ବ୍ରହ୍ମପୁର ମଣ୍ଡଳ କାରାଗାରରେ ପୁଣି ଜଣେ ଅନ୍ତେବାସୀ କରୋନା ପଜିଟିଭ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ମଣ୍ଡଳ କାରାଗାରରେ ପୁଣି ଜଣେ ଅନ୍ତେବାସୀ କରୋନା ପଜିଟିଭ ହୋଇଛନ୍ତି। ତେଣୁ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ବଡବଜାର ଥାନା ଇନ୍ସପେକ୍ଟରଙ୍କ ସମେତ ୮ ପୋଲିସ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁସାରେ, ୨୦୧୫ ଜାନୁଆରୀ ରେ ହୋଇଥିବା ଏକ ଡକାୟତି ମାମଲାରେ ୨ ଅଭିଯୁକ୍ତ ଫେରାର ଥିଲେ। ଉଭୟଙ୍କୁ ବଡବଜାର ଥାନା ପୋଲିସ ଗତ ୨୨ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ଚାଲାଣ ସମୟରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ କରୋନା ପରୀକ୍ଷା ପାଇଁ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ଗତ ବୁଧବାର ଉଭୟ ଅଭିଯୁକ୍ତଙ୍କ ରିପୋର୍ଟ ଆସିଥିଲା। ଜଣେ ଅଭିଯୁକ୍ତ କରୋନା ପଜିଟିଭ ଥିବା ସ୍ପଷ୍ଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ପୋଲିସକୁ ଖବର ଦିଆଯାଇଥିଲା। ପଜିଟିଭ ଥିବା ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲ ନିଆଯାଇଛି। ସେପଟେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ପୋଲିସ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କୁହନ୍ତି, ବଡବଜାର ପୋଲିସ ଗତ ୨୦ ତାରିଖରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଏଣୁ ବଡବଜାର ଥାନା ଅଧିକାରୀଙ୍କ ସମେତ ୮ଜଣ ଗୁରୁବାରରୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ଏହା ସହିତ ସମସ୍ତ କର୍ମଚାରୀଙ୍କ ଗୁରୁବାର ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ବଡବଜାର ଥାନା ଦାୟିତ୍ୱରେ ଏବେ ଟାଉନ ଥାନା ଇନ୍ସପେକ୍ଟର ସୁରେଶ ତ୍ରିପାଠୀ ଅତିରିକ୍ତ ଦାୟିତ୍ୱରେ ରହିବେ ବୋଲି ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ