ସିଣ୍ଡିବୁର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ ଏସପି ସାରା ଶର୍ମା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଏ ହେଉଛି ଗଜପତି ଜିଲ୍ଲାର ଉପାନ୍ତ ଅଞ୍ଚଳ ଗୁମ୍ମା ବ୍ଳକ ଅନ୍ତର୍ଗତ ଭୁବନି ପଞ୍ଚାୟତର ସିଣ୍ଡିବୁର ଗ୍ରାମ। ଗାଁକୁ ଆଜି ପର୍ଯ୍ୟନ୍ତ ହୋଇ ପାରିନି ରାସ୍ତା ଟିଏ, ପଞ୍ଚାୟତ କାର୍ଯ୍ୟାଳୟକୁ, ସ୍ବାସ୍ଥ୍ୟ ସେବା ପାଇଁ କିମ୍ବା ଯେକୌଣସି ଆବଶ୍ୟକରେ ବାହାରକୁ ଯିବାକୁ ହେଲେ ମୁଖ୍ୟ ସଡକ ପର୍ଯ୍ୟନ୍ତ ଚାଲିବାକୁ ପଡେ ତିନି କିଲୋମିଟର ପାହାଡିଆ ପାଦଚଲା ରାସ୍ତା, ନା ଅଛି ପାନୀୟ ଜଳର ବ୍ୟବସ୍ଥା ନା ରହିଛି ବିଦ୍ୟାଳୟ, ସୁଗମ ରାସ୍ତା ନଥିବାରୁ ଅନ୍ୟ ସମସ୍ତ ମୌଳିକ ସମସ୍ୟାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ। ଏହିଭଳି ଏକ ଅବିକଶିତ ଗାଁକୁ ବିକାଶ ଧାରାରେ ସାମିଲ କରିବା ପାଇଁ ଆଗେଇ ଆସି ପୋଷ୍ୟ ଗାଁ ଭାବରେ ଗ୍ରହଣ କରି ଲୋକଙ୍କ ମୁହଁରେ ହସ ଫୁଟାଇବାର ପ୍ରତିଶ୍ରୁତି ଦେଇଛନ୍ତି ମହିଳା ଆଇପିଏସ୍ ଅଫିସର ତଥା ଗଜପତି ଏସପି ସାରା ଶର୍ମା।ପୋଲିସ ବିଭାଗର ବହୁ ଅଧିକାରୀଙ୍କ ସହ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥା, ଲାଞ୍ଜିଆ ସଉରା ଉନ୍ନୟନ ପ୍ରକଳ୍ପ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତ ସମିତି ଆଦି ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ସତ୍ତ୍ବେ ଯୋଜନା ଅପହଞ୍ଚ ହୋଇଛି ଏଠାରେ। ଗ୍ରାମବାସୀଙ୍କ ସମସ୍ତ ସମସ୍ୟା ଯଥା ରାସ୍ତା ନିର୍ମାଣ, ପାନୀୟ ଜଳର ବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ସହଯୋଗ କରିବେ, ଏପରିକି ଏକ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ପ୍ରତିଶୃତି ଦେଇଛନ୍ତି ଏସପି ସାରା ଶର୍ମା । ସେଥିପାଇଁ ପ୍ରକ୍ରିୟା ଆରମ୍ଭ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ମାସ୍କ, ବିସ୍କୁଟ ଆଦି ବଣ୍ଟନ କରିବା ସହ କରୋନାକୁ ନେଇ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି । ବିଭିନ୍ନ ସଂଗଠନ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ବିଭିନ୍ନ ଉନ୍ନୟନ କାମ କରାଯିବ ବୋଲି କହିଛନ୍ତି ଏସପି ସାରା ଶର୍ମା। ଅପରପକ୍ଷରେ ଗ୍ରାମର ବିକାଶ ହେବ, ସମସ୍ୟା ଦୂର ହେବ ବୋଲି ବହୁ ଆଶା ପ୍ରକଟ କରିଛନ୍ତି ନିରିହ ଗ୍ରାମବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ