ବିପଦ ସଙ୍କୁଳ ସ୍ଥିତିରେ ରହିଛି ବିଜୁଳି ଖୁଣ୍ଟ

ଭୁବନେଶ୍ୱର : ମେ ୩ ତାରିଖରେ ହୋଇଥିଲା ପ୍ରଳୟଙ୍କରୀ ବାତ୍ୟା ଫନି । ବାତ୍ୟାକୁ ଏ ମଧ୍ୟରେ ପୁରିଲାଣି ୨ ମାସ । ହେଲେ ସହର ଭିତରୁ ଦେଖିବାକୁ ମିଳୁଛି ବିପଦ ଜନକ ସ୍ଥିତିରେ ଥିବା ବିଜୁଳି ଖୁଣ୍ଟ । କିଏ ରାସ୍ତା ଉପରକୁ ଢଳିପଡ଼ିଛି ତ କିଏ ଭୂମି ଆଡ଼କୁ ଧନୁ ପରି ବଙ୍କେଇ ହୋଇରହିଛି । କେଉଁ ଖୁଣ୍ଟ ଉପରେ ମାଡ଼ିଯାଇଛି ଲତା । ସ୍ମାର୍ଟ ସହର ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳର କୋକିଳା ଏନ୍କ୍ଲେଭ ୧ ଓ ୨କୁ ସଂଲଗ୍ନ ହୋଇଥିବା ଅନନ୍ତ ବିହାର ରାସ୍ତାରେ ଏଭଳି ବିପଦ ସଙ୍କୁଳ ସ୍ଥିତିରେ ଥିବା ବିଜୁଳି ଖୁଣ୍ଟଗୁଡ଼ିକୁ ନେଇ ବରିଷ୍ଠ ନାଗରିକମାନେ ଚିନ୍ତା ପ୍ରକଟ କରିଛନ୍ତି । ଉକ୍ତ ରାସ୍ତାରେ ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯାତାୟତ କରିଥାନ୍ତି । ଏତଦ୍ବ୍ୟତୀତ ବିଦ୍ୟାଳୟର ଗାଡ଼ିଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ରାସ୍ତା ଦେଇ ନେବା ଆଣିବା କରିଥାଏ । କେତେବେଳେ ଯେ ଖୁଣ୍ଟିଟି ଉପୁଡ଼ି ପଡ଼ିବ ତାହା କହିବା ମୁସ୍କିଲ୍ । ସାଧାରଣ ଜୀବନହାନୀ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ବର୍ଷା ପୂର୍ବରୁ ସହର ମଧ୍ୟରେ ବିଦ୍ୟୁତ୍ଖୁଣ୍ଟ ଗୁଡ଼ିକୁ ଯଦି ମରାମତି ଓ ସଳଖ ନ କରାଯାଏ ତେବେ ନେଡ଼ିଗୁଡ଼ କହୁଣିକୁ ବୋହିଯିବ । ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟି ଗୁଡ଼ିକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମାଜିକ କର୍ମୀ ସୁଶାନ୍ତ କୁମାର ସାହୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ