ସହର ଦେଇ ଫେରୁଛନ୍ତି ଶହ ଶହ ପ୍ରବାସୀ : ବିଶୋଧନ ଦାବିରେ ପୌରାଂଚଳବାସୀ
ହିଞ୍ଜିଳିକାଟୁ, ୧୪ା୫ (ୱାଇଏନଏସ): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୫୨ରେ ପଂହଚିଛି । ଏଭଳି ପରିସ୍ଥିତିରେ ହିଞ୍ଜିଳିକାଟୁ ସହର ଦେଇ ପ୍ରତିଦିନ ବିଭିନ୍ନ ରାଜ୍ୟରୁ ଶତାଧିକ ପ୍ରବାସୀ ନିଜ ନିଜ ଭିଟାମାଟିକୁ ଫେରୁଥିବାର ଲକ୍ଷ୍ୟ କରାଯାଉଛି । କିଏ ସାଇକେଲରେ ତ ଆଉ କିଏ ଚାଲି ଚାଲି ଯାଉଛନ୍ତି । ସ୍ଥାନୀୟ ସହର ମଧ୍ୟ ଦେଇ ଯିବା ସମୟରେ ସହର ମଧ୍ୟରେ ଅଟକି ଚାହା, ଜଳଖିଆ ଓ କୋଲ୍ଡ ଡ଼୍ରିଙ୍କସ ମଧ୍ୟ କିଣୁଥିବାର ଦେଖିବାକୁ ମିଳିଛି । ଏପରିକି ସହରର ବିଭିନ୍ନ ରାସ୍ତା ପ୍ୱାଶ୍ୱର୍ରେ ବସି ଭୋଜନ କରିବା ସହ ସହର ନିକଟସ୍ଥ ଘୋଡ଼ାହାଡ଼ ନଦୀରେ ସ୍ନାନ, ଶୌଚ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହରକୁ ପ୍ରତ୍ୟେହ ବହୁ ଛୋଟ ଛୋଟ ବ୍ୟବସାୟୀ ସମେତ ସ୍ଥାନୀୟ ଅଂଚଳରୁ ପରିବା କିଣି ବାହାର ଜିଲ୍ଲାକୁ ରପ୍ତାନି କରିବା ସକାଶେ ବିଭିନ୍ନ ଅଂଚଳରୁ ବେପାରୀ ମାନେ ଆସିଥାନ୍ତି । ଗତ କିଛି ଦିନ ଧରି ରାଜ୍ୟ ବାହାର ଫେରନ୍ତା ପ୍ରବାସୀ ମାନେ ସ୍ଥାନୀୟ ସହର ମଧ୍ୟ ଦେଇ ଯାତାୟତ କରୁଥିବା ବେଳେ ଏହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏଭଳି କ୍ଷେତ୍ରରେ ପୌରାଂଚଳର ସମସ୍ତ ସରକାରୀ ଓ ବେସରକାରେୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସାହି ବସ୍ତି ଓ ରାସ୍ତାଘାଟ ବିଶେଶଧନ କରିବା ସକାଶେ ଅଂଚଳବାସୀ ଦାବି ଜଣାଇଛନ୍ତି ।


