କାଉଣ୍ଟରରେ ମିଳିବ ଟ୍ରେନ ଟିକେଟ୍
ନୂଆଦିଲ୍ଲୀ: ଆସନ୍ତା ୨/୩ ଦିନ ମଧ୍ୟରେ ଷ୍ଟେସନ କାଉଣ୍ଟରରେ ଟ୍ରେନ ଟିକେଟ ମିଳିବ । ଏନେଇ ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି । ଆସନ୍ତାକାଲି ଠାରୁ ଦେଶର ୧.୭ ଲକ୍ଷ କମନ ସର୍ଭିସ ସେଣ୍ଟରରେ ଟିକେଟ ମିଳିବ ବୋଲି ସେ କହିଛନ୍ତି । ଏହାଛଡ଼ା ଆଗାମୀ ଦିନରେ ଟ୍ରେନ ସଂଖ୍ୟା ବଢାଯିବ । ଆଗକୁ ଷ୍ଟେସନ ଭିତର ଷ୍ଟଲ ଓ ବହି ଦୋକାନ ମଧ୍ୟ ଖୋଲାଯିବ ବୋଲି ଶ୍ରୀ ଗୋୟଲ କହିଛନ୍ତି ।
ଜୁନ୍ ପହିଲାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ନନ୍-ଏସି ଟ୍ରେନ୍ ଚଳାଚଳ କରିବ। ଗୁରୁବାର (ମେ’ ୨୧)ରୁ କେବଳ ଅନ୍ଲାଇନ୍ (ଆଇଆରସିଟିସି ୱେବସାଇଟ୍)ରେ ଟିକେଟ୍ ବୁକିଂ କରାଯାଇପାରିବ ବୋଲି ଗତକାଲି ସୂଚନା ଦିଆଯାଇଥିଲା । ହେଲେ ଟିକେଟ୍ ବୁକିଂରେ କେତେକ ସମସ୍ୟା ଦେଖା ଦେଇଥିବା ନେଇ ରେଳବାଇ ପକ୍ଷରୁ କୁହାଯାଇଛି। ଏଥିରେ ଅମ୍ଫାନ ବାତ୍ୟା ଯୋଗୁଁ କୋଲକାତାରେ ସମସ୍ୟା ହେତୁ ସମସ୍ତ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ତଥ୍ୟ ମେଳ ଖାଇବାରେ ବିଳମ୍ବ ହୋଇଥିଲା ବୋଲି ଦର୍ଶାଯାଇଛି। ଏହି କାରଣରୁ ଟିକେଟ୍ ବୁକିଂ ଆରମ୍ଭ ହୋଇ ପାରୁ ନଥିବା ଜଣାଯାଇଛି।


