କ୍ୟାନ୍ସରରେ ହେଲା ମୃତ୍ୟୁ : କରୋନା ସନ୍ଦେହରେ ଶବକୁ ଗାଁରେ ପୁରାଇଲେନି ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାର ଏକ ସଂଘରୋଧ କେନ୍ଦ୍ରରେ କେନସର ପୀଡିତ ଆନ୍ଧ୍ର ଫେରନ୍ତା ଗଜପତି ପ୍ରବାସୀଙ୍କ ମୃତ୍ୟୁ ଆଜି ଭୋରରେ ଘଟିଥିବା ସୁଚନା ମିଳିଛି । ଶବକୁ ମୃତକଙ୍କ ଗ୍ରାମରେ ଥିବା ଶ୍ମଶାନରେ ଦାହ କରିବା ପାଇଁ ଗ୍ରାମବାସୀ ପରିବାର ଲୋକଙ୍କୁ ଗ୍ରାମରେ ପୁରାଇଲେ ନାହିଁ । ଶେଷରେ ଗଜପତି ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତକଙ୍କ ୨ପୁଅ ନିଜ ଗ୍ରାମ ଠାରୁ ୪କିମି ଦୁରରେ ଶବକୁ ଦାହ କରିଥିଲେ । ଶବ ଦାହ ଓ ମୃତକଙ୍କ ପରିବାରକୁ ସାହାର୍ଯ୍ୟ ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ୩୦ ହଜାର ଟଙ୍କା ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୃତକଙ୍କ ବଡ ପୁଅକୁ ପ୍ରଦାନ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାର କାଶୀନଗର ବ୍ଲକର ହରିପୁର ଗ୍ରାମବାସୀ କେ.କ୍ରିଷ୍ଣା ଜଣେ କେନସର ପୀଡିତ ରୋଗୀ ଅଟନ୍ତି । କଟକର ହରିହର ଆଚାର୍ଯ୍ୟ କେନସର ଡାକ୍ତରଖାନାରେ ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତରଖାନାରୁ ତାଙ୍କୁ ଗତ ୪ମାସ ତଳେ ଡିସଚାର୍ଜ କରାଯାଇଥିଲା । ଗରିବ ଓ ଆର୍ଥିକବସ୍ଥା ଠିକ୍ ନ ଥିବାରୁ ଗଜପତିର ନିଜ ଗ୍ରାମରେ କେ.କ୍ରିଷ୍ଣା ଓ ତାଙ୍କ ସ୍ତ୍ରୀ କେ.କାଞ୍ଚାନା ରହିପାରି ନ ଥିଲେ । ତାଙ୍କ ୨ ପୁଅ କେ.କିଶୋର ଓ କେ.ଗୁଣସାଗର ଆନ୍ଧ୍ରର ପଶ୍ଚିମ ଗୋଦାବରୀର ଜିଲ୍ଲାର ରାଲିଙ୍ଗି ଗ୍ରାମରେ ଶ୍ରମ ଭିତ୍ତିକ କାର୍ଯ୍ୟ କରି ରହୁଥିଲେ । କେନସର ପୀଡିତ ବାପା ଓ ବେସାହାରା ମାଆ ୨ ପୁଅଙ୍କ ଡାକରା ପାଇ ସେଠାକୁ ଚାଲିଯାଇଥିଲେ । ଲକ୍ଡାଉନ୍ ପରେ ଶ୍ରମ ଭିତ୍ତିକ କାର୍ଯ୍ୟ ୨ପୁଅଙ୍କୁ ନ ମିଳିବା ଯୋଗୁଁ ପରିବାର ପୋଷଣ କଷ୍ଟ ହେଲା । ଏଥି ସହ କେନସର ପୀଡିତ ବାପାଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହେବାରୁ ଆନ୍ଧ୍ର ରାଲିଙ୍ଗି ଗ୍ରାମବାସୀଙ୍କ ସହେଯାଗରେ ଏକ ଆମ୍ବୁଲାନ୍ସରେ ଏହି ପରିବାରର ସମସ୍ତ ସଦସ୍ୟ ଗଜପତି ଜିଲ୍ଲାକୁ ଗତ ୧୯ତାରିଖ ଦିନ ଫେରିଲେ । ହେଲେ ଫେରିବା ପୁର୍ବରୁ ଗଜପତି ପ୍ରଶାସନଙ୍କ ଠାରେ ଏମାନେ ଫେରିବା ପାଇଁ ପଞ୍ଜିକରଣ କରି ନ ଥିବାରୁ ଏହି ଜିଲ୍ଲାର ହାଡୁଭାଙ୍ଗି ଠାରେ ଥିବା ପୋଲିସ ନାକା ପୋଷ୍ଟ ଠାରେ ଏମାନଙ୍କୁ ଅଟକ ରଖାଗଲା । ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ କେନସର ପୀଡିତ ରୋଗୀ ଥିବାରୁ ଏହି ପରିବାରର ସମସ୍ତଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ନିଜ ଗ୍ରାମ ହରିପୁର ଠାରେ ଥିବା ନିଜସ୍ୱ ଘରେ ରହିବା ପାଇଁ ସ୍ଥିର ହୋଇଥିଲା । ହେଲେ କରୋନା ଭୟରେ ଆନ୍ଧ୍ରରୁ ଫେରିଥିବା ଏମାନଙ୍କୁ ଗ୍ରାମରେ ପ୍ରବେଶ ପାଇଁ ଗ୍ରାମବାସୀଙ୍କ ଦୃଢ ବିରୋଧ ଯୋଗୁଁ ପରିବାରର ସମସ୍ତ ସଦସ୍ୟଙ୍କୁ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଲଡା ଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ଆଶ୍ରୟ ଦେଇଥିଲେ । ଆଜି ଭୋର ସକାଳ ସମୟରେ କେନସର ପୀଡିତ କେ.କ୍ରିଷ୍ଣା(୫୪)ଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଶବ ଦାହ ପାଇଁ ପରିବାର ଲୋକ ନିଜ ଗ୍ରାମ ହରିପୁର ଶ୍ମଶାନ ଘାଟକୁ ବାହାରି ଥିଲେ । ଗ୍ରାମ ଶ୍ମଶାନ ଘାଟରେ ଶବ ଦାହ ପାଇଁ ଆଜି ଗ୍ରାମବାସୀଙ୍କ ପୁଣି ଦୃଢ ବିରୋଧ ଯୋଗୁଁ କୌଣସି ରାସ୍ତା ନ ପାଇ ପ୍ରଶାସନ ଯୋଗାଇଥିବା ମହାପ୍ରୟାଣ ଗାଡିରେ ଶବକୁ ନେଇ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହାୟତାରେ ଗ୍ରାମ ଠାରୁ ୪କିମି ଦୁରରେ ଏକ ସ୍ଥାନରେ ଶବକୁ ସତ୍କାର କରାଯାଇଥିଲା । ଶବ ଦାହ ପୁର୍ବରୁ ମୃତକଙ୍କ ବଡ ପୁଅ କେ.କିଶୋରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ୩୦ ହଜାର ଟଙ୍କା ସାହାର୍ଯ୍ୟ ପ୍ରଦାନ କରିଥିଲେ । ବେ ସାହାରା ଥିବା ମୃତକଙ୍କ ପରିବାରର ସମସ୍ତ ସଦସ୍ୟ ପୁଣି ଅଲଡା ଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯିବ ବୋଲି ସୁଚନା ମିଳିଛି ।


