‘ରଜ ସଜ ମଉଜ’
ବିପିନ ବିହାରୀ ମହାନ୍ତି
ରଜ ହିନ୍ଦୁ ଓଡ଼ିଆମାନଙ୍କର ଜାତୀୟ ପର୍ବ । ଏହି ପର୍ବ ଭାରତରେ ଅନ୍ୟତ୍ର ପ୍ରାୟ ଦେଖାଯାଏ ନାହିଁ । କିନ୍ତୁ ସମସ୍ତ ଓଡ଼ିଆ ହିନ୍ଦୁମାନେ ଯେଉଁଠି ବସ କରୁଥାଆନ୍ତୁ ନା’ କାହିଁକି, ସେମାନେ ଏହାକୁ ପାଳନ କରନ୍ତି । ଏହା ଓଡ଼ିଆ ହିନ୍ଦୁଘରେ ସାଧାରଣ ଅଖ୍ୟାତ ପୁରପଲ୍ଲୀରୁ ପ୍ରଖ୍ୟାତ ନଗରୀଯାଏଁ ପାଳିତ ହୁଏ ।
ଏହି ପର୍ବ ଜ୍ୟୋତିଷ ବିଦ୍ୟାର ପାଞ୍ଜି ଗଣନା ଅନୁସାରେ ଜ୍ୟେଷ୍ଠ କିମ୍ବା ଆଷାଢ଼ ମାସରେ ପଡ଼େ ଅଥବା ଏହି ଦୁଇମାସର ସନ୍ଧିକ୍ଷଣରେ ପଡ଼ିଥାଏ । ଏହା ସୂର୍ଯ୍ୟ ସିଦ୍ଧାନ୍ତ ଅନୁଯାୟୀ ସଂକ୍ରାନ୍ତି ଘରକୁ ଧରି ପାଳିତ ହୁଏ । ରଜ ମୁଖ୍ୟତଃ ତିନି ଦିନ ପାଳିତ ହେଲେ ହେଁ, ଏହା ଚାରିଦିନ ଧରି ପାଳିତ ହୋଇଥାଏ । ପ୍ରଥମ ରଜ, ବୃଷ ରାଶିରେ ଶେଷ ଦିନ, ମଧ୍ୟ ରଜ, ମିଥୁନ ସଂକ୍ରାନ୍ତି ବା ମିଥୁନ ପ୍ରଥମ ଦିନ ଏବଂ ଶେଷ ରଜ ବା ଭୂମି ଦହନ, ମିଥୁନ ଦ୍ୱିତୀୟ ଦିନ ପଡ଼େ । ମଝି ରଜକୁ ସଂକ୍ରାନ୍ତି ମଧ୍ୟ କୁହନ୍ତି । ମିଥୁନ ତୃତୀୟ ଦିନକୁ ଠାକୁରାଣୀ ବୁଡ଼ ବା ବସୁମତୀ ସ୍ନାନ କୁହାଯାଏ ।
ଶାସ୍ତ୍ର ଅନୁସାରେ : –
ଏହି ପର୍ବଟି କୃଷି ସଂପର୍କିତ ଅଟେ । ଶାସ୍ତ୍ରମତେ ମା’ ଧରିତ୍ରୀ ଏହି ତିନିଦିନ ଧରି ଋତୁମତୀ ବା ରଜସ୍ୱଳା ହୁଅନ୍ତି । ତେଣୁ ଉକ୍ତ ତିନିଦିନ ଧରି ପୃଥିବୀ ମା’କୁ ଧର୍ଷଣ ବା କର୍ଷଣ କରାଯାଏ ନାହିଁ । ଅପରନ୍ତୁ ପୂର୍ଣ୍ଣ ବିଶ୍ରାମ ଦିଆଯାଏ ଏବଂ ପୂଜା କରାଯାଏ । ଏଇଥିପାଇଁ ହଳ ଇତ୍ୟାଦି କର୍ମ ନିଷେଧ କରାଯାଇଛି । ଏମିତି କିି କିଛି କରାଯିବ ନାହିଁ ଯେଉଁଥିରେ ମୃତ୍ତିକା ସ୍ଫଳନ ବା ଦହନ ହେବ । ଚାଲିବାରେ ବି ସତର୍କତା କରାଯାଇଛି ଯେ ଧୂଳି ନଉଠୁ ବା ନ ଉଡ଼ୁ । ଅର୍ଥାତ୍ ଭୂମିର ଖନନ ନହେଉ ।
ଏ ମାଟି ମା’ । ନାରୀ ଜାତି ବି ଆମର ମା’ । ଏଣୁ ରଜ ପର୍ବଟି ମା’ ବା ସ୍ତ୍ରୀ ଜାତିମାନଙ୍କର ମହାନ ପର୍ବ । ଏଥିପାଇଁ ବିଧିକ୍ରମେ ସ୍ତ୍ରୀ ଜାତିକୁ ନାନା କର୍ମକର୍ମାଣୀରୁ ଏହି ପର୍ବରେ ବାରଣ କରାଯାଇଛି ।
ରଜ ପର୍ବ ସଂକ୍ରାନ୍ତି ଘରକୁ ବିଚାର କରି ସୂର୍ଯ୍ୟସିଦ୍ଧାନ୍ତ ଅନୁଯାୟୀ ପାଳନ ହେଉଥିବାରୁ ଶ୍ରୀ ମନ୍ଦିରରେ ‘ଦ୍ୱି-ଅୟନ’ ପର୍ବ ପାଳନ ହୁଏ । ଯଥା ମକର ସଂକ୍ରାନ୍ତିକୁ ଉତ୍ତରାୟନ ଏବଂ କର୍କଟ ସଂକ୍ରାନ୍ତିରୁ ଦକ୍ଷିଣାନ ପର୍ବ ପାଳିତ ହୁଏ । ସେହିପରି ଅନ୍ୟାନ୍ୟ ସଂକ୍ରାନ୍ତିମାନେ ମଧ୍ୟ ଏହି ଗତିଦ୍ୱାରା ପ୍ରଭାବିତ ।
କୁହାଯାିଛି ଯେ, ‘ଯଥା ଦେହେ, ତଥା ଦେବ ।’ ଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଲୌକିକ ଦେବତା । ଓଡ଼ିଆ ହିନ୍ଦୁ ପରିବାରର ସମସ୍ତ ନୀତି ନିୟମ, ପରମ୍ପରା ଓ ଚଳଣି ଜଗନ୍ନାଥ ସଂସ୍କୃତି ସହିତ ନିହିତ । ଏଣୁ ଜଗନ୍ନାଥଙ୍କ ପାଇଁ ଯାହା ସତ୍ୟ, ଏ ମଣିଷ ପାଇଁ ତାହାହିଁ ସତ୍ୟ । ଜଗନ୍ନାଥ ମଧ୍ୟ ଏ ସଂକ୍ରାନ୍ତି ଚଳନ ଓ ଗ୍ରହକୁଟର ଶିକାର ହୁଅନ୍ତି ଠିକ୍ ଆମ ପରି । ମିଥୁନ ସଂକ୍ରାନ୍ତି ଚଳଣରେ ମଧ୍ୟ ସେହି ପ୍ରଭାବ ଥାଏ । ଗ୍ରହମାନଙ୍କର କୁପ୍ରଭାବ ପାଇଁ ମନ୍ଦିରରେ ମଧ୍ୟ ପୂଜାପାଠର ବ୍ୟବସ୍ଥା ଅଛି ।
ମିଥୁନଂ ତୁ ପରିତ୍ୟଜ୍ୟ ଯଦା କର୍କଟ ଗୋ ରବିଃ
ଅୟନାଖଂ ହରେଃ ପୂଜା କୁର୍ଯ୍ୟାନୁଂଜ ପ୍ରାପ୍ତୟେ ।ା
ରଜରେ ବିଶେଷକରି ସଂକ୍ରାନ୍ତିରେ ଅନେକ କାର୍ଯ୍ୟ ବାରଣ କରାଯାଇଛି । ଯଥା ଯଜ୍ଞାଦି କାର୍ଯ୍ୟ, ହଳ, କୃଷି କାର୍ଯ୍ୟ ଇତ୍ୟାଦି କାରଣ ଏହାର କୁପ୍ରଭାବ ଅଛି ।
ଚନ୍ଦ୍ର କ୍ଷୟ ସଂକରାନ୍ତି ଏକାଦଶୀ ମାତ୍ର
ହରିଜନ୍ମ ଦେବ ସ୍ନାନ ଶ୍ରୀ ଗୁଣ୍ଡିଚା ଯାତ
ପର୍ବ ଦିବସମାନଙ୍କର ହଳର ପ୍ରଭାବ
କରିବ ନାହି କେବେ ଜାଣିଥା ନିଶ୍ଚୟ ।ା
ଆମ୍ଭମାନଙ୍କର ପରି ପ୍ରଭୁମାନଙ୍କର ରାଶି ନକ୍ଷତ୍ର, ଘାତ ଚନ୍ଦ୍ର ଏବଂ ଶୁଭ ବେଳା ଇତ୍ୟାଦି ଅଛ । ବଳଭଦ୍ର, ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କର ଯଥାକ୍ରମେ ଶ୍ରବଣା-ମକର ରୋହିଣୀ – ବୃଷ ଏବଂ ଜ୍ୟେଷ୍ଠା – ବିଚ୍ଛା ଅଟ । ଏମାନେ ମଧ୍ୟ ଏହି ରାଶି ନକ୍ଷତ୍ର ନେଇ ରଜ ସଂକ୍ରାନ୍ତି ଧରି ସଂକ୍ରମିତ । ଏଣୁ ଜଗନ୍ନାଥଙ୍କ ଜ୍ୟୋତିଷ ସେବକମାନେ ପ୍ରତ୍ୟେକ ଦିନ ପ୍ରତ୍ୟୁଷ ଅବକାଶ ସମୟରେ ଏହି ଦୈନନ୍ଦିନ ରାଶିଫଳ ଓ ଗ୍ରହମାନଙ୍କର ପ୍ରଭାବ ଓ ତା’ର ପ୍ରତିକାର ପ୍ରଭୁମାନଙ୍କୁ ଶୁଣାଇ ଦିଅନ୍ତି ।
ପହିଲି ରଜ :-
ବୃଷ ଶେଷ ଦିନକୁ ପହିଲି ରଜ କୁହାଯାଏ । ଏହି ରଜରେ ହଳ ପ୍ରବାହ, ଭୂମି ଖନନ, ସମସ୍ତ କୃଷି କାର୍ଯ୍ୟ ଏବଂ ଶୁଭ ହୋମ କର୍ମାଦି ଇତ୍ୟାଦି ତିନିଦିନ ପାଇଁ ନିଷେଧ ହୋଇଥାଏ । ଏହି ଦିନ ଠାରୁ ଖୋର୍ଦ୍ଧା ବରୁଣାଇ ଠାକୁରାଣୀ, ଭୂଷଣ୍ଡପୁର ଉଗ୍ରତାରା, ସାଲେପୁର ଶ୍ୟାମ ସୁନ୍ଦର ମହାପ୍ରଭୁ ଏବଂ ଓଳାଭର ବ୍ରହ୍ମଚର୍ଯ୍ୟ ପୀଠରେ ତିନି ଦିନ ଧରି ରଜପର୍ବ ମହାସମାରୋହରେ ପାଳିତ ହୁଏ । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହୁଏ । ଏହି ଦିନ ଠାରୁ ପୃଥିବୀ ମା’ଙ୍କର ରଜସ୍ୱଳା ଆରମ୍ଭ ହୁଏ ।
ମିଥୁନ ଲଗ୍ନରେ ଧରିତ୍ରୀ ମାତା ରଜସ୍ୱଳା ହେଲେ, ଚାଷ ପାଇଁ ଅନୁକୂଳ । ଆଗକୁ ବର୍ଷାଫସଲ ଋତୁ । ଏହାକୁ ସ୍ତ୍ରୀ କୁସୁମ ଋତୁ ମଧ୍ୟ କହନ୍ତି । ଏହି ସମୟରେ ସ୍ତ୍ରୀମାନେ ରଜସ୍ୱଳା ହେଲେ ଶୁଭ ଲକ୍ଷଣଯୁକ୍ତ ହୁଅନ୍ତି ।
ମିଥୁନ ଲଗ୍ନରେ ସୁଖବଳୀ ହୁଏ କର୍କଟରେ ଦୁଇକୁଳ
ଆନନ୍ଦ କରାଏ ସିଂହ ଲଗ୍ନ ହେଲେ ଏକ ପୁତ୍ର ରସେ ସ୍ଥଳ ।
ଅଥଚ ରଜ ସମୟରେ ପ୍ରଥମ ରଜସ୍ୱଳା ହେଲେ ନାରୀଟି
କୁଳଟା, ହୀନମତି ଏବଂ ଅତୀବ ରତିପ୍ରିୟ ପୁତ୍ରବତୀ ହୁଏ ।
ଦ୍ୱିତୀୟ ରଜ :-
ରଜର ଦ୍ୱିତୀୟ ଦିନହିଁ ମିଥୁନ ସଂକ୍ରାନ୍ତି । ଉକ୍ତଦିନ ଭୋରୁ ଭୋରୁ ଗୃହିଣୀମାନେ ନିଜ ଘରର ବାହାର କାନ୍ଥରେ ତିନି ବା ଚାରି ଆଙ୍ଗୁଳିର ଚୁନ କିମ୍ବା ଗୋବରରେ ଗାର ଲେପନ କରନ୍ତି । ଏହା ସାପ ଇତ୍ୟାଦି ଲମ୍ବା ଜନ୍ତୁଙ୍କୁ ଘରେ ପ୍ରବେ କରିବାରେ ବାରଣ କରେ ବୋଲି କଥିତ ଅଛି । ଏହା ମଧ୍ୟ ବୈଜ୍ଞାନିକ ସତ୍ୟ । ଲକ୍ଷ୍ମଣ ରେଖାପରି ଚକ୍ ଖଡ଼ି ବା ଚୂନର ରେଖାରେ କାମକରେ ଏବଂ ଗୋବର ଦେଲେ ସାପ ପ୍ରବେଶ କରେ ନାହିଁ । ଏହା ପରୀକ୍ଷିତ ସତ୍ୟ ଯେ ସାପ ଗାତ ପାଖରେ କଞ୍ଚା ଗୋବର ଅଥବା ଗୋବର ମୂତ ବା ଗୋବର ପାଣି ପକାଇଲେ ସାପ ରୁହେ ନାହିଁ ।
ରଜ ପାଇଁ ବିଶେଷ କାର୍ଯ୍ୟକ୍ରମ :-
ଏହିଦିନ ସମସ୍ତ ପ୍ରକାର ହୋମ ଯଜ୍ଞାଦି ନିଷେଧ । ଏହି ଦିନ ଖୋର୍ଦ୍ଧା ପାଇକ ସମାଜର ସମର କୌଶଳ ପାଇକ ଖେଳ ଏବଂ ଢ଼େଙ୍କାନାଳ ସୁର ପ୍ରସାଦ ସ୍ମୃତି ପରିଷଦ ଆନୁକୂଲ୍ୟରେ ପାଇକ ଆଖଡ଼ାର ଯାବତୀୟ କୌଶଳ ପ୍ରଦର୍ଶନ କରାଯାଏ । ରଜ ସଂକ୍ରାନ୍ତିରେ ପ୍ରଭୁଙ୍କର ଜନ୍ମଦିବସ ପଡ଼ିଲେ ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମା ପଡ଼ିଲେ, ଏହି ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏବଂ କଣ୍ଟିଲେ । ନୀଳ ମାଧବଙ୍କର ସ୍ନାନଯାତ୍ରା ହୁଏ । ଦ୍ୱାଦଶୀ ପଡ଼ିଲେ ଚମ୍ପକ ଦ୍ୱାଦଶୀ ପାଳନ ହୁଏ ।
ତୃତୀୟ ରଜ :-
ମିଥୁନ ୨ୟ ଦିନକୁ ତୃତୀୟ ରଜ ବା ଭୂମି ଦହନ ବା ଶେଷ ରଜ କୁହନ୍ତି । ଅଦ୍ୟ ଶ୍ରୀ ମନ୍ଦିରରେ ବିଶ୍ୱାବସୁ ଦଇତାପତିମାନଙ୍କର ସେବା ପ୍ରବେଶ । ଏହିଦିନ ମଧ୍ୟ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୁଏ । ଅବଶ୍ୟ ଏହା ତିଥିବାର ନକ୍ଷତ୍ରର ଗଣନା ଅନୁଯାୟୀ ତୃତୀୟ ରଜ ଏବଂ ଶିବ ବିବାହ ଗୋଟିଏ ଦିନରେ ପଡ଼ିଲେ ଶ୍ରୀକ୍ଷେତ୍ରର ନୀତିରେ ମଧ୍ୟ ପରିବର୍ତ୍ତନ ହୁଏ ।
ଚତୁର୍ଥ ରଜ :-
ମିଥୁନ ୩ୟ ଦିନକୁ ବସୁମତୀ ସ୍ନାନ ବା ଠାକୁରାଣୀ ବୁଡ଼ କୁହାଯାଏ । ଏହିଦିନ ମାଟି ମା’ ପାଇଁ ବିିଭିନ୍ନ ଫଳ ପୂଜାର ବ୍ୟବସ୍ଥା ଥାଏ । ପ୍ରଥମେ କୃଷିର ସିନ୍ଦୁର ଲିପା ପୂଜା ଏବଂ ତା’ ପରେ ଲଙ୍ଗଳ ପୂଜା ହୁଏ । ବସୁମତୀଙ୍କୁ ଚନ୍ଦନ ଚର୍ଚ୍ଚିତ ସୁଗନ୍ଧ ପାଣିରେ ସିଞ୍ଚନ କରାଯାଏ ।
ରଜ ପାଇଁ କଟକଣା :-
ଠାକୁରଙ୍କୁ ନେଇ ଆମେ ରଜରେ ଶ୍ରୀ ମନ୍ଦିରରେ ଠାକୁରଙ୍କର ନୀତିରେ ଯେପରି ପରିବର୍ତ୍ତନଶୀଳ ଯଥା – ଖାଦ୍ୟ ନିଷେଧ ବା ଗ୍ରହଣୀୟ ଏବଂ ପିଠାପଣା ଇତ୍ୟାଦିର ବ୍ୟବସ୍ଥା ଅଛି, ମନୁଷ୍ୟମାନଙ୍କର ଠିକ୍ ସେହିଭଳି ପାଳନୀୟ । ପୋଷାକ, ପରିଚ୍ଛଦ ଏବଂ ମେଳା ମହୋତ୍ସବ ଇତ୍ୟାଦି ମଧ୍ୟ ଅନୁରୂପ । ରଜ ଏକ ଆନନ୍ଦ ଦାୟକ ପ୍ରମୋଦର ପର୍ବ । କର୍ମକ୍ଲାନ୍ତ ଜୀବନ ଭିତରେ ସ୍ତ୍ରୀ-ପୁରୁଷଙ୍କୁ ସାମୟିକ ଅବସର ଦେଇ ଆନନ୍ଦ ଉଲ୍ଲାସରେ ମଜେଇ ରଖିବାରେ ଏହା ଏକ ସାମାଜିକ ବ୍ୟବସ୍ଥା ।
ରଜରେ ସମସ୍ତ ଚିରାଚରିତ ଦୈନନ୍ଦିନ କାର୍ଯ୍ୟକ୍ରମ ଏକ ପ୍ରକାର ପରିବର୍ତ୍ତନ । ନାରୀ ଜାତି ପାଇଁ ବହୁ କଟକଣା । ଯେମିତି କଦଳୀ ବାସୁଙ୍ଗା ବା ଗୁଆ ଖୋଳପା ଲଗାଇ ଚାଲିବା, ସଂଧ୍ୟା ପୂର୍ବରୁ ଖାଇବା, ଅନୁଢ଼ା କୁମାରୀମାନେ ରଜସ୍ୱଳା ହେଲେ ପିଠା ଓ ଫଳ ଖାଇ ଆଗାମୀ ନାରୀତ୍ୱର ତାଲିମ ନେବା ଇତ୍ୟାଦି ଇତ୍ୟାଦି ।
ଏହି ପର୍ବରେ କଟାକଟି ଓ ବଟାବଟିର ବିଶେଷ କଟକଣା ଥିବାରୁ ନାରୀମାନେ ରଜ ପୂର୍ବଦିନଠୁ ପ୍ରାୟତଃ ଗୁଡ଼ାଏ ବଟାବଟି ଓ କଟାକଟି କାମ ସାରିଦେଇଥାଆନ୍ତି । ଅନେକ ମଧ୍ୟ ରଜ ତିନିିଦିନ ରହିଲାପରି ଛଣାଛଣି ପିଠାପଣା କରି ସାଇତି ରଖିଥାଆନ୍ତି । ଏମିତିକି ବଟାବଟି ଉପରେ ବିଶେଷ ନିର୍ଭର ନକରି ମସଲା ସବୁକୁ ଗୁଣ୍ଡକରି ସାଇତି ରଖିଥାଆନ୍ତି । ଅର୍ଥାତ୍ ରଜରେ ଶୁଖିଲା ଖାଦ୍ୟ ଉପରେ ବିଶେଷ ନିର୍ଭର କରାଯାଏ ।
ରଜର ସବୁକିଛି ସ୍ୱତନ୍ତ୍ର:
ରଜ ସଜରେ ନୂଆପୋଷାକ, ନାରୀମାନଙ୍କ ପାଇଁ ଅଳତା, ସିନ୍ଦୁର ଓ ଚନ୍ଦନର ସମ୍ଭାର, ଅଳଙ୍କାର ଓ ଫୁଲର ପସରାକୁ ବିଭୁଷଣ ଦେଖାଇ ଦେଖାଇ ଏଘର ସେଘର ବୁଲିବା, ଚନ୍ଦନ ଓ ଅତରର ଟିପାରେ କପାଳକୁ ସୁନ୍ଦର ଭାବରେ ସଜାଇବା; ଗୋଡ଼ରେ ଅଳତା ଓ ନଖରେ ନେଲପଲିସ୍ ଦେବା, ଓଷ୍ଠରେ ଲିପ୍ଷ୍ଟିକ୍ ଓ ସୁନ୍ଦର କେଶବିନ୍ୟାସର ପରିପାଟି ତଥା ଅନ୍ୟାନ୍ୟ ଭୂଷଣର ସଜ୍ଜିକରଣର ଚମତ୍କାରିତାରେ ନାରୀଜାତି ଯେମିତି ବିଭୋର ।
ରଜ ପିଠା : –
ଘରେ ଘରେ ନାନା ପିଠା : ରଜ ମଣ୍ଡା, ରଜ କାକରା, ରଜ ଏଣ୍ଡୁରି, ରଜର ଛେନା ଓ ଲାଉ ପୋଡ଼, ରଜ ଆରିଶା ଏମିତିକି ପାଣିପଣା ବି ରଜର । ଯଥା ରଜ ପଣା, ରଜ ଘାଣ୍ଟ, ସେହିପରି ରଜ ଭାର ଯାହାକି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ । ଅଦା, ଯୁଆଣି, ଗୁଜରାତି ଏବଂ ଲବଙ୍ଗ ଇତ୍ୟାଦି ଦେଇ ମୁଆଁ ଭୂଜାଠୁ ଆରମ୍ଭକରି ରଜ ପିଠା ସବୁ ସ୍ୱତନ୍ତ୍ର ।
ଏସବୁ ଖାଲି ନିଜ ପାଇଁ ନୁହେଁ – ଦିଆ ନିଆକୁ; ଚଖାଚଖିକୁ । ଏଘର ପିଠା ସେ ଘର ଏବଂ ସେଘର ପିଠା ଏଘର । କାହାର ପିଠା କେମିତି? ଖାଲି ପିଠା ନୁହେଁ ରଜର ଭୁଜା; ମୁଢ଼ି ଭୁଜା, ଚୂଡ଼ା ଭୁଜା ଇତ୍ୟାଦି ଇତ୍ୟାଦି ।
ରଜପାନ :- ପାନତ ପାନ ରଜପାନ, ମିଠା ପାନ, ଖିଲିପାନ । ମହକୁଥିବ ପାଟି ତା’ ବାସ୍ନାରେ ।
ରଜଯାତ୍ରା :-
ତହିଁକି ବଳାଇଯାଏ ରଜ ଯାତ୍ରା । ବେଶ ଉପଭୋଗ୍ୟ – ଯା’ ବୁଲି ବରୁଣାଇ, ଯା’ ଉଗ୍ରତାରା, ଯା’ ରାମଚଣ୍ଡୀ ନୋହିଲେ ପାଖ ଗାଁ ଯାତ୍ରା ଦେଖି । ଗାଁରେ ଗାଁରେ ରଜ ପାଲା, ଦାଶକାଠିଆ, ନାଟକ, ସୁଆଙ୍ଗ, ଭାଷଣବାଜି, ଆଲୋଚନା, କବିତା ପାଠୋତ୍ôସବ ଏବଂ ଏଣିକି ଚାଲିଲାଣି ଭିଡ଼ିଓ ସୋ ।
ମଉଜ ମଜ୍ଜଲିସ୍ ବି ବାଳଏ । ଗାଁ ଚଉତରା କି ଆଖଡ଼ା ଘରେ ତାସ୍ କି ପଶା । କାହା ବାରଣ୍ଡା କି ଢ଼ିଙ୍କିଶାଳରେ ଲୁଡ଼ୁ କିମ୍ବା ଗୋଡ଼ିଖେଳ । ସମୟ ନେଇ ଗାଁ ଯୁବକମାନଙ୍କର ଗାଁ ମୁଣ୍ଡ କି ସ୍କୁଲ ପଡ଼ିଆରେ କବାଡ଼ି, ବାଗୁଡ଼ି କି ଏବେକୁ କ୍ରିକେଟ ଖେଳ । ଖାଲି ଏମିତି ସେମିତି ଖେଳ ନୁହେଁ । ଇଏ ରଜ ଖେଳ । ବାଜା ବାଜେ । ବାଜାବାଲା ବାଜାରେ ମସ୍ଗୁଲ, ଖେଳୁଆଡ଼ ମଧ୍ୟ ଖେଳରେ ମତ୍ତୁଆଲ । ପାଇକ ଆଖଡ଼ାରେ ଚମକାଏ ଗାଁ ଦାଣ୍ଡ । ଦୁନ୍ଦୁବି ତା’ ବାଜରା ନାଁ । କୋଉଠି କୋଉଠି ଚାଲିଥାଏ ବାଜି । ଜୁଆଖେଳ । କାହାର କଚେ ପୁଅ ବାର ତ’ କାହାର ସର୍ବନାଶ । ଇଏବି ରଜ ।
ସବୁଠୁ ଉପଭୋଗ୍ୟ କୁମାରୀମାନଙ୍କର ପୁଚି ଖେଳ : ପୁଚି ଯା’ ଘୁଞ୍ôଚ… ତହିଁକି ବଳାଏ ରଜଦୋଳି । ଏ ଦୋଳି ଯେମିତି ଉପଭୋଗ୍ୟ ତାଠୁ ଶ୍ରୁତି ମଧୁର ତା’ ଗୀତ ।
ଦୋଳି ହୁଏ ରଟ ରଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ ।
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ, ଘେନ ନୂଆ ସଜବାଜ ।
ରଜର ଗୋଟାଏ ସ୍ୱତନ୍ତ୍ର ପାଗ ଅଛି । ମେଘୁଆ ପାଗ ଅନୁକୂଳ ।
ପାଗ ବର୍ଷା ହେଲେ ସବୁ ବିଗିଡ଼ି ଯାଏ :
ସଜନୀଲୋ, ମଉସୁମୀ ଗଲା ବଦଳି
ସାବଧାନ ଏବେ ନହେଲେ ବାଦଲ
ରଜ ସଜ ଦେବ ଉଜାଡ଼ି ।ା
କେହି କେହି ବି ରଜ ଭ୍ରମଣରେ ଯାଆନ୍ତି । ରଜ ସାମାଜିକ ଓଡ଼ିଆ ହିନ୍ଦୁ ଚଳଣିରେ ସଂପୂର୍ଣ୍ଣ ଭାବରେ ଉପଭୋଗ୍ୟର ପର୍ବ । ଏହା କୃଷି ସମ୍ବନ୍ଧୀୟ ଏକ ହିନ୍ଦୁ ଓଡ଼ିଆ ଜାତୀୟ ପର୍ବ । କଥାରେ କୁହନ୍ତି ଆଉ ସେ କାଳ ପଖାଳ ନାହିଁ । ଏବେ ଜାତୀୟକରଣ ଭିତରେ ଓଡ଼ିଆ ଓ ଓଡ଼ିଶାର ପାଣିପାଗ ବଦୁଳିଛି । ଆମେ ରଜଗୀତ ଭୁଲି ଗଲୁଣି ରଜ ସହ । ଏହା ଏବେ ବିଧିସର୍ବସ୍ୱ, ଜୀବନସର୍ବସ୍ୱ ନୁହେଁ । ଆମେ କ’ଣ ସତରେ ଏ ପରମ୍ପରା ଓ ଚଳଣୀର ଇତି ଟାଣିଦେବା ଆଉ ଜାବୁଡ଼ି ଧରିବା କନାକୁ । ଆଉ କ’ଣ ପୂର୍ବପରି ସରାଗର ସହ ରଜକୁ ଅପେକ୍ଷା କରିବା ନାହିଁ ।
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮