ହୋମ୍ କ୍ୱାରେଣ୍ଟାଇନ୍ରେ ବ୍ରହ୍ମପୁର ସର୍କଲ ଜେଲ୍ ଡାକ୍ତର
ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ସର୍କଲ ଜେଲରେ କରୋନା ଏଣ୍ଣ୍ଟ୍ରି ମାରିଥିବା ସୂଚନା ମିଳଛି । ଜେଲ୍ରେ ବିଚାରାଧୀନ ଥିବା ଦୁଇ କଏଦୀ ଗତ କିଛିଦିନ ତଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ କାରାଗାର ପାଇଁ ରହିଥିବା ଜଣେ ଡାକ୍ତର କରୋନା ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିବାରୁ ତାଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ମଣ୍ଡଳ କାରାଗାର ଏବେ ଡାକ୍ତର ଅଭାବ ସମସ୍ୟା ଦେଖା ଦେଇଛି। ଡାକ୍ତର ନଥିବାରୁ ଅନ୍ତେବାସୀଙ୍କ ଚିକିତ୍ସାସେବା ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ସମସ୍ୟାକୁ ନେଇ ଜେଲର୍ ଶଶିକାନ୍ତ ମହାଲିକ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ଲେଖିଛନ୍ତି। ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଜେଲ୍ ହେଉଛି ଏକ ବଡ଼ ଜେଲ୍, ଏଠାରେ ବହୁ ହାର୍ଡକୋର୍ ଅପରାଧୀଙ୍କ ଠାରୁ ଆରମ୍ଭ କରି ମାଓ ଅଭିଯୁକ୍ତ ରହୁଛନ୍ତି। କିନ୍ତୁ ଜେଲ୍ରେ ରହୁଥିବା ଅନ୍ତେବାସୀଙ୍କୁ କିପରି ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳିବ ସେ ଦିଗରେ ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ବହୁବାର ଆସୁଥିବା ବେଳେ । ବ୍ରହ୍ମପୁର ମଣ୍ଡଳ କାରାଗାରରେ ବହୁଦିନ ହେଲା ଡାକ୍ତର ପଦବି ଖାଲି ପଡ଼ିଛି। ଜରୁରୀକାଳୀନ ସେବା ପାଇଁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଜଣେ ଡାକ୍ତରଙ୍କୁ ଡେପୁଟେସନ୍ରେ ମଣ୍ଡଳ କାରାଗାରରେ ନିଯୁକ୍ତି ଦିଆଯାଇଛି। କିନ୍ତୁ ସମ୍ପୃକ୍ତ ଡାକ୍ତରଙ୍କ ନର୍ସିଂହୋମ୍କୁ ଗତ କିଛିଦିନ ତଳେ ଜଣେ କରୋନା ଆକ୍ରାନ୍ତ ରୋଗୀ ଆସିଥିବା ଜଣାପଡ଼ିଥିଲା। ତେଣୁ ସମ୍ପୃକ୍ତ ଡାକ୍ତରଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ ହୋଇଛିଯ ଫଳରେ ସେ ଅନ୍ତେବାସୀଙ୍କ ଚିକିତ୍ସା ନିମନ୍ତେ କିଛି ର୍ନିଦ୍ଦିଷ୍ଟ ଦିନ ପାଇଁ କାରାଗାରକୁ ଯାଇ ପାରିବେ ନାହିଁ। ମଣ୍ଡଳ କାରାଗାରରେ ପ୍ରାୟ ୭ଶହ ଅନ୍ତେବାସୀ ରହୁଛନ୍ତି। ଏମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମଣ୍ଡଳ କାରାଗାର ଡାକ୍ତରଖାନାରେ ଦୁଇଜଣ ଡାକ୍ତର ପଦବି ମଂଜୁର ହୋଇଛି। ମଣ୍ଡଳ କାରାଗାରରେ ୩୦ଟି ଶଯ୍ୟା ବିଶିଷ୍ଟ ଏକ ନୂତନ ଡାକ୍ତରଖାନା କୋଠା ତିଆରି କରାଯାଇଛି। ଗତକିଛି ମାସ ତଳେ ଜେଲ୍ ଡିଜି ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରୀଙ୍କ କାର୍ଯ୍ୟାଳୟରୁ ଡେପୁଟେସନ୍ରେ ଆସିଥିବା ଡାକ୍ତର ଏଠାରେ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ।ଏବେ ସେ ସଙ୍ଗରୋଧରେ ରହିବା ପରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମସ୍ୟା ଦେଖା ଦେବା ଆଶଙ୍କା ସୃଷ୍ଟି ହୋଇଛି।


