କମ୍ ଯାତ୍ରୀରେ ଉଠୁନି ତେଲ ଖର୍ଚ୍ଚ : କୋଦଳାରୁ ଗଡୁନି ବସ୍

କୋଦଳା, (ଗୁଲସନ କୁମାର କର) :କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଯାତ୍ରୀ ପରିବହନ ସେବା ବନ୍ଦ କରି ଦିଆଯାଇଥିଲା ବେଳେ ଦୀର୍ଘ ଅଢେଇ ମାସ ପରେ ବସ୍ ସେବା ସ୍ବାଭାବିକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏଯାବତ ଯାତ୍ରୀ ପରିବହନ ସେବା ସ୍ବାଭାବିକ ହୋଇ ପାରୁନି। ଯାହା ଫଳରେ କି ବସ୍ ମାଲିକ ମାନଙ୍କ ଚିନ୍ତା ବଢି ଯାଇଛି। ଗଂଜାମ ଜିଲ୍ଲା କୋଦଳା ବସଷ୍ଟାଣ୍ଡରେ ଯଦିଓ ଦୈନିକ ନିର୍ଧାରିତ ସମୟରେ ବସ୍ ଆସି ପହଞ୍ଚୁଛି କିନ୍ତୁ ବସ୍ ରେ ଯିବା ପାଇଁ ଯାତ୍ରୀ ହେଉ ନାହାଁନ୍ତି। ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ନିର୍ଧାରିତ ସିଟ୍ ରେ ଯାତ୍ରୀ ହେବା ତ ଦୂରର କଥା, ସେମାନଙ୍କ ସଂଖ୍ୟା ଦୁଇ ଅଂକ ବି ଛୁଇଁ ପାରୁନି। ୮ ରୁ ୧୦ ଜଣ ଯାତ୍ରୀଙ୍କୁ ନେଇ ବସ୍ ଗଡୁଛି। ସଂକ୍ରମଣ ଭୟରେ ଯାତ୍ରୀ ବସ୍ ରେ ନ ଚଢି ସେରିଂ ଅଟୋ କିମ୍ବା ଭଡା ଅଟୋରେ ଯିବାକୁ ପସନ୍ଦ କରୁଛନ୍ତି। ଏଭଳି ଚିତ୍ର ଏବେ କୋଦଳା ଅଞ୍ଚଳରେ ଦେଖିବାକୁ ମିଳିଛି ।ଯାତ୍ରୀ ପରିବହନ ସେବା ଆରମ୍ଭ ହେବା ପରେ ବ୍ରହ୍ମପୁର ଯିବାକୁ କିଛି ବସ୍ କୋଦଳା ବସଷ୍ଟାଣ୍ଡରେ ପହଞ୍ଚିଥିଲେ ମଧ୍ୟ ଯାତ୍ରୀଙ୍କ ଦେଖା ନ ମିଳିବା ଯୋଗୁଁ ବସ୍ ଗୁଡ଼ିକ ଫେରି ଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ଆଉ କିଛି ବସ୍ ଗୁଡ଼ିକ ଅତି କମ୍ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଯିବା ଦେଖିବାକୁ ମିଳିଥିଲା। ନିରୁପାୟ ଚାଳକ ଏତେ କମ୍ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବାଧ୍ୟ ହୋଇଥିଲେ। ଅପରପକ୍ଷେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନଥିବାରୁ କିଛି ବସ୍ ମାଲିକ ଏଯାବତ୍ ବସ୍ ସେବା ଆରମ୍ଭ କରି ନାହାଁନ୍ତି। ଅନ୍ୟ ପଟେ କିଛି ବସ୍ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ନେବା ଆଣିବା ଦାୟିତ୍ବରେ ନିୟୋଜିତ ହୋଇଥିଲେ। ଫଳରେ ସଂକ୍ରମଣ ଡରରେ ଯାତ୍ରୀ ମାନେ ସେହି ବସ୍ ରେ ଏବେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି। ବର୍ତମାନ କୋଦଳା ଠାରୁ ବିଭିନ୍ନ ଆଖପାଖ ଅଞ୍ଚଳକୁ ଲୋକେ ଅଟୋରେ ଯିବାକୁ ପସନ୍ଦ କରୁଛନ୍ତି। ଏତେ କମ୍ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ହୋଇ ପାରୁନାହିଁ। ଲାଭ ପାଇବା ତ ଦୂରର କଥା, ତେଲ ଖର୍ଚ୍ଚ ମଧ୍ୟ ବାହାରୁ ନଥିବା କିଛି ବସ୍ ମାଲିକ କହିଛନ୍ତି ।ଫଳରେ ନିକଟ ଭବିଷ୍ୟତରେ ବସ୍ ଚଳାଇବା ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ