ସ୍ୱାଧିନତାର ୭୩ବର୍ଷ ପରେବି ଖପରାଖାଇ ଓ ବନ୍ତଳା ଗ୍ରାମକୁ ରାସ୍ତା ନାହିଁ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ସ୍ୱାଧିନତାର ୭୩ବର୍ଷ ପରେବି ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ଖପରାଖାଇ ଗ୍ରାମକୁ ଯାତାୟତ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ସରକାର ଆମ ଗାଁ ଆମ ବିକାଶର ଡିଣ୍ଡିମ ପିଟୁଥିବାବେଳେ ବ୍ଲକ ସଦର ମହକୁମା ଠାରୁ ମାତ୍ର ୬କିଲୋମିଟର ଦୁରତାରେ ଥିବା ଏହି ଗ୍ରାମକୁ ଖଣ୍ଡେ ରାସ୍ତା ନଥିବା ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି । ଗ୍ରାମବାସୀଙ୍କ କହିବାନୁଯାଇ ମରୈଗାଁ ପଞ୍ଚାୟତର ଖପରାଖାଇ ଗ୍ରାମରେ ୧୨୦ରୁ ଉର୍ଦ୍ଧ ପରିବାର ଓ ବନ୍ତଳା ଗ୍ରାମର ୮୦ରୁ ଉର୍ଦ୍ଧ ପରିବାର ସ୍ୱାଧିନତାର ୭୩ବର୍ଷ ପର୍ଯ୍ୟନ୍ତ ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି । ମରୈଗାଁ ଢ଼େଙ୍କା ମୁଖ୍ୟରାସ୍ତାର ତେନ୍ତୁଲିନଣ୍ଡା ଠାରୁ ଏକ କେନାଲ ବନ୍ଧକୁ ରାସ୍ତା ଭାବରେ ବ୍ୟବହାର କରି ଆସୁଛନ୍ତି ଦୁଇଟି ଯାକର ଗାଁ ଲୋକେ । ଏହି ରାସ୍ତାଟି ଉପରେ ଦୁଇଗୋଟି ଗ୍ରାମର ଶହଶହ ପରିବାର ନିର୍ଭର କରୁଥିବାବେଳେ ମାଟି ରାସ୍ତା ଯୋଗୁଁ ବର୍ଷାଦିନେ କାଦୁଅ ପାଣିରେ ପରିପୁର୍ଣ୍ଣ ହୋଇ ଉଠିଛି । ଫଳରେ ବର୍ଷାଦିନେ ଗାଁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି । ଗାଁ ଭିତରେ ପକ୍କା ସଡକ ନିର୍ମାଣ କରାଯାଉଥିବାବେଳେ ବାହାରକୁ ବାହାରିବାକୁ ଥିବା ମୁଖ୍ୟ ରାସ୍ତାର ଏପରି ଅବସ୍ଥା ଯୋଗୁଁ ବର୍ଷାଦିନେ ଆମ୍ବୁଲାନସଟିଏ କି ଦମକଳ ଟିଏ ମଧ୍ୟ ଗାଁକୁ ଯାଇପାରୁ ନାହିଁ । ଛାତ୍ରଛାତ୍ରୀ ମାନେ ସ୍କୁଲ କି କଲେଜ ଯିବାରେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଳସମ୍ପଦି ବିଭାଗ ଅଧିନରେ କେନାଲଟି ଥିବାରୁ ଅନ୍ୟ କୌଣସି ବିଭାଗ ପକ୍ଷରୁ ତାହା ନିର୍ମାଣ କରିବାକୁ ଅନୁଦାନ ଯୋଗାଇ ଦିଆଯାଇ ପାରୁ ନଥିବା ଗାଁ ଲୋକେ କହିଛନ୍ତି । ଗୋଟିଏ ପଟେ କେନାଲ ଅନ୍ୟପଟେ ବାଡଘେରା ରାସ୍ତାଟିକୁ ଶଙ୍କୁଚିତ କରିଦେଇଥିବାରୁ ରାସ୍ତା ଦେଇ ଖରାଦିନେ ୪ଚକିଆ ଗାଡିଟିଏ ମଧ୍ୟ ଯାତାୟତ କରିପାରୁ ନାହିଁ । ଏବେ କାହାର ଦେହ ପା ଖରାପ ହେଲେ ଖଟିଆରେ ବୋହି ପିଚୁ ସଡକକୁ ଆଣିବାପରେ ସେଠାରୁ ଆମ୍ବୁଲାନସ କିମ୍ବା ୪ଚକିଆ ଗାଡି ଯୋଗେ ଡାକ୍ତରଖାନାକୁ ନିଆଯାଉଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଜଳସମ୍ପଦ ବିଭାଗକୁ ଅନୁରାଧ କରାଯାଉଥିଲେ ମଧ୍ୟ ଜଳସମ୍ପଦ ବିଭାଗ କୌଣସି ପଦକ୍ଷେପ ନେଉ ନଥିବା କିଶୋର ଚନ୍ଦ୍ର ଜେନା, ପରେଶ ଜେନା, ହରେକୃଷ୍ଣ ଜେନା, ସଞ୍ଜିବ ପରିଡା, ରତ୍ନାକର ବେହେରା, ଭାଗିରଥି ରାଉତ, ରଘୁନାଥ ନାୟକ, ଶ୍ରୀଧର ଜେନା, ଦୋଳଗୋବିନ୍ଦ ନାୟକ, ପ୍ରଦୀପ ନାୟକ, ମାନସ ରାଉତ, ଦେବବ୍ରତ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀମାନେ କେନ୍ଦୁଝର ଜିଲ୍ଲାପାଳ, ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ, ୫-ଟି ସଚିବ ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇ ଗ୍ରାମକୁ ରାସ୍ତା ଟିଏ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି ।

ସେମାନଙ୍କ ମତରେ- ଦୀର୍ଘ ବର୍ଷ ଧରି ଆମ ଗାଁର ଲୋକମାନେ ଆଣ୍ଠୁଏ କାଦୁଅରେ ଯାତାୟତ କରି ଆସୁଛୁ । ଯେଉôତ ପାଇଁକି ଆମ ଗାଁର ପିଲାମାନେ ଯେଉଁମାନେ ବାହାରେ ରୁହନ୍ତି ସେମାନେ ମୁଖ୍ୟତ ରାସ୍ତା ସମସ୍ୟା ପାଇଁ ଗାଁକୁ ଆସିବାକୁ ମଣି ନଥାନ୍ତି । ଗାଁକୁ ଯିବାକୁ ହେଲେ ପାଖାପାଖି ୨କିଲୋମିଟର ଦୁର ଚାଲି ଚାଲି ଯିବାକୁ ପଡୁଛି । ଯାହାକି ଆମେ ବାହାୋର କହିବାକୁ ଖରାପ ଲାଗୁଛି ।
ଅଜିତ ନାୟକ, ସମାଜସେବୀ

ଏହା କୌଣସି ବଣପାହାଡ ଘେରା ଅଞ୍ଚଳ ନୁହଁ, ଆନନ୍ଦପୁର ଭଦ୍ରକ ମୁଖ୍ୟ ରାସ୍ତା ଠାରୁ ମାତ୍ର ୩/୪କିଲୋମିଟର ଦୁରରେ ଥାଇବି ଆଜି ଆମେ ବର୍ଷାଦିନେ ବନ୍ଦୀ ଜୀବନ ବିତାଉଛୁ । ରାତିରେ ଯଦି କାହା ଦେହ ପା ଖରାପ ହେଲା ତେବେ କଥା ସରିଲା । ସରକାର ସମସ୍ତଙ୍କ ପାଇଁ ଆମ୍ବୁଲାନସ, ଦମକଳ ଭଳି ଅତ୍ୟାବଶକୀୟ ସେବା ପ୍ରଦାନ କରୁଥିବା କହୁଥିବାବେଳେ ରାସ୍ତା ପାଇଁ ଏହି ସେବା ଆମ ପାଇଁ ସାତ ସପନ ହୋଇ ପଡିଛି ।
ସଞ୍ଜୟ ନାୟକ, ଯୁବ ସମାଜସେବୀ

ସରକାର ଏବେ ଗାଁ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା ମାନ କରିଚାଲିଥିଲେ ବି ଆମ ଗାଁ ଲୋକଙ୍କ ପାଇଁ ଏହି ଯୋଜନା ସାତ ସପନ ହୋଇ ପଡିଛି । ବର୍ଷବର୍ଷ ଧରି ରାସ୍ତା ଖଣ୍ଡିଏ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କ ପର୍ଯ୍ୟନ୍ତ ଯାଇ ଯାଇ ଥକି ଗଲୁଣି । କେହି ଆମ କଥା ଶୁଣୁ ନାହାନ୍ତି । କେବଳ ପ୍ରତିଶୃତିରେ ହିଁ ରହି ଯାଉଛି ରାସ୍ତା ନିର୍ମାଣ । ଘର ନିର୍ମାଣ ପାଇଁ ଗାଁକୁ ଟ୍ରକରେ ବାଲି, ଚିପିସ ବି ଆଣି ପାରୁନୁ । ଏବେ ଭାଗ୍ୟକୁ ଆଦରି ପଡି ରହିଛୁ । ସରକାର କେବେ ଆମ ଦାବି ଶୁଣିବେ ତାହାକୁ ଅପେକ୍ଷା କରିଛୁ ।
ହରେକୃଷ୍ଣ ଜେନା, ଗ୍ରାମବାସୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ