ଗାରୋଇ ସ୍ଲୁଇସି ଗେଟ ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଅଂଚଳବାସୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍):ନ:ନାଉଗାଁ ବ୍ଳକ ଗାରୋଇ ଠାରେ ଦେବୀ ନଦୀ ଓ ଗୋବରୀ ନଦୀର ସଂଯୋଗରେ ନିର୍ମାଣ ହୋଇଛି ସ୍ଲୁଇସି ଗେଟ । ଏହି ସ୍ଲୁଇସ ଗେଟର ମୁଖ୍ୟ ଲକ୍ଷ୍ୟ ଥିଲା ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ କରିବା ସହିତ ଗୋବରୀ ନଦୀରେ ଜଳ ସଂରକ୍ଷଣ କରି ପ୍ରକୃତ ଚାଷ ସମୟରେ ଚାଷ ଜମିକୁ ଜଳ ଯୋଗାଇବା ପାଇଁ । କିନ୍ତୁ ବିଭାଗୀୟ ଅଧିକାରୀ ଓ ମାଛ ମାଫିଆଙ୍କ ସଲାସୁତରାରେ ଏହି ସ୍କୁଇସି ଗେଟକୁ ପ୍ରତ୍ୟେକ ଦିନ ରାତିରେ ଖୋଲା ଯାଇ ମାଛ ଧାରାଯାଉଥିଲା । ଏପରିକି ଏହି ଗେଟକୁ ମରାମତି ସମୟରେ ନିମ୍ନମାନର କାର୍ଯ୍ୟ କରାଯାଉଥିବାରୁ ଏହା ନଷ୍ଟ ହୋଇଯାଇଥିଲା ।ସୂଚନା ଥାଉକି ଏହି ସ୍ଲୁଇସ ଗେଟ ଉପରେ ଜଳସେଚନ ପାଇଁ ନାଉଗାଁ ବ୍ଳକର ୬ଟି ପଂଚାୟତର ହଜାର ହଜାର ଚାଷୀ ନିର୍ଭର କରନ୍ତି । କିନ୍ତୁ ପ୍ରଶାସନର ଅବହେଳା ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ସ୍ଲୁଇସି ଗେଟ ଦୀର୍ଘ ବର୍ଷ ହେବ ଜଳ ସଂରକ୍ଷଣର କ୍ଷମତା ହରାଇ ବସିଥିଲା । ଫଳରେ ଏହି ସ୍ଲୁଇସି ଗେଟ ଉପରେ ନିର୍ଭର କରୁଥିବା ଚାଷୀଙ୍କ ମଧ୍ୟ ଅସନ୍ତୋଷ ଦେଖା ଦେଇଥିଲା । ଅଂଚଳବାସୀଙ୍କ ଦ୍ୱାରା ବାରମ୍ବାର ବିଭାଗକୁ ଅଭିଯୋଗ ହେବା ପରେ ଚଳିତ ବର୍ଷ ଜଳସେଚନ ବିଭାଗର ଚେତା ପଶିଥିଲା । ବିଭାଗ ପକ୍ଷରୁ ଏହି ସ୍ଲୁଇସି ଗେଟକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗର ରକ୍ଷାଣବେକ୍ଷଣ ସଂସ୍ଥାକୁ କାର୍ଯ୍ୟ ଦିଆଯାଇଥିଲା । ରକ୍ଷଣାବେକ୍ଷଣ ସଂସ୍ଥା ପକ୍ଷରୁ ମଙ୍ଗଳବାର ସ୍ଲୁଇସି ଗେଟରେ ଥିବା ୫ଟି ଫାଟକ ମଧ୍ୟରୁ ୩ଟି ନଷ୍ଟ ଫାଟକକୁ ଖୋଲାଯାଇ ନୂତନ ଫାଟକ ଲଗାଇବା କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଏହି ଲୁହା ଫାଟକ ଗୁଡିକ ଅତ୍ୟନ୍ତ ନିମ୍ନମାନର ଓ ପତଳା ଲାଗୁଥିବା ଅଂଚଳବାସୀ ଜାଣି ଏହାର ବିରୋଧ କରିଥିଲେ । ସ୍ଥାନୀୟ ଅଂଚଳାବସୀଙ୍କ କହିବା ଅନୁଯାଇ ଚଳିତ ବର୍ଷ ପରି ପ୍ରତି ଦୁଇ ବର୍ଷରେ ଥରେ ବିଭାଗ ପକ୍ଷରୁ ଲଗା ଯାଉଥିବା ଏହି ଫାଟକ ଦିନ କେତେଟା ମଧ୍ୟରେ ନଷ୍ଟ ହୋଇଯାଉଛି । ଫଳରେ ଗୋବରି ନଦିରେ ଜଳ ସଂରକ୍ଷଣ ନହୋଇ ସିଧା ଦେବୀ ନଦୀରେ ମିଶୁଛି । ଏହାକୁ ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାରାଜ । ଅପରପକ୍ଷରେ ଏହି ସ୍ଲୁଇସି ଗେଟଟି ଚାଷୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ଏହାର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଚାଷ ସମୟରେ ହେଉକି ବନ୍ୟା ସମୟରେ ସଠିକ ପରିଚାଳନା କରୁନଥିବା ବେଳେ ମାଛ ମାଫିଆଙ୍କୁ ସହଯୋଗ କରି ପ୍ରତ୍ୟେକ ରାତ୍ରିରେ ଖୋଲୁ ଥିବା ଅଭିଯୋଗ ହେଉଛି । ବର୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଏହି ସ୍ଲୁଇସି ଗେଟଟିକୁ ସଠିକ ମରାମତି ସହ ଶିଘ୍ର ସମ୍ମୂର୍ଣ୍ଣ କରିବା ପାଇଁ ଅଂଚଳର ଶହ ଶହ ଚାଷୀ ଦାବି କରିଛନ୍ତି । ଏ ବିଷୟକୁ ନେଇ ଜଳସେଚନ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ବବ ହୋଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ