ଆଦିବାସୀ ଅଧ୍ୟୁଷିତ ପ୍ରାୟ ୩୦ଖଣ୍ଡ ଗାଁ ମୌଳିକ ସମସ୍ୟା ଘେରରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ମୋହନା ବ୍ଲକର କୋଷରୀଗୁଡା ପଞ୍ଚାୟତ ସମେତ ପ୍ରାୟ ୩୦ଗୋଟି ଗ୍ରାମ ବିଭିନ୍ନ ମୌଳିକ ସମସ୍ୟା ଦେଇ ଗତି କରୁଥିବା ଜଣାପଡୁଛି । ଏହି ସମସ୍ତ ଗ୍ରାମଗୁଡିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଏଠାରେ ଗୋଟିଏ ବ୍ରିଜ୍ ନିର୍ମାଣ ହୋଇପାରୁନଥିବାରୁ ଏହି ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ଘେରରେ ରହିଛନ୍ତି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ବିକାଶ ଯୋଜନା ପାଇଁ ବ୍ୟୟବରାଦ କରୁଥିଲେ ମଧ୍ୟ ଗଜପତି ଜିଲାର ଏହି ଅଧ୍ୟୁଷିତ ଅଞ୍ଚଳରେ ବିକାଶ ପହଞ୍ôଚପାରିନାହିଁ । ଏହି କୋଷରୀଗୁଡା ପଞ୍ଚାୟତର ବାସିନ୍ଦାମାନେ ଢେଙ୍କାବନ୍ଧ ନିକଟରେ ବଂଶୀଧାରା ନଦୀ ଉପରେ ଦେଇ ବିଭିନ୍ନ କାର୍ଯ୍ୟପାଇଁ ଯାତାୟତ କରିଥାନ୍ତି । ଏହି ବଂଶୀଧାରା ନଦୀଟି ଚନ୍ଦ୍ରଗିରି ଦେଇ ଆସୁଥିବାବେଳେ ଏହି ନଦୀ ଉପରଦେଇ ପ୍ରତିଦିନ ଗ୍ରାମବାସୀମାନେ ଯାତାୟତ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଏହି ରାସ୍ତାଦେଇ ସେମାନେ ମୋହନା ବ୍ଲକ ଅଫିସ, ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବିଭିନ୍ନ ଦୈନନ୍ଦିନ କାମରେ ଯାତାୟତ କରିଥାନ୍ତି । ମାତ୍ର ଆଜିଯାଏ ଏଠାରେ ଏକ ବ୍ରିଜ ନିର୍ମାଣ ପାଇଁ ପ୍ରଶାସନର ଦୃଷ୍ଟି ପଡିନାହିଁ । ଏଠାରେ ଏକ ବ୍ରିଜ୍ ନିର୍ମାଣ ହୋଇନଥିବାରୁ ଗମନାଗମନର ବିଶେଷ ସମସ୍ୟା ପାଇଁ ଏଠାକାର ବାସିନ୍ଦାମାନେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଏବଂ ବିଭିନ୍ନ ଭତ୍ତା ପାଇବାରୁ ବଞ୍ôଚତ ହେଉଛନ୍ତି । କାରଣ ଏମାନଙ୍କର ଗମନା ଗମନହିଁ ଏହି ସବୁ ସମସ୍ୟାକୁ ଅଧିକା ଦ୍ୱିଗୁଣିତ କରୁଛି । ଏହିପରି ସମସ୍ୟା ଘେରରେଥିବା ଗ୍ରାମଗୁଡିକ ହେଲା ଯଥା ଶିଙ୍କୁଳିପଦର,ପଣସଖାଲ, ନରଙ୍ଗସାହି, ଦୁଡିଗୁଡା, କମଳାପଦର, ଗଡାପଦର, କଂଜାମେରା, ନୂଆସାହି, ଆଖୁବାଡ, ଢେଙ୍କାବନ୍ଧ, ବାଦୁଆ, ଏନ୍.ଝାଲାରସିଂ, ସମ୍ବଲପୁର ଇତ୍ୟାଦି । ଗଜପତି ଜିଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ଯୋଗୁଁ ରାଜ୍ୟ ସରକାରଙ୍କ ଦ୍ୱାରା ଏଠାରେ ସ୍ୱତନ୍ତ୍ର ଜନଜାତି ଉନ୍ନୟନ ପରିଷଦ ନିୟୋଜିତ କରାଯାଇଛି । ମାତ୍ର ଏହି ସବୁ ଗ୍ରାମର ଜନଜାତି ସଂପ୍ରଦାୟର ଲୋକମାନେ ବର୍ଷ ବର୍ଷ ଧରି ଏହିପରି ପରିତ୍ୟକ୍ତ ଜୀବନ କଟାଉଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କ କହିବା ମୁତାବକ ସେମାନେ ପ୍ରଶାସନ ପାଖରେ ବାରମ୍ବାର ଗୁହାରୀ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ । ଏହି ନଦୀ ଉପରଦେଇ ଡାକ୍ତରଖାନା, ସ୍କୁଲ, କେଲେଜ, ବ୍ଲକ ଅଫିସ ଆଦିକୁ ଯିବା କଷ୍ଟକର ହେଉଛି । ବିଶେଷଭାବେ ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନା ନେବାକୁ କଠିନ ସମସ୍ୟା ସୃଷ୍ଟି ହେଉଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ଗ୍ରାମବାସୀଙ୍କର ସମସ୍ୟା ସମ୍ପର୍କରେ ଜିଲାପାଳ ଅନୁପମ ସାହାଙ୍କ ସହ ଯୋଗାଯୋଗ କରିବାରୁ ଏହି ବ୍ରିଜ ନିମନ୍ତେ ପ୍ରଶାସନ ଯଥା ଶିଘ୍ର ପଦକ୍ଷେପ ନେବେ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏଥିପାଇଁ ପ୍ରସ୍ତାବ ଦିଆଯିବ ବୋଲି କହିବାସହ ଏହି ଗ୍ରାମବାସୀମାନଙ୍କ ମୌଳିକ ସୁବିଧା ମିଳିବାପାଇଁ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ସେକହିଛନ୍ତି ।