ଅଧରାତିରେ ସୂର୍ଯ୍ୟ ଉଦୟ

ଲଣ୍ଡନ ଲଡସ୍ରେ ଜୁଲାଇ ୧୪ରେ ହେବାକୁ ଥିବା ୱାଲର୍ଡ କପ୍ର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଗୋଟିଏ ପରିବାରର ୬ଜଣ ସଦସ୍ୟ ସଡ଼କ ପଥ ଦେଇ ସିଙ୍ଗାପୁରରୁ ଲଣ୍ଡନରେ ପହଞ୍ଚିଛନ୍ତି । ଟିମ୍ ଇଣ୍ଡିଆ ଫାଇନାଲକୁ ଯିବ ବୋଲି ଏହି ଭାରତୀୟ ପରିବାର ଆଶା ପୋଷଣ କରିଥିଲେ । ତେଣୁ ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ଏହି ପରିବାର ୧୭ଟି ଦେଶର ସୀମାକୁ ଅତିକ୍ରମ କରି ଜୁଲାଇ ୫ରେ ଲଣ୍ଡନରେ ପହଞ୍ଚିଥିଲେ । ଫେବ୍ରୁଆରିରେ ୱାଲର୍ଡ କପ୍ ଘୋଷଣା ହେବା ପରେ ସିଙ୍ଗାପୁରରେ ରହୁଥିବା ଅନୁପମ ମାଥୁର ଓ ଅଦିତି ମାଥୁର ଲଣ୍ଡନରେ ୱାଲର୍ଡ କପ୍ର ଫାଇନାଲ ମ୍ୟାଚ ଦେଖିବା ପାଇଁ ସ୍ଥିର କରିଥିଲେ । ହେଲେ କିଛି ରୋମାଞ୍ଚକର ଢଙ୍ଗରେ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସଡ଼କ ପଥରେ କାରରେ ଯିବା ପାଇଁ ଭିଜା, ଅନ୍ୟାନ୍ୟ କାଗଜପତ୍ର ଓ ସମସ୍ତ ଔପଚାରିକତା ପୂରଣ କରି ମେ ୧୭ରେ ଅନୁପମ ତାଙ୍କ ପତ୍ନୀ ଅଦିତି, ବାପା ଅଖିଳେଶ, ମା’ ଅଞ୍ଜନା, ପୁଅ ଅବିବ(୬) ଓ ଝିଅ(୩)ଙ୍କୁ ନେଇ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ୧୭ଟି ଦେଶ ଯାତ୍ରା କରିବା ପାଇଁ ତାଙ୍କୁ ପ୍ରାୟ ୨୨,୬୦୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥିଲା । ୬୦ ଦିନରେ ୨୫ ହଜାର କିଲୋମିଟର ଯାତ୍ରା କରିବା ପାଇଁ ସେମାନେ ଲକ୍ଷ୍ୟ ରଖିଥିଲେ । ଯାତ୍ରା ସମୟରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥିଲା । ଏହି ରୋମାଞ୍ଚକର ଯାତ୍ରାରେ ଯେତିକି ଖୁସି ଲାଗୁଥିଲା ସେତିକି ଭୟ ମଧ୍ୟ ଲାଗୁଥିଲା ବୋଲି ଅଦିତି କହିଛନ୍ତି । ଯାତ୍ରା ସମୟରେ ମସ୍କୋରୁ ଲଣ୍ଡନ ଯିବା ପାଇଁ ୨ଟି ରାସ୍ତା ରହିଥିଲା । ପ୍ରଥମ ରାସ୍ତା ଲଣ୍ଡନକୁ ଯାଉଥିବାବେଳେ ଅନ୍ୟ ଏକ ରାସ୍ତା ସ୍ୱିଡେନର ସୁମେରୁ ରେଖା ଦେଇ ଯାଉଥିଲା । ଜୁନ ୨୧ରେ ଏହି ରେଖାରେ କେବେ ବି ରାତି ହୋଇ ନ ଥାଏ । ୨୪ ଘଣ୍ଟା ଆକାଶରେ ସୂର୍ଯ୍ୟ ଦେଖାଯାନ୍ତି । ତେବେ ଜୁନ ୨୮ରେ ସ୍ୱିଡେନର ଜୁକାସବରୀରେ ରାତିରେ ସେମାନେ ପହଞ୍ଚିଥିବା ବେଳେ ରାତି ୧୨ଟାରେ ବି ସେଠାରେ ସୂର୍ଯ୍ୟ ଦେଖାଯାଉଥିଲେ । ରାତି ୧୨ଟା ୧୫ରେ ସୂର୍ଯ୍ୟାସ୍ତ ହେବାର ଠିକ୍ ୧୫ ମିନିଟ୍ ପରେ ପୁଣି ସୂର୍ଯ୍ୟୋଦୟ ହୋଇଥିଲା । ଏହି ଅଦ୍ଭୁତ ଦୃଶ୍ୟ ଦେଖି ପରିବାର ଲୋକ ହତବାକ୍ ହୋଇପଡ଼ିଥିଲେ । ବୋଧହୁଏ ସାରା ବିଶ୍ୱରେ ଏଭଳି ଏକ ପରିବାର ନ ଥିବ, ଯାହାର ୩ ପିଢ଼ି ଏକାସାଙ୍ଗରେ ବିଷୁବ ରେଖା ଉପରେ ଥିବା ସିଙ୍ଗାପୁରରୁ ସୁମେରୁ ରେଖା ପର୍ଯ୍ୟନ୍ତ ଯାତ୍ରା କରିଥିବ ବୋଲି ଅନୁପମ କହିଛନ୍ତି । ଅପରପକ୍ଷରେ ଫାଇନାଲ ମ୍ୟାଚ୍ ଦେଖିସାରିବା ପରେ ଜୁଲାଇ ୧୫କୁ ସେମାନେ ସିଙ୍ଗାପୁର ଫେରିବେ । ଫେରିବା ସମୟରେ କାରକୁୁ ଜାହାଜରେ ପଠାଇ ନିଜେ ବିମାନରେ ସିଙ୍ଗାପୁର ଯିବେ । ଏହି ପରିବାରର ରୋମାଞ୍ଚକର ଯାତ୍ରା ସାରା ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ