ କରିବା ପରେ ଡେଙ୍ଗାମା କଲୋନୀ ଠାରେ ଥିବା ତାଙ୍କ ନିଜ ଗୃହକୁ ଫେରିବା ସ୍ଥିର ହୋଇଛି ।


