କୋଭିଡ୍ ଯୋଦ୍ଧାଙ୍କ ସମ୍ମାନ ପାଇଁ ଉପଖଣ୍ଡବାସୀ ଗାଇଲେ “ବନ୍ଦେ ଉତ୍କଳ ଜନନୀ
ଚମ୍ପୁଆ, (ଓ୍ବାଇଏନ୍ଏସ୍):କୋଭିଡ୍ ଯୋଦ୍ଧାଙ୍କ ପାଇଁ ଚମ୍ପୁଆ ବାସିନ୍ଦା ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ ବନ୍ଦନା । କୋଭିଡ୍ ଯୋଦ୍ଧାଙ୍କ ସମ୍ମାନ ଲାଗି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ନିବେଦନ ଅନୁଯାୟୀ ଆଜି ଅପରାହ୍ନ ୫ଟା୩୦ମି. ସମୟରେ ଉପଖଣ୍ଡବାସୀ “ବନ୍ଦେ ଉତ୍କଳ ଜନନୀ” ବନ୍ଦନା ଗାନ କରିଥିଲେ । ଏହି ଉପଲକ୍ଷେ ଚମ୍ପୁଆ ଉପଖଣ୍ଡ ସମେତ ବିଜ୍ଞାପିତ ଅଂଚଳ ପରିଷଦ, ବ୍ଲକ୍, ଗ୍ରାମ ପଂଚାୟତ ଏବଂ କ୍ୱାରେଟାଂଇନ୍ ସେଂଟର ସ୍ତରରେ ଆୟୋଜିତ ସମାରୋହମାନଙ୍କରେ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ପ୍ରତି ସ୍ତରରେ ସାମାଜିକ ଦୂରତା ଅବଲମ୍ବନ ଏବଂ ମୁହଁରେ ମାସ୍କ ପରିଧାନ କରି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉପଜିଲ୍ଲାପାଳ ଉପଖଣ୍ଡବାସୀଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ । ଚମ୍ପୁଆ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଗାନ୍ଧୀ ଛକଠାରେ ଉପଖଣ୍ଡସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିଲା । ଠିକ୍ ଅପରାହ୍ନ ୫ଟା୩୦ମି. ସମୟରେ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ବନ୍ଦନା ପରିବେଷଣ କରାଯାଇଥିଲା । ଏହି ସମୟରେ ସହରବାସୀ ଛିଡା ହୋଇ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଉତ୍ସାହିତ କରିଥିଲେ । ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ସମେତ ବ୍ଲକ୍ ଚେୟାରମ୍ୟାନ୍ ରମଣୀ ନାଏକ, ଏନ୍ଏସି ଚେୟାରମ୍ୟାନ୍ ଗୀତାରାଣୀ ନାଏକ, ତହସିଲଦାର ଆଲୋକ କୁମାର ପଟେଲ, ବିଡିଓ ନୁପୂର ଚାନ୍ଦଗୋଟିଆ, ଏସ୍ଡିଏମ୍ଓ ଉମାକାନ୍ତ ସାହୁ, ଅତିରିକ୍ତ ତହସିଲଦାର ଲଳିତ କୁମାର ନାଏକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାଏକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ/ କର୍ମଚାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି, ସମାଜସେବୀ, ଶିକ୍ଷାବିତ୍ ଏବଂ ସମାଜର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ତଥା ଜନସାଧାରଣ ଏହି ସମାରୋହରେ ଯୋଗ ଦେଇଥିଲେ ।


