ରେଳବାଇ ଆଇଆରସିଟିସି ଜରିଆରେ ନିୟମିତ ଖାଦ୍ୟ ଓ ପାନୀୟ ଯୋଗାଣ ନିଶ୍ଚିତ
ନୂଆଦିଲ୍ଲୀ : ରବିବାର୨୪.୦୫.୨୦୨୦ ସକାଳ ୧୦ଟା ସୁଦ୍ଧା ଭାରତୀୟ ରେଳବାଇ ୨୮୧୩ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଯାତ୍ରୀ ପରିବହନ କରିଛି । ପ୍ରାୟ ଶତକଡା ୬୦ ଭାଗ ଟ୍ରେନ ଗୁଜରାଟ, ମହାରାଷ୍ଟ୍ର ଏବଂ ପଞ୍ଜାବରୁ ବାହାରି ଉତ୍ତରପ୍ରଦେଶ ଓ ବିହାର ଯାତ୍ରା କରିଛି । ଶତକଡା ୮୦ ଭାଗ ଶ୍ରମିକ ସ୍ପେଶାଲ ଟ୍ରେନ ମଧ୍ୟରୁ ଉତ୍ତରପ୍ରଦେଶକୁ ୧୩୦୧ ଓ ବିହାରକୁ ୯୭୩ଟି ଟ୍ରେନ ଯାତ୍ରା କରିଛି । ଉତ୍ତରପ୍ରଦେଶର ଲକ୍ଷ୍ନୌ ଓ ଗୋରଖପୁର ଅଞ୍ଚଳକୁ ଏବଂ ବିହାରର ପାଟନା ଅଞ୍ଚଳକୁ ଅଧିକାଂଶ ଟ୍ରେନ ଯାତ୍ରା କରିଛି । ଗତକାଲି ସୁଦ୍ଧା ଯାତ୍ରା ଶେଷ କରିଥିବା ୫୬୫ଟି ଟ୍ରେନ ମଧ୍ୟରୁ ୨୬୬ଟି ବିହାର ଓ ୧୭୨ଟି ଉତ୍ତରପ୍ରଦେଶକୁ ଯାତ୍ରା କରିଛି । ଏହିସବୁ ସ୍ଥାନକୁ ଟ୍ରେନଗୁଡିକ ଯାତ୍ରା କରିବା ଯୋଗୁଁ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ସ୍ୱାସ୍ଥ୍ୟ ଓ ସାମାଜିକ ଦୂରତ୍ଵ ଭଳି ଔପଚାରିକତା ଯୋଗୁଁ ଟ୍ରେନରୁ ଓହ୍ଲାଇବା ବିଲମ୍ଭିତ ହେବା ସହ ଷ୍ଟେସନରେ ଜନଗହଳି ମଧ୍ୟ ବୃଦ୍ଧି ପାଇଥିଲା । ଭିଡ କମାଇବା ପାଇଁ କେତେକ ଟ୍ରେନକୁ ମଥୁରା ଓ ଝାରସୁଗୁଡା ବାଟ ଦେଇ ଯାତ୍ରା କରାଯାଇଥିଲା । ବିଭିନ୍ନ ରୁଟରେ ହେଉଥିବା ଗହଳି ଯୋଗୁଁ ତାହାର ପରିଚାଳନା ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯାଇଥିଲା । ଅଞ୍ଚଳ ଓ ମଣ୍ଡଳସ୍ତରରେ ଯେପରି ଟ୍ରେନଗୁଡିକ ବିଳମ୍ଭିତ ନହୁଏ ସେଥିପାଇଁ ରେଳବାଇ ବୋର୍ଡ ପକ୍ଷରୁ ତା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଯେପରି ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚେ, ସେଥିପାଇଁ ଚାଳକ ଦଳଙ୍କୁ ସଚେତନ କରାଯାଇଥିଲା । ଏହିସବୁ ନିଷ୍ପତ୍ତି ଯୋଗୁଁ ଭିଡ ହ୍ରାସ ପାଇବା ସହ ଅଧିକାଂଶ ଟ୍ରେନର ଚଳାଚଳ ସୁବ୍ୟବସ୍ଥିତ ହୋଇପଡ଼ିଛି । ପୂର୍ବ ଦିଗରେ ଗତି କରୁଥିବା ଅଧିକାଂଶ ଟ୍ରେନର ଭିଡ ଯୋଗୁଁ ଯାତ୍ରା ବିଳମ୍ଭିତ ହେବା ସହ ଖାଦ୍ୟ ପରିବଣ୍ଟନ ସୂଚୀ ମଧ୍ୟ ଠିକ ଭାବେ ଅନୁସରଣ ହୋଇପାରିନଥିଲା । ଆଇଆରସିଟିସି ଓ ରେଳବାଇ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଖାଦ୍ୟ ଓ ପାନୀୟ ଜଳର ପର୍ୟ୍ୟାପ୍ତ ବ୍ୟବସ୍ଥା ଫଳରେ ଯାତ୍ରୀମାନଙ୍କ ଦୁଃଖ କଷ୍ଟ ଲାଘବ ହୋଇପାରିଥିଲା ।


